ନୂଆ ବର୍ଷର ନୂଆ ସଂକଳ୍ପ

ଦିପ୍ତିମୟୀ ନାୟକ
ନୂଆବର୍ଷରେ ଅନେକ ଲୋକ ଅନେକ ସଂକଳ୍ପ ନେଇଥାନ୍ତି | କିଏ ନିଜ ଜୀବନକୁ ନୂଆ କରି ଆରମ୍ଭ କରିବାକୁ ପ୍ରତିଜ୍ଞା କରୁଥାଏ ତ ପୁଣି ଆଉ କିଏ ନିଜ ଖରାପ ଅଭ୍ୟାସକୁ ନିଜଠାରୁ ଦୂରେଇଦେବା କଥା କହୁଥାଏ | ଏହି ନୂଆବର୍ଷ ପ୍ରତିବର୍ଷ ଭଳି ଲୋକଙ୍କୁ ନୂଆ ନୂଆ ସ୍ୱପ୍ନ ଦେଖେଇଥାଏ | ଆଉ ଏହି ସ୍ୱପ୍ନ ସବୁ ଭିତରେ ଏହି ମଣିଷ ଯେମିତି ଖୋଲା ଆକାଶ ତଳେ ଉଡି ବୁଲୁଥାଏ | କେବେ ସେ ନିଜକୁ ମୁକ୍ତ ଆକାଶର ପକ୍ଷୀ ଭାବୁଥାଏ ତ ଆଉ କେବେ ସବୁ ପାଇଯାଇଛି କହି ଖୁସିରେ ଆତ୍ମବିହୋର ହୋଇ ଉଠୁଥାଏ |ତେବେ ଏହି ନୂଆବର୍ଷରେ ପ୍ରତ୍ୟେକ ଲୋକ ନିଜ ପରିବାର, ସାଙ୍ଗସାଥି ଏବଂ ବନ୍ଧୁ ପରିଜନ ମାନଙ୍କ ସହ ଭୋଜି ଭାତର ଆସର କରି ମଜା ମସ୍ତି କରିଥାନ୍ତି | ଆଉ କିଛି ନିଜ ଲକ୍ଷ୍ୟସ୍ଥଳରେ ପହଁଚିବା ପାଇଁ ଏହି ନୂଆବର୍ଷରେ ସଂକଳ୍ପ ନେଇଥାନ୍ତି | କିଏ ନିଜ ଭଙ୍ଗା ହୃଦୟକୁ ଯୋଡିବାପାଇଁ ଚେଷ୍ଟା କରେ ତ ଆଉ କିଏ ନିଜ ମନ୍ଦ ଅଭ୍ୟାସ ଠାରୁ ନିବୃତ ରହିବାକୁ ଚେଷ୍ଟା କରେ ତ ପୁଣି କିଏ ସାମାଜିକ ପ୍ରତିଷ୍ଠା ପାଇବାପାଇଁ ଭଗବାନଙ୍କ ନିକଟରେ ପ୍ରାର୍ଥନା କରୁଥାଏ ଆଉ କିଏ ପୁଣି କହୁଥାଏ ହେ ଭଗବାନ ମୋର ପଛେ ଯାହା କ୍ଷତି ହୋଇଯାଉ କିନ୍ତୁ ମୋ ପରିବାରର କିଛି କ୍ଷତି ନହେଉ | ତେବେ ଏହି ସଂକଳ୍ପର ଲମ୍ବା ଲିଷ୍ଟ ଭିତରେ ପୂର୍ବବର୍ଷର କିମ୍ବା କିଛି ବର୍ଷ ପୂର୍ବର ଅଧା ଅଧୁରା ସ୍ୱପ୍ନ ଯୋଡ଼ା ହୋଇଥାଏ ଯାହା ଏହି ମଣିଷକୁ ବେଳେବେଳେ ବିଚଳିତ କରିଥାଏ | ତେବେ ନୂଆବର୍ଷ ପାଇଁ ଆମେ ଯେଉଁ ସଂକଳ୍ପ କଥା କହୁଛେ ଆମେ ତ କିଛି ବର୍ଷ, କିଛି ମାସ, ଆଉ କିଛି ଦିନ ଆଗରୁ ନେଇସାରିଛେ ବାସ୍ ଆଉ କିଛି ଦିନ, ଆଉ କିଛି ମାସ, ଆଉ କିଛି ବର୍ଷକୁ ଅପେକ୍ଷା କରିବାକୁ ପଡିବ | କେବଳ ଅପେକ୍ଷା ନୁହେଁ ଆମର ମନୋବଳକୁ ସେତିକି ସୁଦୃଢ କରିବାକୁ ପଡିବ ଯେମିତି ଏହି କିଛି ସଂକଳ୍ପ ଆମର ପୂରଣ ହେବ |ତେବେ ନୂଆବର୍ଷ ପାଇଁ ସମସ୍ତଙ୍କୁ ଖୁସିତ ନିହାତି ଲାଗିବ ହେଲେ ପୁରୁଣା ବର୍ଷର ପୁରୁଣା ଅଦରକାରୀ କ୍ୟାଲେଣ୍ଡର ପୃଷ୍ଠା ଭଳି ନିଜ ନିଜ ପୁରୁଣା ଦିନ ସବୁ ମନେ ପଡିବ | ଅବଶ୍ୟ ନୂଆବର୍ଷ ଆସିଲେ ସବୁଠି ଶୁଭେଚ୍ଛାର ଶୁଅ ଛୁଟିବ | ହେଲେ ଭାଗ୍ୟ ପରିବର୍ତ୍ତନ ହେବନି | କିନ୍ତୁ ଫୋନରେ ନିଶ୍ଚିନ୍ତ ଭାବରେ ଅନ୍ୟ ମାନଙ୍କର ଶୁଭେଚ୍ଛା ବାର୍ତ୍ତାରେ ଫୋନ ମେମୋରୀ ଭର୍ତ୍ତି ହୋଇଯାଇଥିବ |ଆଉ ହଁ ପ୍ରାୟ ଲୋକ ଏହି ନୂଆବର୍ଷରେ ଜ୍ୟୋତିଷ ମାନଙ୍କ ପାଖକୁ ଯାଆନ୍ତି ନିଜ ଭାଗ୍ୟ ଓ ଭବିଷ୍ୟତକୁ ନେଇ ଚିନ୍ତିତ ଥାଆନ୍ତି | ଆଗକୁ କଣ ହେବ କଣ ନାହିଁ ଏହି ଚିନ୍ତାରେ ବାରମ୍ବାର ଜ୍ୟୋତିଷ ମାନଙ୍କୁ ହାତ ଦେଖେଇବାକୁ ଲାଗିଯାଆନ୍ତି | କାହାର ଧନ, ମାନ, ସ୍ୱାସ୍ଥ୍ୟ, ପ୍ରେମ ପାଇବାକୁ ଇଚ୍ଛା ଥାଏ ତ ଆଉ କିଏ ମନ୍ଦିର ଯାଇ ମାନସିକ କରି ଆସୁଥାଏ | କିନ୍ତୁ ଗୋଟେ କଥା କୁହନ୍ତୁ ବିଗତ ବର୍ଷରୁ ଆପଣ ଯଦି ଆପଣଙ୍କ ରାଶି ଦେଖି ସବୁ କାର୍ଯ୍ୟ ତୁଲାଉଛନ୍ତି ତେବେ ଆପଣ କଣ ସେଥିରେ ସଫଳ ହୋଇଥାନ୍ତି |ଆମ ମନ ହିଁ ଜାଣିଥାଏ ନୂଆ ପୁରୁଣାର ପାର୍ଥକ୍ୟ | କାରଣ ଏହି ମନ ହିଁ ତ ପ୍ରତ୍ୟେକ ବର୍ଷର ଅନୁଭୂତିକୁ ସାଇତି ରଖିଛି |କାରଣ ଏହି ଅନୁଭୂତି ହିଁ ମଣିଷକୁ ଉଚିତ ମାର୍ଗ ଦର୍ଶନ କରାଇଛି | ତେବେ ଏହି ନୂଆ ବର୍ଷର ଅନେକ ଅନେକ ଶୁଭେଚ୍ଛା ଓ ଶୁଭକାମନା | ସମସ୍ତେ ଭଲରେ ରୁହନ୍ତୁ ଖୁସିରେ ରୁହନ୍ତୁ | ପ୍ରତ୍ୟେକ ପରିବାରରେ ଖୁସିର ଲହରୀ ଖେଳିଯାଉ ହସ ଖୁସିର ସଂସାର ଚଳୁଥାଉ | ନୂଆ ଆଶା, ନୂଆ ସମ୍ଭାବନାକୁ ନେଇ ନୂଆ ଆରମ୍ଭରେ ନୂଆ ସୁଯୋଗ, ନୂଆ ଚିନ୍ତାଧାରା, ନୂଆ ପ୍ରୟାସ ଜାରି ରହିଥାଉ |ଆଉ ଏହି ନୂଆ ସଂକଳ୍ପକୁ ନେଇ ପ୍ରତ୍ୟେକ ଲୋକଙ୍କର ପ୍ରତ୍ୟେକଟି ସ୍ୱପ୍ନ ପୂରଣ ହେଇଯାଉ |
ଯୁବ ସାମ୍ବାଦିକା
ଦିପ୍ତିମୟୀ ନାୟକ

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ