ନୂଆମଠ ଠାରେ ରାତ୍ରୀଯାପନ କଲେ ପ୍ରାଚୀ ପରିକ୍ରମା ପଦଯାତ୍ରୀ
ନିମାପଡ଼ା, (ସନ୍ତୋଷ ଦାଶ):ପୁଣ୍ୟତୋୟା ପ୍ରାଚୀ ନଦୀର ମାହାତ୍ମ୍ୟ ସମ୍ପର୍କ ରେ ଜନସାଧାରଣ ଙ୍କୁ ଅବଗତ କରାଇବା, ଅବକ୍ଷୟମୁଖୀ ପ୍ରାଚୀ ନଦୀ ର ପୁନଃରୁଦ୍ଧାର କରିବା, ପୁର୍ବପରି ପ୍ରାଚୀ ନଦୀ କୁ ସୁନାବ୍ୟା କରିବା ପ୍ରଭୃତି ଦାବି ରେ ପ୍ରାଚୀ ସଂସ୍କୃତି ସୁରକ୍ଷା ପରିଷଦ ର ତତ୍ବାବଧାନରେ ପରମହଂସ ପ୍ରଜ୍ଞାନାନନ୍ଦ ଗିରି ମହାରାଜ ଙ୍କ ନେତୃତ୍ଵ ରେ ଗତ ୨୯ ତାରିଖ ଠାରୁ ପ୍ରାଚୀ ଉପତ୍ୟକା ର ପ୍ରସିଦ୍ଧ ଅନ୍ଧ କପିଳେଶ୍ୱର ଶିବ ମନ୍ଦିର ଠାରୁ ପ୍ରାଚୀ ପରିକ୍ରମା ପଦଯାତ୍ରା ଆରମ୍ଭ ହୋଇଥିଲା । ପଦଯାତ୍ରୀ ମାନେ ଅସ୍ତରଙ୍ଗ ର କେଉଟଜଙ୍ଗା ନିକଟସ୍ଥ କେଳୁଣି ମୁହାଁଣ ଠାରେ ପହଞ୍ଚିବା ପରେ ସେଠାରୁ ପଦଯାତ୍ରା ଆରମ୍ଭ ସ୍ଥାନ କୁ ପ୍ରତ୍ୟାବର୍ତ୍ତନ କରୁଛନ୍ତି। ସୋମବାର ଦିନ ପଦଯାତ୍ରୀ ମାନେ କେଉଟଜଙ୍ଗା ଠାରୁ ବାହାରି ତେନ୍ତୁଳିଆ ମଠ, ଉଛବ ନିବାସ ଦେଇ ସଂଧ୍ୟା ରେ ପ୍ରାଚୀ ନଦୀ ର ରାମେଶ୍ବର ଘାଟ ଠାରେ ପହଞ୍ଚି ଥିଲେ। ସେଠାରେ ପ୍ରାଚୀ ସରସ୍ବତୀ ଙ୍କୁ ପୂଜା କରାଯିବାସହିତ ପ୍ରାଚୀ ଆଳତୀ ଅନୁଷ୍ଠିତ ହୋଇଥିଲା। ଶେଷରେ ପଦଯାତ୍ରୀ ମାନେ ନୂଆ ମଠ ଠାରେ ପହଞ୍ଚି ରାତ୍ରୀଯାପନ କରିଥିଲେ। ନୂଆ ମଠ ଠାରେ ମଠ ପକ୍ଷରୁ ଭଜନ, କୀର୍ତ୍ତନ, ସଙ୍କୀର୍ତ୍ତନ, ଜଣାଣ ପ୍ରଭୃତି ଅନୁଷ୍ଠିତ ହୋଇଥିଲା। ମଙ୍ଗଳବାର ଦିନ ପଦଯାତ୍ରୀ ମାନେ ନୂଆ ମଠ ଠାରୁ ବାହାରି ଗଡ଼ ଅମର ପ୍ରସାଦ ର କ୍ଷୀର ଗଛ ମଠ, ଶଙ୍ଖପଡ଼ା ଦେଇ ଦେଉଳିଧରପୁର ର ବୁଦ୍ଧେଶ୍ୱର ମନ୍ଦିର ରେ ପହଞ୍ଚି ସେଠାରେ ରାତ୍ରୀ ଯାପନ କରିବେ।ବୁଧବାର ଦିନ ସେଠାରୁ ପଦଯାତ୍ରୀ ମାନେ ବାହାରି ଅନ୍ତର୍ବେଦି ମଠ ଦେଇ ପଦଯାତ୍ରା ଆରମ୍ଭ ସ୍ଥାନ କପିଳେଶ୍ୱର ମନ୍ଦିର ରେ ପହଞ୍ଚିବା ପରେ ସେଠାରେ ବିଶ୍ଵଶାନ୍ତି ମହାଯଜ୍ଞ ରେ ପୂର୍ଣ୍ଣାହୂତି ପ୍ରଦାନ ପରେ ଆନୁଷ୍ଠାନିକ ଭାବେ ତ୍ରୟୋଦଶ ପ୍ରାଚୀ ପରିକ୍ରମା ର ଉଦଯାପନ ହେବ ବୋଲି ପଣ୍ତିତ ଚିତ୍ତରଞ୍ଜନ ମିଶ୍ର ପ୍ରକାଶ କରିଛନ୍ତି। ଉକ୍ତ ପଦଯାତ୍ରା ପୂଜ୍ୟ ପରମହଂସ ପ୍ରଜ୍ଞାନାନନ୍ଦଜୀ ଓ ନୂଆମଠ ର ନାମାଚାର୍ଯ୍ୟ ବାବାଜୀ ଦାମୋଦର ଦାସ ଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଅନୁଷ୍ଠିତ ହୋଇଥିଲା।


