ନୁଆଁଦିଲ୍ଲୀରେ ଅନୁଷ୍ଠିତ ଜାତୀୟ କାର୍ଯ୍ୟକ୍ରମରେ ଆସିକା ଏନ୍ଏସି ସମ୍ବର୍ଦ୍ଧିତ
ଆସିକା, (ଯୁଗାବ୍ଦ ନ୍ୟୁଜ):କେନ୍ଦ୍ର ସରକାରଙ୍କ ଗୃହ ଓ ନଗର ଉନ୍ନୟନ ମନ୍ତ୍ରଣାଳୟର ପ୍ରତ୍ୟେକ୍ଷ ତତ୍ତ୍ୱାବଧାନରେ ବିଜ୍ଞାନ ଓ ପରିବେଶ କେନ୍ଦ୍ରୀୟ ସଂସ୍ଥା ପକ୍ଷରୁ ଅନୁଷ୍ଠିତ ଏକ ଜାତୀୟ କାର୍ଯ୍ୟକ୍ରମରେ ଆସିକା ଏନ୍ଏସି ସମ୍ବର୍ଦ୍ଧିତ ହୋଇଥିବା ଜଣାପଡିଛି । ଏହି କାର୍ଯ୍ୟକ୍ରମରେ ଆସିକା ବିଜ୍ଞାପିତ ଅଞ୍ଚଳ ପରିଷଦର କାର୍ଯ୍ୟନିର୍ବାହୀ ଅଧିକାରୀ ଲୋକନାଥ ବେଜ୍ଙ୍କ ନେତୃତ୍ୱରେ ପରିମିଳ ନିପୁଣା ଦିପ୍ତିମୟୀ ସାହୁ ଯୋଗଦେଇ ବରିଷ୍ଠ ପଦାଧିକାରୀଙ୍କ କରକମଳରେ ମାନପତ୍ର ଗ୍ରହଣ କରିଥିବା ଜଣାପଡିଛି । ପରିବେଶକୁ ପରିଷ୍କାର ଓ ପରିଚ୍ଛନ୍ନ କରିବା କ୍ଷେତ୍ରରେ ସକରାତ୍ମକ ପଦକ୍ଷେପ ନେଇ ଏକ ବୈପ୍ଳବିକ ପରିବର୍ତ୍ତନ ଆଣିବା ଏବଂ ଆସିକା ସହରବାସୀ ଏହି ସ୍ୱଚ୍ଛତା କାର୍ଯ୍ୟକ୍ରମରେ ପ୍ରତ୍ୟେକ୍ଷ ଅଂଶଗ୍ରହଣ କରିବା କ୍ଷେତ୍ରରେ ପ୍ରୋତ୍ସାହିତ କରିବା ସାଙ୍ଗକୁ ଆସିକା ସହରାଞ୍ଚଳର କଠିନ ବର୍ଜ୍ୟବସ୍ତୁକୁ ଉତ୍ତମ ପରିଚାଳନା କ୍ଷେତ୍ରରେ ନିଜର ଶ୍ରେଷ୍ଠତ୍ୱ ପ୍ରତିପାଦନ ସହ ଉଲ୍ଲେଖନୀୟ ସଫଳତା ହାସଲ କରିଥିବା ଜଣାପଡିଛି । ନୁଆଁଦିଲ୍ଲୀରେ ଅନୁଷ୍ଠିତ ଜାତୀୟ କାର୍ଯ୍ୟକ୍ରମରେ ବିଜ୍ଞାନ ଓ ପରିବେଶ କେନ୍ଦ୍ରୀୟ ସଂସ୍ଥା ଦ୍ୱାରା ଆସିକା ଏନ୍ଏସି ସ୍ୱଚ୍ଛତା କ୍ଷେତ୍ରରେ ସମ୍ବର୍ଦ୍ଧିତ ହେବା ସ୍ଥାନୀୟ ଅଞ୍ଚଳ ପାଇଁ ଗର୍ବ ଓ ଗୌରବର ବିଷୟ ବୋଲି ସଚେତନ ନାଗରିକ ମହଲରେ ଆଲୋଚିତ ହେଉଥିବା ଲକ୍ଷ୍ୟ କରାଯାଇଛି ।