ନୁଡଲ୍ସରେ ଘର
ବେଜିଂ : ଆମେ ସମସ୍ତେ ସାଧାରଣତଃ ନୁଡଲ୍ସକୁ ଖାଦ୍ୟ ଭାବେ ବ୍ୟବହାର କରିଥାଉ । ହେଲେ ଚୀନର ଜଣେ ବ୍ୟକ୍ତି ନୁଡଲ୍ସରେ ଘର ନିର୍ମାଣ କରି ଚର୍ଚ୍ଚାକୁ ଆସିଛନ୍ତି । ଖୁବଶୀଘ୍ର ପିତା ହେବାକୁ ଯାଉଥିବା ଏହି ବ୍ୟକ୍ତି ତାଙ୍କ ଶିଶୁକୁ ଉପହାର ଦେବା ପାଇଁ ଏହି ଘର ନିର୍ମାଣ କରିଛନ୍ତି । ଝାଙ୍ଗ୍ ନାମକ ବ୍ୟକ୍ତି ଏହି ନିଆରା ଘର ତିଆରି କରିଛନ୍ତି । ଏହି ପ୍ଲେ-ହାଉସ ତିଆରି କରିବା ପରେ ସେ ଏହାର ଫଟୋ ସାମାଜିକ ଗଣମାଧ୍ୟମରେ ଶେୟାର କରିଥିଲେ । ଏହି ଫଟୋଗୁଡ଼ିକ ଭାଇରାଲ ହେବା ପରେ ସେ ଚର୍ଚ୍ଚାର ପରିସରକୁ ଆସିଥିଲେ । ଝାଙ୍ଗ୍ଙ୍କ କହିବା ଅନୁସାରେ, ସେ ଅବଧି ଶେଷ ହୋଇଯାଇଥିବା ୨୦୦୦ ନୁଡଲ୍ସ ପ୍ୟାକେଟ୍ ସାହାଯ୍ୟରେ ଏହି ଘରକୁ ତିଆରି କରିଛନ୍ତି । ସାଧାରଣତଃ ଘର ତିଆରି କରିବା ପାଇଁ ଇଟାର ବ୍ୟବହାର କରାଯାଇଥାଏ । ହେଲେ ଝାଙ୍ଗ୍ ନୁଡଲ୍ସକୁ ହିଁ ଇଟା ଭଳି ବ୍ୟବହାର କରି ଏହି ଘର ତିଆରି କରିଛନ୍ତି ।
୪ ବର୍ଗ ମିଟର ଅଞ୍ଚଳରେ ତିଆରି ହୋଇଥିବା ଏହି ଘରେ ଏକ ଖଟ ମଧ୍ୟ ରହିଛି । ଏହି ଖଟରେ ଜଣେ ବ୍ୟକ୍ତି ଆରାମରେ ଶୋଇପାରିବ । ଘରେ ଲାଇଟ୍ ମଧ୍ୟ ଲାଗିଛି । କେବଳ ଏତିକି ନୁହେଁ ସେ ଏହି ଘରେ ଝରକା ମଧ୍ୟ ତିଆରି କରିଛନ୍ତି । ଝାଙ୍ଗ୍ କହିଛନ୍ତି ଯେ, ତାଙ୍କର ଜଣେ ସାଙ୍ଗ ନୁଡଲ୍ସ ହୋଲସେଲର । ତାଙ୍କ ପାଖେ ଅବଧି ଶେଷ ହୋଇଯାଇଥିବା ବହୁତ ନୁଡଲ୍ସ ଥିଲା । ଖରାପ ହୋଇଯାଇଥିବା ଏହି ନୁଡଲ୍ସଗୁଡ଼ିକୁ ସେ ଫିଙ୍ଗି ଦେବାକୁ ଯାଉଥିଲେ । କିନ୍ତୁ ଝାଙ୍ଗ୍ ତାଙ୍କୁ ରୋକିଥିଲେ ଓ ସେହି ନୁଡଲ୍ସ ପ୍ୟାକେଟ୍ଗୁଡ଼ିକୁ ନେଇ ଏହି ଘର ତିଆରି କଲେ । ସାମାଜିକ ଗଣମାଧ୍ୟମରେ ଝାଙ୍ଗ୍ଙ୍କ ଏହି କାମକୁ କିଛି ଲୋକ ଖୁବ୍ ପ୍ରଶଂସା କରୁଥିବା ବେଳେ କିଛି ଲୋକ ଏହାର ସମାଲୋଚନା ମଧ୍ୟ କରୁଛନ୍ତି । ସମାଲୋଚନାପୂର୍ବକ କିଛି ଲୋକ କହିଛନ୍ତି ଯେ, ଅବଧି ଶେଷ ହୋଇଥିବା ଏହି ନୁଡଲ୍ସକୁ ଯଦି ଭୁଲବଶତଃ ଶିଶୁ ଖାଇଦିଏ ତେବେ ସମସ୍ୟା ସୃଷ୍ଟି ହୋଇଯିବ । ଆଉ କିଛି ଲୋକ କହିଛନ୍ତି, ଖରାପ ନୁଡଲ୍ସରେ ବିଭିନ୍ନ ପ୍ରକାରର କୀଟ ତଥା ଜୀବାଣୁ ଥାଆନ୍ତି । ଶିଶୁର ସ୍ୱାସ୍ଥ୍ୟ ଦୃଷ୍ଟିରୁ ଏହି ଘର ତିଆରି କରିବା ଉଚିତ ନୁହେଁ ।


