ନୂତନ ସୂର୍ଯ୍ୟ ମନ୍ଦିର ନିର୍ମାଣ ଓ ସୂର୍ଯ୍ୟ ପୂଜା ପୁନଃ ପ୍ରଚଳନ ପାଇଁ ସାମ୍ବାଦିକ ସମ୍ମିଳନୀ

କୋଣାର୍କ, (ଗଣେଶ ଚନ୍ଦ୍ର ବେହେରା):କୋଣାର୍କ ସ୍ଥିତ ପାଗୋଡ଼ା ଇନ ହୋଟେଲ ପରିସରରେ ନୂତନ ସୂର୍ଯ୍ୟ ନିର୍ମାଣ ଶାଳା କମିଟି ଆନୁକୂଲ୍ୟରେ କୋଣାର୍କ ଅଞ୍ଚଳର ସଂସ୍କୃତି ପ୍ରେମୀ ବ୍ଯକ୍ତି ବିଶେଷ ମାନଙ୍କୁ ନେଇ ଏକ ସାମ୍ବାଦିକ ସମ୍ବିଳନୀ ଅନୁଷ୍ଠିତ ହୋଇଯାଇଛି। ଖବରରୁ ପ୍ରକାଶ ଯେ ବିଶ୍ବ ଐତିହ୍ୟ କୋଣାର୍କ ସୂର୍ଯ୍ୟ ମନ୍ଦିରରେ ସୂର୍ଯ୍ୟ ନାରାୟଣଙ୍କ ପୂଜାର୍ଚ୍ଚନା କରିବା ପାଇଁ ଦ୍ବାଦଶ ଶତାବ୍ଦୀରେ ରାଜା ଲାଙ୍ଗୁଳା ନରସିଂହ ଦେବ ନିଜ ମାଆଙ୍କ ନିମନ୍ତେ ସୂର୍ଯ୍ୟ ମନ୍ଦିର ନିର୍ମାଣ କରିଥିଲେ। ମାତ୍ର ବ୍ରିଟିଶ ଶାସନ କାଳରେ ସୂର୍ଯ୍ୟ ମନ୍ଦିରରେ ସୂର୍ଯ୍ୟ ନାରାୟଣଙ୍କ ପୂଜାର୍ଚ୍ଚନା ବନ୍ଦ କରାଯାଇଥିବା ବେଳେ ଏହି ମନ୍ଦିର ସାମ୍ପ୍ରତିକ ସମୟରେ କେନ୍ଦ୍ର ସରକାରଙ୍କ ଏଏସଆଇ କର୍ତୃପକ୍ଷଙ୍କ ଦ୍ବାରା ପରିଚାଳିତ ହେଉଛି। ଯେଉଁ ଲକ୍ଷ୍ୟ ନେଇ ଏହି ସୂର୍ଯ୍ୟମନ୍ଦିର ନିର୍ମାଣ କରାଯାଇଥିଲା ତାହା ଏବେ ଏକ ଐତିହ୍ୟ ରୂପେ ବିବେଚନା କରାଯାଉଛି। ସୂର୍ଯ୍ୟ ହେଉଛନ୍ତି ସକଳ ଶକ୍ତିର ଆଧାର ଓ ରୋଗ ନିରାକରଣର ଦେବତା। କୋଣାର୍କ ଠାରେ ସୂର୍ଯ୍ୟ ନାରାୟଣଙ୍କ ଏକ ନୂତନ ମନ୍ଦିର ନିର୍ମାଣ କରି ଏଠାରେ ପୁନଃ ସୂର୍ଯ୍ୟ ପୂଜା ପ୍ରଚଳନ କରିବା ପାଇଁ ନୂତନ ସୂର୍ଯ୍ୟ ମନ୍ଦିର ନିର୍ମାଣ ଶାଳା କମିଟି ପକ୍ଷରୁ ଦୀର୍ଘ ଚାରି ବର୍ଷ ଧରି ପ୍ରୟାସ ଜାରି ରହିଛି। ମାତ୍ର ରାଜସ୍ବ ପ୍ରଶାସନର ସହଯୋଗ ଓ ଧାର୍ମିକ ପରମ୍ପରାକୁ ବଜାୟ ରଖିବା ସହ ପୁନଃ ସୂର୍ଯ୍ୟ ପୂଜା ପ୍ରଚଳନ କରିବା ପାଇଁ ଏକ ନୂତନ ସୂର୍ଯ୍ୟ ମନ୍ଦିର ନିର୍ମାଣ କରିବା ପାଇଁ ପ୍ରଶାସନ ପକ୍ଷରୁ କୋଣାର୍କ ଠାରେ ୨ଗୁଣ୍ଠୁ ଜାଗା ପ୍ରଦାନ ପାଇଁ ଆଜିକାର ସାମ୍ବାଦିକ ସମ୍ମିଳନୀରେ ନୂତନ ସୂର୍ଯ୍ୟ ମନ୍ଦିର ନିର୍ମାଣ ଶାଳା କମିଟିର ଅଧ୍ୟକ୍ଷ ମୁକେଶ ଜୈନ ମତବ୍ୟକ୍ତ କରିଛନ୍ତି। ଭାରତୀୟ ସଂସ୍କୃତିର ମହାନ ପରମ୍ପରାକୁ ବଜାୟ ରଖିବା ପାଇଁ ସୂର୍ଯ୍ୟ କ୍ଷେତ୍ର କୋଣାର୍କ ଠାରେ ରାଜା ଲାଙ୍ଗୁଳା ନରସିଂହ ଦେବଙ୍କ ସମୟରେ ପ୍ରଚଳିତ ସୂର୍ଯ୍ୟ ନାରାୟଣଙ୍କ ପୂଜାର୍ଚ୍ଚନା ପୁନଃ ପ୍ରଚଳନ ପାଇଁ କମିଟି ଓ କୋଣାର୍କ ଅଞ୍ଚଳର ସଂସ୍କୃତି ପ୍ରେମୀ ମହଲରେ ଦାବି କରାଯାଇଛି। ଏହି ମନ୍ଦିର ନିର୍ମାଣ ପାଇଁ ଜାଗା ଯୋଗାଇ ଦେବା ନିମନ୍ତେ ଗୋପ ତହସିଲଦାର ଓ ପୁରୀ ଜିଲ୍ଲାପାଳଙ୍କୁ କମିଟି ପକ୍ଷରୁ ନିବେଦନ କରାଯାଇଛି। ଏଠାରେ ପ୍ରକାଶ ଥାଉ କି ଏହି କମିଟି ପକ୍ଷରୁ ବିଗତ ୪ବର୍ଷ ଧରି ସୂର୍ଯ୍ୟ ମନ୍ଦିର ନିର୍ମାଣ ନିମନ୍ତେ ବିଭିନ୍ନ ସ୍ଥାନରେ ସୂର୍ଯ୍ୟ ନାରାୟଣଙ୍କ ମୂର୍ତ୍ତି ସ୍ଥାପନ କରାଯାଇ ପୂଜାର୍ଚ୍ଚନା ନିମନ୍ତେ ଅସ୍ଥାୟୀ ଭାବେ ସୁବନ୍ଦୋବସ୍ତ କରାଯାଉଥିବା ବେଳେ ପ୍ରଶାସନର ସହଯୋଗ ବିନା ଏହା ସମ୍ଭବପର ନୁହେଁ ବୋଲି ଅଧ୍ୟକ୍ଷ ଶ୍ରୀ ଜୈନ ପ୍ରକାଶ କରିଛନ୍ତି। କୋଣାର୍କ ଠାରେ ସୂର୍ଯ୍ୟ ପୂଜା ପୁନଃ ପ୍ରଚଳନ ପାଇଁ ନୂତନ ସୂର୍ଯ୍ୟ ମନ୍ଦିର ନିର୍ମାଣ ଶାଳା କମିଟିକୁ ରାଜସ୍ବ ବିଭାଗ ପକ୍ଷରୁ ୨ଗୁଣ୍ଠ ସ୍ଥାୟୀ ଜାଗା ସରକାରୀ ନିୟମ ଅନୁଯାୟୀ ଯୋଗାଇ ଦେବାକୁ ମୁଖ୍ୟମନ୍ତ୍ରୀ ଓ ମହାମହିମ ରାଜ୍ୟପାଳ ମହୋଦୟଙ୍କୁ କମିଟି ପକ୍ଷରୁ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଅଧ୍ୟକ୍ଷ ମୁକେଶ ଜୈନ ନିବେଦନ କରିଛନ୍ତି। ଏହି ସାମ୍ବାଦିକ ସମ୍ମିଳନୀରେ କମିଟିର ପରିଚାଳକ ଯୁଧିଷ୍ଠିର ସ୍ବାଇଁ , କୈଳାସ ଚନ୍ଦ୍ର ଶିକାରୀ, ସଂଜୀବ ତିଓ୍ବାରୀ, ବାପି ପଣ୍ଡାଙ୍କ ସମେତ କୋଣାର୍କ ଅଞ୍ଚଳର ଶତାଧିକ ସଂସ୍କୃତି ପ୍ରେମୀ ଶ୍ରଦ୍ଧାଳୁ ଭକ୍ତମାନେ ଉପସ୍ଥିତ ଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ