ନୂତନ ମେଡିକାଲ ନିର୍ମାଣ କାର୍ଯ୍ୟ ତ୍ୱରାନ୍ୱିତ କର : କିଶନକୁମାର
କେନ୍ଦ୍ରାପଡା,(ଚିତ୍ତରଞ୍ଜନ ଦାସ): ନୂତନ ମେଡିକାଲ ଗୃହ ନିର୍ମାଣ କାର୍ଯ୍ୟ ତ୍ୱରାନ୍ୱିତ କରି ତୁରନ୍ତ ଶେଷ କରିବାକୁ ନିର୍ଦେଶ ଦେଇଛନ୍ତି ପୂର୍ତ୍ତ ସଚିବ କିଷନକୁମାର । ନିର୍ମାଣ କାର୍ଯ୍ୟ ଶୀଘ୍ର ନ ସରିଲେ ଠିକା ସଂସ୍ଥାକୁ କଳା ତାଲିକାଭୁକ୍ତ କରାଯିବାକୁ ଚେତାବନୀ ଦିଆଯାଇଛି । ଏକଶହ ୧୦ କୋଟି ଟଙ୍କା ବ୍ୟୟ ଅଟ୍ଟକଳରେ ଶ୍ୟାମଗୁଡିଆରେ ୨୦୧୭ମସିହାରୁ ନିର୍ମାଣ ଚାଲିଛି ନୂତନ ମେଡିକାଲ ସମେତ ଏକଶହ ଶଯ୍ୟା ବିଶିଷ୍ଟ ମାତୃ ଓ ଶିଶୁ ଚିକିତ୍ସାଳୟ । ୩ ବର୍ଷ ମଧ୍ୟରେ ଏହା ଶେଷ କରିବା ପାଇଁ ଚୁକ୍ତି ହୋଇଥିବା ବେଳେ ଚୁକ୍ତିର ଅବଧି କେବଠାରୁ ଶେଷ ହୋଇ ଗଲାଣି । ଠିକା ସଂସ୍ଥାର ଅହେତୁକ ବିଳମ୍ବ କରୁଥିବା ଅଭିଯୋଗ ପାଇ ପୂର୍ତ୍ତ ବିଭାଗ ସଚିବ ଶ୍ରୀ କୁମାର ରବିବାର ସକାଳେ କେନ୍ଦ୍ରାପଡ଼ା ଆସିଥିଲେ । ମେଡିକାଲ ନିର୍ମାଣ ସ୍ଥଳକୁ ଯାଇ ନିର୍ମାଣ କାର୍ଯ୍ୟରେ ସମୀକ୍ଷା କରିଥିଲେ । କିନ୍ତୁ ସଚିବ ପରିଦର୍ଶନ ସମୟରେ ଦେଖିବାକୁ ପାଇଥିଲେ ଯେ କାମ କଚ୍ଛପ ଗତିରେ ଚାଲୁଛି । ତେଣୁ ଠିକା ନେଇଥିବା ସଂସ୍ଥାର ଅଧିକାରୀମାନଙ୍କୁ ଏସମ୍ପର୍କରେ ତାଗିଦ କରିଦେଇଥିଲେ । ଆସନ୍ତା ୩ ମାସ ମଧ୍ୟରେ ନିର୍ମାଣ କାର୍ଯ୍ୟ ଶେଷ ନ ହେଲେ ଠିକାଦାରଙ୍କ ଲାଇସେନ୍ସକୁ ବାତିଲ କରାଯିବ ବୋଲି କହିଛନ୍ତି ସଚିବ ଶ୍ରୀ କୁମାର । ଏଥିସହ ସେହି ସଂସ୍ଥାକୁ କଳା ତାଲିକାଭୁକ୍ତ କରାଯିବ ବୋଲି ସଚିବ କହିଥିଲେ । ସେହିପରି ସଚିବ ନୂତନ ମେଡିକାଲକୁ ସଂପ୍ରସାରଣ କରିବା ପାଇଁ ଆବଶ୍ୟକ ଜମି ବୁଲି ଦେଖିଥିଲେ । ଯେଉଁମାନେ ଜମି ହରାଇବେ ସେମାନଙ୍କୁ ଆବଶ୍ୟକ କ୍ଷତିପୂରଣ ପ୍ରଦାନ କରାଯିବାକୁ ନିର୍ଦେଶ ଦେଇଥିଲେ । ଏହାପରେ ଗୋବରୀ ବାଇପାସ ନିର୍ମାଣ କାର୍ଯ୍ୟର ମଧ୍ୟ ସମୀକ୍ଷା କରିଥିଲେ । ସଠିକ ସମୟରେ କାମ ଶେଷ କରିବା ପାଇଁ ସଂପୃକ୍ତ ସଂସ୍ଥାକୁ ନିର୍ଦେଶ ଦେଇଥିଲେ । ଏହି ଅବସରରେ ରଥଦାଣ୍ଡ କାର୍ଯ୍ୟ ଦେଖିଥିଲେ । ଏହାପରେ ଶ୍ରୀବଳଦେବଜୀଉଙ୍କ ମନ୍ଦିର ଯାଇଶ୍ରୀ ଜୀଉଙ୍କୁ ଦର୍ଶନ କରିଥିଲେ । ମନ୍ଦିର ଉନ୍ନୟନ କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ପାଇଁ ନିର୍ଦେଶ ଦେଇଥିଲେ । ସେହିପରି ଗଣ୍ଡାଖିଆ ନିକଟରେ ଗୋବରୀ କେନାଲକୁ ଦେଖିଲେ । ଏହି ଗସ୍ତ ସମୟରେ ଜିଲାପାଳ ଅମ୍ରିତ ଋତୁରାଜ, ଉପଜିଲ୍ଲାପାଳ ଜ୍ୟୋତିଶଙ୍କର ମହାପାତ୍ର, ପୌର ନିର୍ବାହୀ ଅଧିକାରୀ ଦେବପ୍ରସାଦ ବଳ, ପୂର୍ତ୍ତବିଭାଗ ନିର୍ବାହୀ ଯନ୍ତ୍ରୀ ଇଂ ପ୍ରଦୀପ୍ତ କୁମାର ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ ।