ନୁଆଗାଁ ବାଲିଘାଟରୁ ବେଆଇନ ବାଲି ଚୋରା ଚାଲାଣ ଘଟଣାରେ ରୋକ ଲଗାଇ ପାରୁନି ପ୍ରଶାସନ
ହାଟଡ଼ିହି, (ବିକାଶ ବିଶ୍ୱାଳ):ଗତ କିଛିଦିନ ହେଲା ହାଟଡିହି ତହସିଲ ଅଧିନସ୍ଥ ବିଭିନ୍ନ ସ୍ଥାନରେ ଲଘୁ ଖଣିଜ ଦ୍ରବ୍ୟର ଚୋରା ଚାଲାଣ ବୃଦ୍ଧା ପାଇଛି । ବିଶେଷକରି ନୁଆଗାଁ, କରଗୋଳା, ସିଙ୍ଗଡୋବ ଆଦି ବାଲିଘାଟରୁ ବେଆଇନ ଭାବେ ବାଲି ଚୋରା ଚାଲାଣ ହେଉଥିବାବେଳେ ଝଣଝଣା, ଶଙ୍କଟପାଲିଆ, ବିଣାପାଟିଆ, ପତଡା, ଝୁଣାବାଡି, ମହୁଳପଙ୍ଖା, ଘୋଷରାପଦା ଆଦି ଅଞ୍ଚଳରୁ ବେଆଇନ ଭାବେ ମୋରମ ଓ ମାଙ୍କଡାପଥର ଚୋରାଚାଲାଣ ବୃଦ୍ଧି ପାଇଛି । ତହସିଲ କର୍ତ୍ତୁପକ୍ଷ କି ପୁଲିସ କେହିବି ଏଥିପ୍ରତି ଦୃଷ୍ଟି ଦେଉ ନଥିବାରୁ ମାଫିଆଙ୍କ ଦୌରାତ୍ମ୍ୟ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି । ନୁଆଗାଁ ବାଲି ଘାଟରେ ଦିନକୁ ଶହଶହ ଟ୍ରାକ୍ଟର ବେଆଇନ ଭାବେ ବାଲିପରିବହନ କରୁଛନ୍ତି । ଏତେ ସଂଖ୍ୟକ ଟ୍ରାକ୍ଟର ଯିବା ଆସିବା କରିବାଦ୍ୱାରା ସାଧାରଣ ଲୋକମାନେ ନାହିଁ ନଥିବା ଅସୁବିଧା ଭୋଗ କରୁଛନ୍ତି । ଏହାକୁନେଇ ଗତକିଛିଦିନ ହେଲା ନୁଆଗାଁରେ ବିବାଦୀୟ ପରିସ୍ଥିତି ସୃଷ୍ଟି ହୋଇଛି । କିଛି ଗ୍ରାମବାସୀ ଏ ସମ୍ପର୍କରେ ତହସିଲଦାରଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି । ପ୍ରଶାସନ ପକ୍ଷରୁ ଏହି ବାଲିଘାଟ ଗୁଡିକ ଉପରେ ଚଢ଼ାଉ କରାଯାଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସେମାନେ ଦାବି କରିଛନ୍ତି । ସେହିପରି ଆମ୍ବୋ ବାଲିଘାଟରୁ ମଧ୍ୟ ବେ ଆଇନ ବାଲିପରିବହନ ହେଉଛି । ଆମ୍ବୋର ନିର୍ମାଣାଧିନ ପୋଲ ନିକଟରୁ ଦୈନିକ ଶହଶହ ଟ୍ରାକ୍ଟର ବେ ଆଇନ ଭାବେ ବାଲି ଚାଲାଣ କରୁଛନ୍ତି । ପ୍ରଶାସନ କିମ୍ବା ପୁଲିସ ପକ୍ଷରୁ ବେ ଆଇନ ବାଲିଘାଟ ଉପରେ ଚଢ଼ାଉ କରିବାକୁ ସାଧାରଣରେ ଦାବି ହେଉଛି ।


