ନୂଆବର୍ଷ ଆସିଲେ ପିଲାବେଳ କଥା ଭାରି ମନେପଡେ

ଦିପ୍ତିମୟୀ ନାୟକ
ନୂଆବର୍ଷ ଆସିଲେ ସମସ୍ତଙ୍କ ମନରେ ଗୋଟେ ଅଲଗା ପ୍ରକାରର ଖୁସିଥାଏ | କାରଣ କିଛି ଦୁଃଖ କଷ୍ଟ, ରାଗ-ରୁଷା, ମାନ-ଅଭିମାନକୁ ଭୁଲି ପ୍ରତ୍ୟେକ ଲୋକ ବନ୍ଧୁତାର ହାତ ବଢ଼େଇ ଦିଅନ୍ତି | ଏମିତିକି ଏହି ସମୟରେ ଶତ୍ରୁବି ମିତ୍ର ହୋଇଯାଏ ଆଉ କୁହେ କଣ ଅଛି ଏହି ଜୀବନରେ ଏତେ ମାନ-ଅଭିମାନ କରି ଲାଭ କଣ ଚାଲ ନୂଆବର୍ଷରେ ଏକାଠି ହେବା ନିଜ ମାନ-ଅଭିମାନକୁ ଭୁଲି ଆମେ ପୁଣି ନୂଆ ଆରମ୍ଭ କରିବା | ନା ସେ ଆରମ୍ଭରେ ଗର୍ବ ଅହଂକାର ଥିବ ନା ସେ ଆରମ୍ଭରେ କେବେ ପୂର୍ଣଚ୍ଛେଦ ପଡିବ | ତେବେ ନୂଆ ବର୍ଷକୁ ଖାଲି ନୂଆ ଆରମ୍ଭ କହିଲେ ହେବନି ବରଂ ଏହି ଆରମ୍ଭରେ ମଣିଷର କିଛି ଆଶା ଆକାଂକ୍ଷା ଥାଏ | ଯେବେ ଯେବେ ମଣିଷ କିଛି ନୂଆ ଭାବେ ସେବେସେଵେ ତା ଭାବନାର ମଧ୍ୟ ପରିବର୍ତ୍ତନ ହୋଇଯାଏ | କିନ୍ତୁ ପିଲାବେଳର କିଛି ଅଭୁଲା ସ୍ମୃତି ସବୁବେଳେ ନୂଆ ବର୍ଷକୁ ମନରେ ତାଜା ରଖିଥାଏ | କାରଣ ଆମେ ସିନା ଆମ ଜୀବନକୁ ନୂଆ ଆରମ୍ଭ କରିବାର ସଂକଳ୍ପ ଦେଇଦେବା କିନ୍ତୁ ସେହି ନୂଆ ଭିତରେ ପୁରୁଣା ସ୍ମୃତି ସବୁବେଳେ ଆମ ମନରେ ଅଭୁଲା ରହିବ |ତେବେ ଏହି ନୂଆବର୍ଷ ନିଜ ଜୀବନରେ ଅନେକ କାହାଣୀ ଯୋଡି ଦେଇଥାଏ | ଆଉ ସେହି କାହାଣୀ ଗୁଡିକ କେବେ କାଳ୍ପନିକର ରୂପ ନେଇଥାଏ ତ ଆଉ କେବେ ବାସ୍ତବ ଜୀବନର କିଛି ଘଟଣା | ଯାହା ଅନେକ ସମୟରେ ହସାଇଥାଏ ଏବଂ କନ୍ଦାଇ ଦେଇଥାଏ ମଧ୍ୟ | ତେବେ ଏସବୁ ଜୀବନର କିଛି କିଛି ପରିବର୍ତ୍ତନ କହିଲେ ଏହାକୁ କିଛି ଭୁଲ ହେବନି | ସମୟ ଯେତେ ପରିବର୍ତ୍ତନ ହେଲେ ଆଜିବି କିଛି ଅଭୁଲା ସ୍ମୃତି ମନେ ପଡ଼ିଯାଏ | ସେ ଗ୍ରୀଟିଙ୍ଗସ ଦେବା ହେଉ କିମ୍ବା ନିଜ ସାଙ୍ଗକୁ ପାଖରେ ପାଇ ନୂଆ ବର୍ଷର ସେହି ପୁରୁଣା କାଳ ଢଗ ହେଉ | ଆଜିବି ସେକଥା ସବୁ ଭାରି ନିଆରା ଲାଗେ | ତେବେ ଆଜିର ଏହି ଟେକନୋଲୋଜି ଯୁଗରେ ଫେସବୁକ, ୱାଟସଆପ, ଇନଷ୍ଟାଗ୍ରାମ ଏମିତି କି ଅନେକ ସୋସିଆଲ ଆପ ମାଧ୍ୟମରେ ସାଙ୍ଗସାଥୀଙ୍କୁ ଶୁଭେଚ୍ଛା ଜଣିଆଯାଉଛି | କିନ୍ତୁ ଦିନ ଥିଲା ସାଙ୍ଗ ପାଖକୁ ଯାଇ ନିଜ ଗ୍ରୀଟିଙ୍ଗସ ଦେବାର ମଜା କିଛି ଅଲଗା ଥିଲା କାରଣ ସେହି ଗ୍ରୀଟିଙ୍ଗସରେ ମଧ୍ୟ ଅନେକ ଢଗ ଥିଲା ଯାହାକୁ ଦେଖୁ ଦେଖୁ ଓଠରେ ଗୋଟେ ଲମ୍ବା ହସ ଆସିଯାଉଥିଲା |ହୁଏତ କ୍ୟାଲେଣ୍ଡରରେ ବର୍ଷ ପରେ ବର୍ଷ ବିତିଯାଏ | କିନ୍ତୁ ଆଜିବି ସେହି ଅଭୁଲା ଦିନ ବାରମ୍ବାର ମନେ ପଡ଼ିଯାଏ | ହୁଏତ ଆଜିର ଏହି ମୋବାଇଲ ଯୁଗରେ ଗ୍ରୀଟିଙ୍ଗସର ଚାହିଦା କମିଯାଇଛି କିନ୍ତୁ ସ୍ମୃତି ସବୁବେଳେ ମନରେ ଉଦ୍ଜୀବିତ ରହିଛି | ହୁଏତ ମୋବାଇଲରେ ହାପି ନିୟୁର କିମ୍ବା ନୂତନ ବର୍ଷର ଅଭିନନ୍ଦନ ଲେଖା ଯାଉଛି ହେଲେ ସେହି ଛୁଆବେଳେ ଗ୍ରୀଟିଙ୍ଗସ ପଛରେ ଲେଖାଥିବା ଢଗ ଆଜିବି ବହୁତ ମନେ ପଡୁଛି | ଯେମିତିକି ନୂଆ ବର୍ଷ ଆସିଲା ବୋଲି ଗରିବ ସାଙ୍ଗକୁ ନଯିବ ଭୁଲି , ମନ ସଫା ମୋର ହୃଦୟ ଖାଲି ନୂଆ ବର୍ଷର ମୁଁ ଶୁଭେଚ୍ଛା ଦେଲି, ହାତୀ ଚାଲେ ଧମ ଧମ ସାଙ୍ଗକୁ ମୋର ୱେଲକମ, ଅରୁଆ ଭାତକୁ ଟମାଟୋ ଖଟା ସାଙ୍ଗକୁ ମୋର ଠିଆ ଗୋଇଠା ଏମିତି ଅନେକ ଢଗ ଅଛି ଯାହା ଆଜିବି ନୂଆ ବର୍ଷ କଥା ଭାବିଲେ ସେହି ପୁରୁଣା ଦିନର ପୁରୁଣା ସ୍ମୃତି ଭାରି ମନେ ପଡିଯାଉଛି | ତେବେ ଆଉ ଦିନକ ପରେ ନୂଆବର୍ଷ | ତେଣୁ ବର୍ଷ ପୁରୁଣା ହେଉଯାଉ ହେଲେ ପ୍ରତ୍ୟେକଟି ସମ୍ପର୍କ ଏହି ଅଭୁଲା ସ୍ମୃତି ଭଳି ସବୁବେଳେ ମନେ ରହିଥାଉ |
ଯୁବ ସାମ୍ବାଦିକା
ଦିପ୍ତିମୟୀ ନାୟକ

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ