ନୁଆଁବର୍ଷକୁ ଦୃଷ୍ଟିରେ ରଖି ଆସିକାରେ ଫୁଲବଜାର ଚଳଚଞ୍ଚଳ
ଆସିକା, (ଯୁଗାବ୍ଦ ନ୍ୟୁଜ):୨୦୨୪ ମସିହା ଶେଷ ହୋଇ ୨୦୨୫ ମସିହା ଆସିବାକୁ ଆଉମାତ୍ର କିଛି ଦିନର ବ୍ୟବଧାନ । ନୂଆଁବର୍ଷକୁ ସ୍ୱାଗତ କରିବା ପାଇଁ ଆସିକା ସହର ତଥା ଏହାର ଆଖପାଖ ଅଞ୍ଚଳରେ ଉତ୍କଣ୍ଠା ଲାଗି ରହିଛି । ପ୍ରତ୍ୟେକ କ୍ୟାଲେଣ୍ଡର ବର୍ଷ ଶେଷ ହୋଇ ପୁଣି ଏକ ନୂଆଁବର୍ଷ ଆସିବା ପାଇଁ ଏକ ନିୟମିତ ପ୍ରକ୍ରିୟା ହୋଇଥିଲେ ସୁଦ୍ଧା ଏହି ଇଂରାଜୀ ନୂଆଁବର୍ଷକୁ ସ୍ୱାଗତ ଜଣାଇବା ପାଇଁ ବିଭିନ୍ନ ମହଲରେ ଉତ୍କଣ୍ଠା ଓ ଉତ୍ସାହ ଲାଗି ରହିଥାଏ । ନୂଆଁବର୍ଷ ୨୦୨୫ର ଅବ୍ୟବହିତ ପୂର୍ବରୁ ବିଭିନ୍ନ ସୋସିଆଲ୍ ମିଡିଆରେ ନବବର୍ଷର ଶୁଭେଚ୍ଛା ବାର୍ତ୍ତା ପ୍ରେରଣ ଆରମ୍ଭ ହୋଇଗଲାଣି । ନବବର୍ଷର ଏହି ଅଗ୍ରୀମ ଶୁଭେଚ୍ଛା ବ୍ୟତୀତ ସମସ୍ତେ ଅପେକ୍ଷା କରିଥାନ୍ତି ନବବର୍ଷର ଆଗମନକୁ । ବିଶେଷ କରି ଡିସେମ୍ବର ମାସ ୩୧ତାରିଖ ରାତି ୧୨ଟା ପରେ ନବବର୍ଷର ଶୁଭେଚ୍ଛା ଆଦାନପ୍ରଦାନ ଅଧିକ ମହତ୍ତ୍ୱ ରଖିଥାଏ । ତେଣୁ ୩୧ତାରିଖ ବିଳମ୍ବିତ ରାତ୍ରରୁ ନବବର୍ଷର ଉତ୍ସବ ପାଳନ ସହ ଶୁଭେଚ୍ଛା ବାର୍ତ୍ତା ପ୍ରେରଣ ଅଧିକ ସକ୍ରିୟ ହେବା ଆଶା କରାଯାଇଛି । ନୂଆଁବର୍ଷରେ ନିଜର ବନ୍ଧୁ, ପରିବାର, ଆତ୍ମୀୟସ୍ୱଜନ ଓ ଉପରିସ୍ଥ ଅଧିକାରୀଙ୍କୁ ଶୁଭେଚ୍ଛା ଜଣାଇବାକୁ ଅଧିକାଂଶ ବ୍ୟସ୍ତ ହୋଇ ଉଠିଥାନ୍ତି । ନବବର୍ଷର ଶୁଭେଚ୍ଛା ଜଣାଇବା ପାଇଁ ଆସିକା ସହର ତଥା ଏହାର ଆଖପାଖ କେତେକ ଅଞ୍ଚଳରେ ଥିବା ଫୁଲଦୋକାନ ଗୁଡିକରେ ସ୍ୱତନ୍ତ୍ର ଭାବେ ଆକର୍ଷଣୀୟ ଫୁଲତୋଡା ତିଆରି କରିବା ଲାଗି ଅର୍ଡର ଦିଆଯାଇଥିବା ଲକ୍ଷ୍ୟ କରାଯାଇଛି । ଆସନ୍ତା ମଙ୍ଗଳବାର ଅର୍ଥାତ୍ ୩୧ତାରିଖ ପରେ ଆରମ୍ଭ ହେବ ନୂଆଁବର୍ଷ । କ୍ୟାଲେଣ୍ଡରରେ ବଦଳିବ ତାରିଖ । ନବବର୍ଷର ପ୍ରଥମଦିନକୁ ଆନନ୍ଦ ଉଲ୍ଲାସର ସହ ପାଳନ କରିବା ପାଇଁ ଚାଲିଛି ବ୍ୟାପକ ପ୍ରସ୍ତୁତି । ପ୍ରିୟଜନଙ୍କୁ ନୂଆଁବର୍ଷରେ ଫୁଲ ଉପହାର ଦେଇ ଶୁଭ ମନାସିବା ପାଇଁ ସମସ୍ତଙ୍କ ଠାରେ ଦେଖା ଦେଇଥାଏ ଆଗ୍ରହ । ଗ୍ରାହକଙ୍କ ଆଗ୍ରହକୁ ଦେଖି ଆସିକା ସହର ତଥା ଏହାର ଆଖପାଖ କେତେକ ପୁଷ୍ପ ବ୍ୟବସାୟ ପ୍ରତିଷ୍ଠାନରେ ବର୍ତ୍ତମାନ ଠାରୁ ଭଳିକି ଭଳି ସୁଗନ୍ଧିତ ଏବଂ ସୁନ୍ଦର ଫୁଲ ବିକ୍ରୀ ହେଉଥିବା ଦେଖିବାକୁ ମିଳୁଛି । ହେଲେ ଗୋଲାପ ଫୁଲର ଚାହିଦା ଅଧିକ ଥିବା ଲକ୍ଷ୍ୟ କରାଯାଇଛି । ଆଉମାତ୍ର ଦୁଇ କେଇଟା ପରେ ବଦଳିଯିବ କ୍ୟାଲେଣ୍ଡର । ପୁରୁଣା ବର୍ଷକୁ ବିଦାୟ ଦେଇ ନୂଆଁ ବର୍ଷକୁ ସ୍ୱାଗତ କରାଯିବ । ଇଂରାଜୀ ନୂଆଁ ବର୍ଷକୁ ସ୍ୱାଗତ କରିବା ପାଇଁ ପୁରା ଆସିକା ସହର ତଥା ଏହାର ଆଖପାଖ ଅଞ୍ଚଳରେ ଆରମ୍ଭ ହୋଇଗଲାଣି ପ୍ରସ୍ତୁତି । ନୂଆଁ ବର୍ଷକୁ ନେଇ ସବୁଠୁ ଅଧିକ ଉତ୍ସାହିତ ଅଛନ୍ତି ଫୁଲ ବ୍ୟବସାୟୀ । ଫୁଲ ତୋଡା ପାଇଁ ଏବେଠୁ ଫୁଲ ବ୍ୟବସାୟୀମାନଙ୍କୁ ବରାଦ ଦିଆସରିଲାଣି । ଇଂରାଜୀ ନୁଆଁବର୍ଷ ୨୦୨୫କୁ ସ୍ୱାଗତ କରିବା ପାଇଁ ପିଲାଠୁ ଆରମ୍ଭ କରି ବୟସ୍କଙ୍କ ପର୍ଯ୍ୟନ୍ତ ପ୍ରାୟତଃ ସମସ୍ତେ ଉତ୍କଣ୍ଠାର ସହ ଅପେକ୍ଷା କରିଛନ୍ତି । ଚଳିତବର୍ଷ ନୁଆଁବର୍ଷ ପାଇଁ ରାଜ୍ୟ ବାହାରରୁ ରଙ୍ଗବେରଙ୍ଗର ଆକର୍ଷଣୀୟ ଫୁଲ ଆଣିବାକୁ ବହୁ ବ୍ୟବସାୟୀ ଯୋଜନା କରୁଥିବା ଜଣାପଡିଛି । ନୁଆଁବର୍ଷରେ କିଏ ନିଜର ଘର ସଜାଇବାକୁ ଫୁଲ କିଣିଥାଏ ତ ଅନ୍ୟ କିଏ ନିଜ କାର୍ଯ୍ୟାଳୟ ସଜାଇବାରେ ଫୁଲ ବ୍ୟବହାର କରିଥାଏ । ଚଳିତ ବର୍ଷ ନୁଆଁବର୍ଷରେ ଫୁଲ ବ୍ୟବସାୟୀମାନଙ୍କ ଭଲ ରୋଜଗାର ହେବ ବୋଲି ଆଶା କରାଯାଉଥିବା ବେଳେ ଆଗକୁ ଫୁଲ ଦର ବୃଦ୍ଧି ସମ୍ଭାବନା ଥିବାରୁ ବହୁ ଯୁବପିଢୀ ଫୁଲତୋଡା ସମେତ ଅନ୍ୟାନ୍ୟ ଫୁଲ ପାଇଁ ବର୍ତ୍ତମାନ ଠାରୁ ବ୍ୟବସାୟୀଙ୍କୁ ଆଗୁଆ ବହଣା ଦେଉଥିବା ଦେଖିବାକୁ ମିଳୁଛି । ଆସନ୍ତା ୩୧ ତାରିଖ ସନ୍ଧ୍ୟାରୁ ୧ ତାରିଖ ଅପରାହ୍ନ ପର୍ଯ୍ୟନ୍ତ ଫୁଲ ଦୋକାନ ଗୁଡିକରେ ପ୍ରବଳ ଭିଡ ହେବା ସମ୍ଭାବନାକୁ ଏଡାଇ ହେବ ନାହିଁ ବୋଲି ସାଧାରଣରେ ଆଲୋଚିତ ହେଉଥିବା ଲକ୍ଷ୍ୟ କରାଯାଇଛି ।