ନୂଆ ତିଆରି ହେବ ଶ୍ରୀଜୀଉଙ୍କ ପଦ୍ମ ପାଖୁଡ଼ା

ପୁରୀ: ପଦ୍ମବେଶ ତଥା ଶ୍ରୀମନ୍ଦିର ବିଭିନ୍ନ ଯାନିଯାତ୍ରାର ବେଶରେ ତିନି ଠାକୁରଙ୍କ ଶ୍ରୀମୁଖ ମଣ୍ଡନ କରୁଥିବା ୯୦ଟି ପଦ୍ମପାଖୁଡା ନଷ୍ଟ ହୋଇଯାଇଛି । ଏହି ପାଖୁଡାଗୁଡ଼ିକ ମରାମତି ପାଇଁ ପ୍ରସ୍ତାବ ଆସିଛି । ପାଖୁଡ଼ା ମରାମତି ପାଇଁ ଅନ୍ୟୁନ ଦେଢ଼କିଲୋ ସୁନା ଏବଂ ଦେଢ଼ କିଲୋ ରୁପା ଆବଶ୍ୟକ । ଏସବୁ ନଷ୍ଟ ହୋଇଥିବା ବେଳେ ସେବାୟତମାନେ ଛତିଶା ନିଯୋଗ ବୈଠକରେ ମତ ରଖି ମରାମତି ପ୍ରସ୍ତାବ ଦେଇଥିଲେ । ଏହି ପ୍ରସ୍ତାବ ଉପରେ କାର୍ଯ୍ୟାନୁଷ୍ଠାନ କରିବାକୁ ପରିଚାଳନା କମିଟିର ଅନୁମୋଦନ ଲୋଡ଼ାଯାଇଛି ।
ପ୍ରସ୍ତାବରେ ଦର୍ଶାଯାଇଛି ଶହ ଶହ ବର୍ଷ ପୂର୍ବେ ନିର୍ମିତ ପଦ୍ମପାଖୁଡ଼ାଗୁଡ଼ିକ ମଧ୍ୟରୁ ଅନେକ ନଷ୍ଟ ହୋଇଯାଇଛି । ସାନି ମରାମତି ଜରୁରୀ । ଛତିଶା ନିଯୋଗ ବୈଠକ ଆଲୋଚନା ବେଳେ କେବଳ କେତେଗୋଟି ପାଖୁଡ଼ା ମରାମତି ନକରି ସମସ୍ତ ପାଖୁଡ଼ାଗୁଡ଼ିକ ମରାମତି କରାଯାଉ ବୋଲି ପ୍ରସ୍ତାବ ଦିଆଯାଇଛି । ମରାମତି ପାଇଁ ବିଭିନ୍ନ ବ୍ୟାଙ୍କରେ ଜମା ରହିଥିବା ଦାନ ସୁନା ଓ ରୁପାକୁ ବିନିଯୋଗ କରିବାକୁ ପରିଚାଳନା କମିଟିକୁ ପ୍ରସ୍ତାବ ଦିଆଯାଇଛି । ପଦ୍ମପାଖୁଡା ମରାମତିରେ ଦେଢ଼ କିଲୋ ସୁନା ଓ ଦେଢ଼ କିଲୋ ରୁପା ଆବଶ୍ୟକ । ଏହାର ମରାମତି ପାଇଁ ବ୍ୟାଙ୍କ ଲକରରେ ଜମା ରହିଥିବା ସୁନା ଓ ରୂପାକୁ ବିନିଯୋଗ କରାଯାଉ । ଉଲ୍ଲେଖଯୋଗ୍ୟ ଯେ ମହାପ୍ରଭୁଙ୍କ ଦାନରେ ମିଳିଥିବା ୧୬ କିଲୋ ସୁନା ଏବଂ ୨୭୨ କିଲୋ ରୁପା ବିଭିନ୍ନ ବ୍ୟାଙ୍କ ଲକରରେ ରଖାଯାଇଛି । କାର୍ତ୍ତିକ ପୂର୍ଣ୍ଣିମାରେ ରତ୍ନବେଦିରେ ମହାପ୍ରଭୁଙ୍କ ସୁନାବେଶ ବେଳେ ସୁବର୍ଣ୍ଣ ଅଳଙ୍କାର ନଷ୍ଟ ହୋଇଥିବାର ସେବାୟତମାନେ ଦେଖିବାକୁ ପାଇଥିଲେ । ଏହି ରିପୋର୍ଟ ଶ୍ରୀମନ୍ଦିର ପ୍ରଶାସନକୁ ଦିଆଯାଇଛି ସେହି ସମୟରେ ହିଁ ସେବାୟତମାନେ ଅଳଙ୍କାରଗୁଡ଼ିକୁ ମରାମତି ଦାବି କରିଥିଲେ । ବ୍ୟାଙ୍କ ଲକରରେ ଜମା ଥିବା ଶ୍ରୀମନ୍ଦିରର ଦାନ ସୁନାକୁ ଗୋଲ୍ଡବଣ୍ଡ ଭଳି ବିଭିନ୍ନ ଉପାର୍ଜନ ବୃଦ୍ଧି ସ୍କିମରେ ପୁନଃ ବିନିଯୋଗ କରାଯିବ ବୋଲି ଶ୍ରୀମନ୍ଦିର ପରିଚାଳନା କମିଟି ନିଷ୍ପତ୍ତି ନେଇଛି । ମୁଖ୍ୟ ପ୍ରଶାସକ କ୍ରିଷନ କୁମାର ଗତ ୨୦ ତାରିଖରେ ଗଣମାଧ୍ୟମକୁ ଏହା ସୂଚନା ଦେଇଥିଲେ । ଏହି ପୃଷ୍ଠଭୂମିରେ ମହାପ୍ରଭୁଙ୍କ ସୁବର୍ଣ୍ଣ ଅଳଙ୍କାର ମରାମତିର ଗୁରୁତ୍ୱ ବଢ଼ିଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ