ନୂଆଖାଇ ଭେଟଘାଟ – ୨୦୨୪,ସମ୍ବଲପୁରୀ ନୃତ୍ୟରେ ଝୁମିଲେ ଦର୍ଶକ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ପାରଳାର ଅଗ୍ରଣୀ ନୃତ୍ୟ ଅନୁଷ୍ଠାନ ସମଲେଇ ନୃତ୍ୟକଳା ପରିଷଦ ଓ ଜିଲ୍ଲା ସଂସ୍କୃତି ପରିଷଦର ମିଳିତ ଆନୁକୂଲ୍ୟରେ ଜିଲ୍ଲା ସ୍ତରୀୟ ନୂଆଁଖାଇ ଭେଟଘାଟ – ୨୦୨୪ କାର୍ଯ୍ୟକ୍ରମ ସ୍ଥାନୀୟ ନଗର ଭବନ ଠାରେ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ରୂପେ ଗଜପତି ଜିଲ୍ଲାପାଳ ବିଜୟ କୁମାର ଦାଶ ଯୋଗଦେଇ ପ୍ରଦୀପ ପ୍ରଜ୍ବଳନ କରି ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ। ସମ୍ମାନିତ ଅତିଥି ରୂପେ ଅତିରିକ୍ତ ଜିଲ୍ଲାପାଳ ରାଜେନ୍ଦ୍ର ମିଞ୍ଜ, ମୁଖ୍ୟ କାର୍ଯ୍ୟ ନିର୍ବାହୀ ତଥା ଉନ୍ନୟନ ଅଧିକାରୀ ଜିଲ୍ଲାପରିଷଦ ଡ. ଗୁଣନିଧି ନାୟକ, ବିଶିଷ୍ଟ ସଙ୍ଗୀତ ନିର୍ଦ୍ଦେଶକ ଗୁରୁ ରଘୁନାଥ ପାତ୍ର, ପାରଳା ପୌର ପରିଷଦ ଅଧ୍ୟକ୍ଷା ନିର୍ମଳା ସେଠୀ , ଜିଲ୍ଲା ସଂସ୍କୃତି ଅଧିକାରୀ ଅର୍ଚ୍ଚନା କୁମାରୀ ମଙ୍ଗରାଜ , ଓଡ଼ିଆ ସଙ୍ଗୀତ ନାଟକ ଏକାଡେମୀ ପୁରସ୍କାର ପ୍ରାପ୍ତ ମଞ୍ଚକଳାର ଆଦର୍ଶ ଦାସ ଏବଂ ଅନୁଷ୍ଠାନର ସଭାପତି ନୃସିଂହ ଚରଣ ପଟ୍ଟନାୟକ ଯୋଗ ଦେଇ ନୂଆଁଖାଇ ଭେଟଘାଟ ବିଷୟରେ ଆଲୋକପାତ କରିଥିଲେ। ଅନୁଷ୍ଠାନର ସମ୍ପାଦକ ବାଳକୃଷ୍ଣ ପାଣିଗ୍ରାହୀ ସମ୍ପାଦକୀୟ ବିବରଣୀ ଉପସ୍ଥାପନା କରିଥିଲେ। ମଞ୍ଚାସିନ ଅତିଥି ମାନେ ନିଜ ବକ୍ତବ୍ୟରେ ଆୟୋଜକ ଅନୁଷ୍ଠାନ ଓ ସଂସ୍କୃତି ପରିଷଦର ଏହି ଉଦ୍ୟମକୁ ସାଧୁବାଦ ଜଣାଇବା ସହ ଯଦିଓ ଏହା ପଶ୍ଚିମ ଓଡ଼ିଶାର ଗଣପର୍ବ ହୋଇଥିଲେ ମଧ୍ୟ ଉପାନ୍ତ ପାରଳାଖେମୁଣ୍ଡିରେ ପାଳନ କରାଯାଉ ଥିବାରୁ ସେମାନେ ଆନନ୍ଦିତ ବୋଲି ପ୍ରକାଶ କରିଥିଲେ। ଏହି ଅବସରରେ ପାରଳାର ଅଗ୍ରଣୀ ଅନୁଷ୍ଠାନ ଭକ୍ତି ସଙ୍ଗୀତ ସଂସଦର ଛାତ୍ରୀମାନେ ପ୍ରାରମ୍ଭିକ ସଙ୍ଗୀତ ପରିବେଷଣ କରିଥିଲେ। ଏଥି ସହ ପାରଳାର ନୃତ୍ୟ ଭିତ୍ତିକ ଅନୁଷ୍ଠାନ ଶ୍ରୀ ଜଗନ୍ନାଥ ଓଡ଼ିଶୀ କଳା କେନ୍ଦ୍ର , ସମଲେଇ ନୃତ୍ୟକଳା ପରିଷଦ , ପଦାମୃତ ନୃତ୍ୟାୟନ ଓ ମିରାକଲ ଡ୍ୟାନ୍ସ ଅନୁଷ୍ଠାନ ପ୍ରଭୃତି ଆକର୍ଷଣୀୟ ସମ୍ବଲପୁରୀ ନୃତ୍ୟ ପରିବେଷଣ କରିଥିଲେ। ଅମୁଲ୍ୟ ପାଣିଗ୍ରାହି ସ୍ୱାଗତ ସମ୍ଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ଶୁଭ୍ରାଂଶୁ ଶେଖର ପଟ୍ଟନାୟକ ସାଂସ୍କୃତିକ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ। ସମସ୍ତ କାର୍ଯ୍ୟକ୍ରମ କୁ ଡି.ମୋହନ ରାଓ , ରାଜେନ୍ଦ୍ର ରଥ , ରଘୁନାଥ ପଟ୍ଟନାୟକ , ଡି. ପ୍ରିୟଙ୍କା , ସ୍ୱର୍ଣ୍ଣଲତା , ପାତ୍ର , ସ୍ନିଗ୍ଧାରାଣୀ ମିଶ୍ର , ଆରୁପାଞ୍ଜଳି ମହାନ୍ତି , ସୁଧା ରଞ୍ଜନ ପଟ୍ଟନାୟକ , ହରିହର ପଟ୍ଟନାୟକ , ସନ୍ତୋଷ ପାଟ୍ଟଯୋଶୀ ପ୍ରଭୃତି ସମସ୍ତ କାର୍ଯ୍ୟକ୍ରମ ପରିଚାଳନାରେ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ