ନୂତନ ନଳକୂପରୁ ବାହାରୁନି ପାଣି, ଜିଲ୍ଲାପାଳଙ୍କ ଜନଶୁଣାଣି ଶିବିରରେ ଅଭିଯୋଗ

କୋଣାର୍କ, (ଗଣେଶ ଚନ୍ଦ୍ର ବେହେରା) : କୋଣାର୍କ ଥାନା ଅଧିନସ୍ଥ କାଦୁଆନୂଆଗାଁ ଗ୍ରାମପଞ୍ଚାୟତର ଧନୀତ୍ରି ଗ୍ରାମରେ ଥିବା ଡମୁଣୀ ଠାକୁରଙ୍କ ପିଠରେ କାକଟପୁର ଗ୍ରାମ୍ୟ ଜଳଯୋଗାଣ ବିଭାଗ ପକ୍ଷରୁ ବସା ଯାଇଥିବା ନୂତନ ନଳକୂପରୁ ପାଣି ନ ବାହାରି ଘଟଣାକୁ ନେଇ ସାମାଜିକ କର୍ମୀ ଭାଗୀରଥୀ ସ୍ଵାଇଁ କାକଟପୁର ବ୍ଲକ ଠାରେ ଅନୁଷ୍ଠିତ ଜିଲ୍ଲାପାଳଙ୍କ ଜନଶୁଣାଣି ଶିବିରରେ ଲିଖିତ ଅଭିଯୋଗ କରିଛନ୍ତି। ଖବରରୁ ପ୍ରକାଶ ଯେ କାଦୁଆନୂଆଗାଁ ଗ୍ରାମପଞ୍ଚାୟତର ଧନୀତ୍ରି ଗ୍ରାମର ଡମୁଣୀ ଠାକୁରଙ୍କ ପିଠରେ ତତ୍କାଳୀନ ୮ନଂ ଜୋନର ଜିଲ୍ଲା ପରିଷଦ ସଭ୍ଯାଙ୍କ ୧ଲକ୍ଷ ଟଙ୍କା ଆର୍ଥିକ ଅନୁଦାନରେ ପୁରୀ ଜିଲ୍ଲା ଗ୍ରାମ୍ଯ ଜଳଯୋଗାଣ ଓ ପରିମଳ ବିଭାଗ ପକ୍ଷରୁ ଠିକାଦାର ହରିହର ପାତ୍ରଙ୍କୁ ଏହି ନୂତନ ନଳକୂପ ବସାଇବା ପାଇଁ ଦାୟିତ୍ବ ଅର୍ପଣ କରାଯାଇଥିଲା। ଏହି କାର୍ଯ୍ୟ ଦାୟିତ୍ଵରେ ଥିବା ଠିକାଦାର କାର୍ଯ୍ୟ ଶେଷ କରିବା ପରେ ବସା ଯାଇଥିବା ନୂତନ ନଳକୂପରୁ ପାଣି ନ ବାହାରିବା ଘଟଣା ସମସ୍ତଙ୍କୁ ଆଶ୍ଚର୍ଯ୍ୟ ଚକିତ କରିଥିଲା। ଏହି ଘଟଣାକୁ ନେଇ ଧନିତ୍ରୀ ଗ୍ରାମର ସାମାଜିକ କର୍ମୀ ତଥା ସାମ୍ବାଦିକ ଭାଗୀରଥୀ ସ୍ଵାଇଁ କାକଟପୁର ବ୍ଲକର ଗ୍ରାମ୍ୟ ଜଳଯୋଗାଣ ଓ ପରିମଳ ବିଭାଗର କନିଷ୍ଠ ଯନ୍ତ୍ରୀ ଶୁଭେନ୍ଦୁ କୁମାର ପ୍ରଧାନଙ୍କୁ ଫୋନ ଯୋଗେ ଅବଗତ କରାଇଥିଲେ। ମାତ୍ର ଏ ଦିଗରେ କୌଣସି ପଦକ୍ଷେପ ଗ୍ରହଣ ନ ହେବାରୁ ସୋମବାର କାକଟପୁର ବ୍ଲକ ଠାରେ ପୁରୀ ଜିଲ୍ଲାପାଳଙ୍କ ଜନଶୁଣାଣି ଶିବିରରେ ସାମାଜିକ କର୍ମୀ ତଥା ସାମ୍ବାଦିକ ଭାଗୀରଥୀ ସ୍ଵାଇଁ ପୁର୍ନବାର ଏହି ନଳକୂପ ବସାଇବା ପାଇଁ ପୁରୀ ଜିଲ୍ଲା ଅତିରିକ୍ତ ଜିଲ୍ଲାପାଳଙ୍କ ଜରିଆରେ ପୁରୀ ଜିଲ୍ଲାପାଳଙ୍କୁ ଲିଖିତ ଅଭିଯୋଗ କରିଛନ୍ତି। ଏହି ଘଟଣା ଉପରେ ଯୁଦ୍ଧକାଳୀନ ଭିତ୍ତିରେ ଏହି ନଳକୂପକୁ କାର୍ଯ୍ୟକାରୀ କରିବା ସହ ଜନସାଧାରଣଙ୍କୁ ଜଳଯୋଗାଣ ବ୍ୟବସ୍ଥା ପ୍ରଦାନ କରିବା ପାଇଁ ସାମାଜିକ କର୍ମୀ ତଥା ସାମ୍ବାଦିକ ଭାଗୀରଥୀ ସ୍ଵାଇଁ ପୁରୀ ଜିଲ୍ଲାପାଳଙ୍କୁ ନିବେଦନ କରିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ