ନୁଆସାହିରେ ଅଜଣା ରୋଗରେ ଗୋଟିଏ ମାସରେ ୧୭ମୃତ

ହାଟଡିହି, (ବିକାଶ ବିଶ୍ୱାଳ):ହାଟଡିହି ବ୍ଲକ ଧନୁର୍ଜୟପୁର ପଞ୍ଚାୟତର ନୁଆସାହି ଗ୍ରାମରେ ଅଜଣା ରୋଗରେ ପଡି ଗତ ମାସକ ମଧ୍ୟରେ ୧୭ଜଣ ଲୋକ ମୃତୁ୍ୟବରଣ କଲେଣି । ଯାହାକୁ ନେଇ ଗ୍ରାମରେ ଭୟ ଓ ଆଶଙ୍କାର ବାତାବରଣ ସୃଷ୍ଟି ହୋଇଛି । ଗ୍ରାମବାସୀଙ୍କ ଅଭିଯୋଗ ଅନୁଯାଇ ଏହି ଗ୍ରାମଟି ବଉଳା ଖଣି ଅଞ୍ଚଳରେ ଅବସ୍ଥିତ । ଏହି ଗାଁର ଲୋକମାନେ ନିକଟସ୍ଥ ଖଣିରେ କାମକରି ପେଟ ପୋଷୁଥିଲେ । ମାତ୍ର ଖଣି ବନ୍ଦ ହୋଇଯିବାପରେ ଏବେ ଲୋକମାନେ ନାନା ଅସୁବିଧାରେ କାଳ କାଟୁଛନ୍ତି । ବିେଷେ କରି ଆର୍ଥିକ ଅଭାବ ଅନାଟନ ସେମାନଙ୍କୁ ଘାରିଛି । କାମଧନ୍ଦା ନପାଇ ଅନେକ ଲୋକ ମୁଲ ମଜୁରୀ ପାଇଁ ବାହାର ରାଜ୍ୟକୁ ଦାଦନ ଖଟିବାକୁ ପଳାଇଛନ୍ତି । ଗାଁରେ ୪ଟି ନଳକୂପ ଅଛି । ଯାହାର ପାଣିକୁ ଲୋକମାନେ ପାନୀୟଜଳ ଭାବେ ବ୍ୟବହାର କରନ୍ତି । କିନ୍ତୁ ଗତ କିଛି ମାସ ହେବ ଅନେକ ଳୋକ ବିଭିନ୍ନ ରୋଗରେ ଆକ୍ରାନ୍ତ ହୋଇ ପଡିଛନ୍ତି । ଅଧିକାଶଂ ଲୋକ କିଡିନି ରୋଗରେ ପଡି ଅକାଳରେ ମୃତୁ୍ୟବରଣ କରୁଛନ୍ତି । ଏଠାରେ ପୁର୍ବରୁ ଡାକ୍ତରଖାନାଟିଏ ଥିବାବେଳେ ଏ ଅଞ୍ଚଳର ଲୋକମାନେ ଡାକ୍ତରଙ୍କୁ ଦେଖାଇ ଔଷଧପତ୍ର ଖାଇଥାନ୍ତି । କିନ୍ତୁ ଖଣି ବନ୍ଦ ହେବାପରେ ଡାକ୍ତରଖାନାଟି ବନ୍ଦ ହୋଇଯାଇଛି । ପାଖରେ ପଇସା ନଥିବାରୁ ଲୋକମାନେ ଦୁର ଦୁରାନ୍ତକୁ ଚିକିତ୍ସା ପାଇଁ ଯାଇ ପାରୁ ନାହାନ୍ତି । ଯାହାଦ୍ୱାରାକି ଗତ ମାସକ ଭିତରେ ମଣି ଡାକୁଆ ୬୦ବର୍ଷ, ଭାଷ୍କର ଡାକୁଆ ୫୦, ଜାନକୀ ଡାକୁଆ ୪୫, କମଳା ଡାକୁଆ ୪୫, ମିଞ୍ଜା ନାଇକ ୧୯, ସୁରେନ୍ଦ୍ର ନାଇକ ୫୦, ସୁରେନ୍ଦ୍ର ଗିରି ୪୫, ରାଣୀ ଗିରି ୪୦, ଅର୍ଜୁନ ନାଇକ ୨୮, ମେନକା ଗିରି ୨୯, କୈଳାଶ ଗିରି ୫୦, ବାସନ୍ତୀ ଗିରି ୪୫. ପାଣ୍ଡି ମହାକୁଡ ୪୫, ବାବୁଲି ମହାକୁଡ ୩୦, ରାମାଇ ମହାକୁଡ ୫୫, ବେଲ ଗିରି ୩୬ଙ୍କ ସମେତ ୧୭ଜଣ ଲୋକ ମୃତୁ୍ୟବରଣ କରିଛନ୍ତି । ଏବେବି ଗୋଲେଖ ଡାକୁଆ, ଭାଗବତ ମହାକୁଡ, ଶ୍ରୀମତୀ ଗିରି, ରମାକାନ୍ତ ବିଶ୍ୱାଳ, ଗୋପାଳ ଗିରି, ପୁର୍ଣ୍ଣ ପଦୁରିଆ, ସୁଦାମ ନାଇକଙ୍କ ଭଳି ଅନେକ ଲୋକ ଆକ୍ରାନ୍ତ ହୋଇ ଘରେ ପଡି ରହିଛନ୍ତି । ବିଭିନ୍ନ କମ୍ପାନୀର ଭୁତଳ ଖଣି ଗୁଡିକ ବନ୍ଦ ହୋଇଯାଇଥିବାରୁ ତା ମଧ୍ୟରେ ଥିବା ବିଭିନ୍ନ ସାମଗ୍ରୀ ନଷ୍ଟ ହୋଇ ପାଣି ସହିତ ମିଶୁଥିବାରୁ ନଳକୂପ ଗୁଡିକର ପାଣି ବିଷାକ୍ତ ହୋଇ ଏପରି ଘଟୁଥିବା ଗ୍ରାମବାସୀମାନେ ଆଶଙ୍କା କରୁଛନ୍ତି । ତୁରନ୍ତ ନଳକୂପର ପାଣିକୁ ପରୀକ୍ଷା କରିବା ସହିତ ଗାଁକୁ ଏକ ଡାକ୍ତରୀଦଳ ପଠାଇ ରୋଗୀ ମାନଙ୍କୁ ଚିକିତ୍ସା କରାଇବା ପାଇଁ ଅନିରୁଦ୍ଧ ନାଇକ, ଅନିତା ନାଇକ, ଚକ୍ରଧର ଡାକୁଆ, ରବିନ୍ଦ୍ର ଗିରି, ଅମିତ ନାଇକ, ଦେବାଶିଷ ନାଇକ, ଜମୁନା ପଇଦା ପ୍ରମୁଖ ଗ୍ରାମବାସୀମାନେ ଦାବି କରିଛନ୍ତି । ଏନେଇ ସେମାନେ ଏକ ଦାବିପତ୍ର ଜିଲ୍ଲାପରିଷଦ ଉପାଧ୍ୟକ୍ଷଙ୍କ ମାଧ୍ୟମରେ କେନ୍ଦୁଝର ଜିଲ୍ଲାପାଳଙ୍କୁ ଦେଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ