ନୂଆ ପେନସନ୍ ଯୋଜନାକୁ ବିରୋଧ କରି ଓ ପୁରୁଣା ପେନସନ୍ ଦାବିରେ ସଂଗ୍ରାମପାଇଁ ପ୍ରତିରକ୍ଷା କର୍ମଚାରୀଙ୍କ ପ୍ରତିଜ୍ଞାପାଠ
ବାଲେଶ୍ୱର, (ସରୋଜ ପଣ୍ଡା):ପବିତ୍ର ଗାନ୍ଧିଜୟନ୍ତୀ ଅବସରରେ ବାଲେଶ୍ୱର ଷ୍ଟେସନଛକ ନିକଟସ୍ଥ ପ୍ରୁଫ୍ ଫାଟକ ସମ୍ମୁଖରେ ଅଲ୍ ଇଣ୍ଡିଆ ଡିଫେନ୍ସ ଏମ୍ପ୍ଲୟିଜ୍ ଫେଡେରେସନ୍ ଆହ୍ୱାନ କ୍ରମେ ପୁରୁଣା ପେନସନ୍ ପାଇବା ପାଇଁ ଦେଶବ୍ୟାପୀ ଚାଲିଥିବା ସରକାରୀ କର୍ମଚାରୀଙ୍କ ଆନ୍ଦୋଳନରେ ସହଯୋଗ କରିବାପାଇଁ ଗାନ୍ଧିଜୀଙ୍କ ଫଟୋଚିତ୍ର ନିକଟରେ ପ୍ରତିଜ୍ଞାପତ୍ର ପାଠ କରି ଶପଥ ଗ୍ରହଣ କରିଥିଲେ । ଗତ ୨୦୦୪ ମସିହାରୁ ପ୍ରଣୀତ ଏନ୍.ପି.ଏସ୍. ଏବଂ ଚଳିତ ବର୍ଷର ୟୁ.ପି.ଏସ୍. ଯୋଜନାକୁ ଦୃଢ଼ ବିରୋଧ କରାଯିବ ବୋଲି ଶତାଧିକ ଶ୍ରମିକ ଶପଥ ଗ୍ରହଣ କରିଛନ୍ତି ।ପ୍ରତିଜ୍ଞାପତ୍ର ପାଠ ଓ ଶପଥ ଗ୍ରହଣ କାର୍ଯ୍ୟକ୍ରମରେ ପ୍ରତିରକ୍ଷା କର୍ମଚାରୀ ସମନ୍ୱୟ ସମିତିର ସଭାପତି ଜଗଦୀଶ ବାରିକ, ସମ୍ପାଦକ ହରେକୃଷ୍ଣ ଚାନ୍ଦଙ୍କ ସମେତ ଜାତୀୟ ଫେଡେରେସନ୍ର କାର୍ଯ୍ୟକାରୀ ସଦସ୍ୟ ତଥା ଏମ୍ଇଏସ୍ ଶ୍ରମିକ ସଂଘର ସଂପାଦକ ଦେବବ୍ରତ ଜେନା, ସଭାପତି ସୂର୍ଯ୍ୟନାରାୟଣ ଦାସ, ପ୍ରୁଫ୍ କର୍ମଚାରୀ ସଂଘର ସଭାପତି ୟୁ.ଏନ୍. ପ୍ରଧାନ, ଆଇଟିଆର୍ କର୍ମଚାରୀ ସଂଘର ସଭାପତି ଜାଗେଶ ମେଣ୍ଢକେ, ସତ୍ୟଜିତ୍ ସାହୁ, ସୋମନାଥ ସାହୁ, ସୁସ୍ମିତା ସିଂ, ବି.ସି. ବେହେରା, ଏସ୍. ବେହେରା, ଧୀରଜ କୁମାର ମୟଙ୍କ ମୌଲି, ଟି.କେ. ମହାପାତ୍ର, କିରଣ ପ୍ରସାଦ, ସନାତନ ଦାସ ଓ ଦୀପକ ରାଉତ ପ୍ରମୁଖ ନେତୃତ୍ୱ ନେଇଥିଲେ । ଦୀର୍ଘ ବର୍ଷ ଚାକିରି ରକି ଅବସର ପରେ କର୍ମଚାରୀମାନଙ୍କ ସାମାଜିକ ସୁରକ୍ଷା ପାଇଁ ପ୍ରଦାନ କରାଯାଇଆସୁଥିବା ପୁରୁଣା ପେନସନ୍ ଯୋଜନା ସେମାନଙ୍କର ନ୍ୟାୟଯୁକ୍ତ ଅଧିକାର ବୋଲି ବହୁ ଉଚ୍ଚ ଅଦାଲତ ଓ ମାନ୍ୟବର ସୁପ୍ରିମକୋର୍ଟ ଆଦେଶ ଦେଇଛନ୍ତି । କିନ୍ତୁ କେନ୍ଦ୍ର ସରକାର ପେନସନ୍ ଆଳରେ ପ୍ରଚଳନ କରିଥିବା ଦୁଇଟିଯାକ ନୂତନ ପେନସନ୍ ଯୋଜନା କର୍ମଚାରୀଙ୍କ ସ୍ୱାର୍ଥବିରୋଧି ବୋଲି କର୍ମଚାରୀ ନେତାମାନେ ମତ ଦେଥଇଥିଲେ । ପ୍ରତିରକ୍ଷା କର୍ମଚାରୀଙ୍କ ଦାବି ଓ ଆନ୍ଦୋଳନକୁ ସମର୍ଥନ ଜଣାଇ ବରିଷ୍ଠ ଶ୍ରମିକନେତା ତଥା ଟିୟୁଏସିସିର ସାଧାରଣ ସଂପାଦକ ଗୌରାଙ୍ଗ ପାଣିଗ୍ରାହୀଙ୍କ ସମେତ ଏଆଇଟିୟୁସିର ଜିଲ୍ଲା ସଭାପତି ଭାଗବତ ପ୍ରତିହାରୀ, ସଂପାଦକ ଶ୍ୟାମସୁନ୍ଦର ଜେନା, ଶରତ ଚନ୍ଦ୍ର ଦଳାଇ ଓ ଭରତ ସେଠୀ ପ୍ରମୁଖ ଏହି ପ୍ରତିଜ୍ଞା ଓ ଶପଥ ଗ୍ରହଣ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ । ମହାତ୍ମା ଗାନ୍ଧିଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ପ୍ରଦାନ ପରେ କର୍ମଚାରୀମାନେ ସେମାନଙ୍କ ଦାବି ସପକ୍ଷରେ ନାରାବାଜୀ କରିଥିଲେ ।


