ନୂତନ ମତ୍ସ୍ୟ ଅଧିକାରୀଙ୍କ କାର୍ଯ୍ୟରେ ଯୋଗଦାନ
ଭଣ୍ଡାରିପୋଖରୀ, (ଦୁର୍ଯ୍ୟୋଧନ ଲେଙ୍କା) ; ଭଣ୍ଡାରିପୋଖରୀ ବ୍ଲକର ନୂତନ ମତ୍ସ୍ୟ ଅଧିକାରିଣୀ ଭାବେ ଉପାସନା ମହାନ୍ତି କାର୍ଯ୍ୟଭାର ଗ୍ରହଣ କରିଛନ୍ତି । ନିକଟରେ ରାଜ୍ୟ ସରକାରଙ୍କ ମତ୍ସ୍ୟ ଓ ପଶୁସମ୍ପଦ ବିଭାଗ ଓପିସି ପରୀକ୍ଷାରେ କୃତକାର୍ଯ୍ୟ ହୋଇଥିବା ନୂତନ ଅଧିକାରୀ ମାନଙ୍କୁ ବିଭାଗରେ ନିଯୁକ୍ତି ଦେଇଛନ୍ତି । ତନ୍ମଧ୍ୟରୁ ମତ୍ସ୍ୟ ବିଭାଗରେ ପ୍ରାୟ ୫୦ରୁ ଅଧିକ ନୂତନ ଅଧିକାରୀ ନିଯୁକ୍ତ ହୋଇଛନ୍ତି । ଏଠାରେ ସୂଚିତ ଭଣ୍ଡାରିପୋଖରୀରେ ଥିବା ମତ୍ସ୍ୟ ଅଧିକାରୀ ଦୁଇବର୍ଷ ପୂର୍ବେ ଅବସରଗ୍ରହଣ କରିଥିବାବେଳେ ଦୀର୍ଘଦିନ ହେବ ପଦବୀଟି ଖାଲି ପଡିଥିଲା । ଯଦିଓ ଜିଲ୍ଲା କାର୍ଯ୍ୟାଳୟର ଜଣେ ଅଧିକାରୀ ଅସ୍ଥାୟୀ ଭାବେ ବ୍ଲକ ମତ୍ସ୍ୟ ଅଧିକାରୀ ଦାୟିତ୍ୱ ତୁଲାଉଥିଲେ । ବ୍ଲକ ଅଞ୍ଚଳର ଅର୍ଦ୍ଧାଧିକ ଭାଗ ବନ୍ୟା ପ୍ରଭାବିତ ହୋଇଥିବାବେଳେ ଅନେକ ବ୍ୟକ୍ତି ମାଛଚାଷ କରିଥାଆନ୍ତି । ଗୁରୁତ୍ୱଦୃଷ୍ଟିରୁ ଜଣେ ନିୟମିତ ଅଧିକାରୀଙ୍କ ନିଯୁକ୍ତି ଆବଶ୍ୟକ ଥିବାବେଳେ ତାହା ଏବେ ପୂରଣ ହୋଇପାରିଛି । ନବନିଯୁକ୍ତ ଅଧିକାରିଣୀ ବ୍ଲକ ଅଞ୍ଚଳରେ ଆର୍ଥିକ ବିକାଶ ପାଇଁ ମତ୍ସ୍ୟଚାଷ ଉପରେ ଗୁରୁତ୍ୱ ଦେବେ ବୋଲି କହିଛନ୍ତି ।