ନୂଆ ଜଳବାୟୁର ସଂକେତ

ଋତୁ ଚକ୍ରରେ ସାଧାରଣତଃ ଆମ ଦେଶରେ ମାର୍ଚ୍ଚ ମାସରୁ ଜୁନ ମାସ ପର୍ଯ୍ୟନ୍ତ ଚାରିମାସକୁ ଗ୍ରୀଷ୍ମଋତୁ କୁହାଯାଇଥାଏ । ଗ୍ରୀଷ୍ମ ଋତୁର ଶେଷ ଆଡକୁ ଅର୍ଥାତ ଶେଷ ଦୁଇ ମାସରେ ଅସହ୍ୟ ଗ୍ରୀଷ୍ମ ପ୍ରବାହ ହୋଇଥାଏ । ତାପମାତ୍ରା ୪୦ଡିଗ୍ରୀ ସେଲସିୟସ୍ ଅତିକ୍ରମ କରିଥାଏ । କିନ୍ତୁ ଚଳିତ ବର୍ଷ ଫେବୃୟାରୀ ମାସରେ ଦେଶର ବିଭିନ୍ନ ଭାଗରେ ଅସହ୍ୟ ଗ୍ରୀଷ୍ମପ୍ରବାହ ଅନୁଭୂତ ହୋଇଛି । ଫେବୃୟାରୀ ମାସର ଶେଷ ସପ୍ତାହରେ ଗୋଆ, ମହାରାଷ୍ଟ୍ର, ତେଲେଙ୍ଗାନା, ଓଡିଶା ଆଦି କେତେକ ରାଜ୍ୟରେ ଦିନର ତାପମାତ୍ରା ୪୦ଡିଗ୍ରୀ ସେଲସିୟସ ଅତିକ୍ରମ କରିଥିବା ସରକାରୀ ରିପୋର୍ଟରେ କୁହାଯାଇଛି । ଫେବୃୟାରୀ ମାସ ସାରା ଦେଶର ୩୧ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଂଚଳରେ ରାତ୍ରିର ତାପମାତ୍ରା ସ୍ୱାଭାବିକଠାରୁ ୧ଡିଗ୍ରୀ ସେଲସିୟସ ଅଧିକ ଥିବାବେଳେ ୨୨ଟି ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଂଚଳର ରାତ୍ରିର ତାପମାତ୍ରା ସ୍ୱାଭାବିକଠାରୁ ୩ରୁ ୫ଡିଗ୍ରୀ ସେଲସିୟସ ଅଧିକ ରହିଥିଲା । କହିବା ବାହୁଲ୍ୟ ଯେ, ଭାରତୀୟ ପାଣିପାଗ ବିଭାଗ (ଆଇଏମଡି) ସାଧାରଣତଃ ଫେବୃୟାରୀ ମାସକୁ ‘ଶୀତ ଋତୁ’ ଶ୍ରେଣୀଭୁକ୍ତ କରିଛି । ଏବେ ଫେବୃୟାରୀ ମାସରେ ଅସହ୍ୟ ଗ୍ରୀଷ୍ମ ପ୍ରବାହ ତଥା ଦିନର ତାପମାତ୍ରା ୪୦ଡିଗ୍ରୀ ସେଲସିୟସ୍ ଅତିକ୍ରମ କରିବା ନିଶ୍ଚିତ ଭାବେ ଏକ ନୂଆ ପ୍ରକାରର ଜଳବାୟୁର ସଂକେତ ପ୍ରଦାନ କରୁଛି ବୋଲି କୁହାଯାଇପାରିବ । ଉଲ୍ଳେଖଯୋଗ୍ୟ ଯେ, ବିଶ୍ୱ ତାପମାତ୍ରା ବୃଦ୍ଧି ସାଙ୍ଗକୁ ଜଳବାୟୁରେ ଅସ୍ୱାଭାବିକ ପରିବର୍ତନକୁ ଦୃଷ୍ଟିରେ ରଖି ବୈଜ୍ଞାନିକମାନେ ବିଶ୍ୱ ତଥା ଆନ୍ତର୍ଜାତିକ ତାପମାତ୍ରା ଅସ୍ୱାଭାବିକ ଭାବେ ବଢିବା ନେଇ ଦୀର୍ଘ ଦିନରୁ ସତର୍କ କରାଇ ଦେଇଛନ୍ତି । ଉଭୟ ସ୍ଥଳ ଓ ଜଳଭାଗ (ସମୁଦ୍ର)ରେ ତାପମାତ୍ରା ବୃଦ୍ଧି ପାଇବା ସହ ଅସହ୍ୟ ଗ୍ରଷ୍ମ ପ୍ରବାହ (ହିଟୱେଭ୍‌) ଲାଗି ରହିବ । ଏହାର ପରିଣତି ଯେ, ଅତ୍ୟନ୍ତ ଭୟାବହ ହେବା ନେଇ ବୈଜ୍ଞାନିକମାନେ ଚେତାବନୀ ଦେଇ କହିଛନ୍ତି ଯେ, ସମ୍ଭାବ୍ୟ ପରିସ୍ଥିତିର ମୁକାବିଲା ପାଇଁ ରାଷ୍ଟ୍ରମାନଙ୍କୁ ବେଳହୁଁ ସାବଧାନ ହେବ । ବିଶେଷ କରି ଭୂମିକମ୍ପ,ବନ୍ୟା, ସାମୁଦ୍ରିକ ବାତ୍ୟାର ମୁକାବିଲା ପାଇଁ ରାଷ୍ଟ୍ରମାନେ ଯେପରି ଯୋଜନାବଦ୍ଧ ଭାବେ ଆଗୁଆ ସତର୍କତା ଏବଂ ଯୋଜନା ପ୍ରସ୍ତୁତ କରିଥାନ୍ତି, ସେହିପରି ସମ୍ଭାବ୍ୟ ହିଟ୍‌ୱେଭ୍‌ର ମୁକାବିଲା ପାଇଁ ଯୋଜନା ପ୍ରସ୍ତୁତ କରିବା ଉପରେ ଗୁରୁତ୍ୱ ଆରୋପ କରିଛନ୍ତି । ଆମ ଦେଶରେ ଗତ କିଛି ଦଶନ୍ଧି ଧରି ଗ୍ରୀଷ୍ମ ପ୍ରବାହ ଅସହ୍ୟ ହେଉଥିବାବେଳେ ବର୍ତମାନ ସୁଦ୍ଧା ଏହାର ମୁକାବିଲା ପାଇଁ ବର୍ତମାନ ସୁଦ୍ଧା ସରକାର କିମ୍ବା ସ୍ଥାନୀୟ ପ୍ରଶାସନ କୌଣସି ଯୋଜନା ପ୍ରସ୍ତୁତ କରିନଥିଲା ମନେହୁଏ । ‘ସଷ୍ଟେନବୁଲ ଫ୍ୟୁଚର କୋଲାବୋରେଟିଭି’ ପକ୍ଷରୁ ପ୍ରକାଶିତ ୯ଟି ସହରରେ କରାଯାଇଥିବା ସର୍ଭେ ରିପୋର୍ଟରେ କୁହାଯାଇଛି ଯେ, କୌଣସି ଗୋଟିଏ ହେଲେ ସହରରେ ହିଟୱେଭ୍ ମୁକାବିଲା ପାଇଁ ଦୀର୍ଘ ମିଆଦି ଯୋଜନା ପ୍ରସ୍ତୁତ କରିନାହାଁନ୍ତି । ତେବେ ସବୁ ଯୋଜନା ପ୍ରସ୍ତୁତ କରିଛନ୍ତି, ତାହା ସାମୟିକ ଜରୁରୀକାଳୀନ ଯୋଜନା । ବିଶେଷ କରି ପାନୀୟ ଜଳଯୋଗାଣ, ଶ୍ରମିକଙ୍କ କାର୍ଯ୍ୟ ନିର୍ଘଂଟ, ହସ୍‌ପିଟାଲଗୁଡିକରେ ଆଶୁ ଚିକିତ୍ସା ସୁବିଧା ପ୍ରଦାନରେ ସୀମିତ । ତେବେ ଗୁରୁତ୍ୱପୂର୍ଣ୍ଣ ଦୀର୍ଘ ମିଆଦୀ ଯୋଜନା ତଥା ଅସହ୍ୟ ଗ୍ରୀଷ୍ମ ପ୍ରବାହରେ କ୍ଷତିଗ୍ରସ୍ତ ଶ୍ରମିକଙ୍କୁ ସହାୟତା, ଅଗ୍ନି ନିରୋଧ ପରିଚାଳନାରେ ଉନ୍ନତି, ନିରବଚ୍ଛିନ୍ନ ବିଦ୍ୟୁତ ଯୋଗାଣ, ଜନସାଧାରଣଙ୍କ୍‌ୁ ଶୀତଳ ବାୟୁପ୍ରଦାନ ପାଇଁ ବ୍ୟବସ୍ଥା ଜରୁରୀ । ସେହିପରି ବ୍ୟାପକ ବୃକ୍ଷରୋପଣ, ତାତି ହ୍ରାସ ପାଇଁ ଖୋଲାସ୍ଥାନର ବ୍ୟବସ୍ଥା, ଶୀତଳ ବାୟୁ ପ୍ରଦାନ ପାଇଁ ଛାତ ଉପରେ ସୋଲାର ବ୍ୟବସ୍ଥା କରାଯିବା ଆବଶ୍ୟକ । ଅନ୍ୟପକ୍ଷରେ ବିଶ୍ୱ ତାପମାତ୍ରା ନିୟନ୍ତ୍ରଣ ପାଇଁ ଆନ୍ତର୍ଜାତିକ ସ୍ତରରେ ରାଷ୍ଟ୍ର ସମୂହ ଜରୁରୀକାଳୀନ ଭିତିରେ ଉଦ୍ୟମ କରିବା ଆବଶ୍ୟକ । ବିଶେଷ କରି ବାୟୁମଣ୍ଡଳରେ ଅଙ୍ଗାରକାମ୍ଲ ଗ୍ୟାସ ହ୍ରାସ, କିନ୍ତୁ ଏଥିଲାଗି ୨୦୧୫ ପ୍ୟାରିସ ଜଳବାୟୁ ଶିଖର ବୈଠକରେ ଘୋଷଣାନାମା ପ୍ରକାଶ ପାଇଥିବା ସତ୍ୱେ ରାଷ୍ଟ୍ରଗୁଡିକ ବିଶେଷ କରି ପଦକ୍ଷେପ ନେଇଥିବା ମନେହୁଏ ନାହିଁ । ବିଶ୍ୱ ଜଳବାୟୁ ସମ୍ମିଳନୀରୁ ଆମେରିକା ଓହରିଯିବା ଏକ ଶକ୍ତ ଧକ୍କା ସୃଷ୍ଟି କରିଛି । ଉଲ୍ଳେଖଯୋଗ୍ୟ ଯେ, ବିଶ୍ୱ ତାପମାତ୍ରା ୧.୫ଡିଗ୍ରୀ ବୃଦ୍ଧି ପାଇଛି । ଆଗକୁ ଯଦି ରାଷ୍ଟ୍ର ମୂହ ଦୀର୍ଘ ମିଆଦୀ ସତର୍କତାମୂଳକ ପଦକ୍ଷେପ ଗ୍ରହଣ ନକରନ୍ତି, ତେବେ ଭବିଷ୍ୟତରେ ବିଶ୍ୱ ତାପମାତ୍ରା ଆହୁରି ବୃଦ୍ଧି ପାଇବ । ଏହା ନିସନ୍ଦେହ ଯେ, ବିଶ୍ୱ ତାପମାତ୍ରା ଆହୁରି ବୃଦ୍ଧି ପାଇବ । ଏହା ନିସନ୍ଦେହ ଯେ, ବିଶ୍ୱ ତାପମାତ୍ରା ବୃଦ୍ଧି ତଥା ଜଳବାୟୁ ପରିବର୍ତନ ଯୋଗୁଁ ବନ୍ୟା, ବାତ୍ୟା, ମରୁଡି, ଅଦିନିଆବର୍ଷା, ଆଗୁଆ ଗ୍ରୀଷ୍ମପ୍ରବାହ, ଋତୁଚକ୍ରରେ ଅସ୍ୱାଭାବିକ ପରିବର୍ତନ ଆଦି ପ୍ରାକୃତିକ ବିପର୍ଯ୍ୟାୟ ବଢୁଛି । ଭାରତ ବାରମ୍ବାର ପ୍ରାକୃତିକ ବିପର୍ଯ୍ୟାୟର ଶିକାର ହୋଇଛି । ହିଟୱେଭ୍ ଏବଂ ବିଶ୍ୱତାପମାତ୍ରା ମୁକାବିଲା ପାଇଁ ଆସନ୍ତା ନଭେମ୍ବରରେ ବ୍ରାଜିଲରେ ଅନୁଷ୍ଠିତ ହେବାକୁ ଯାଉଥିବା ଜଳବାୟୁ ପରିବର୍ତନ ସମ୍ମିଳନୀ (କୋପ୍ ୩୦) ପୂର୍ବରୁ ଦୀର୍ଘମିଆଦି ଯୋଜନା ପ୍ରସ୍ତୁତ କରିବାକୁ ହେବ । ଅନ୍ୟଥା ପ୍ରାକୃତିକ ବିପର୍ଯ୍ୟାୟର ସମ୍ମୁଖୀନ ହେବା ସାର ହେବ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ