ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କର ୧୨୫ ତମ ଜନ୍ମ ଜୟନ୍ତୀକୁ ରାଜ୍ୟରେ ବର୍ଷବ୍ୟାପୀ ମହା ଆଡ଼ମ୍ବରରେ ପାଳନ କରିବାକୁ ମୁଖ୍ୟମନ୍ତ୍ରୀଙ୍କୁ ପତ୍ର ଲେଖି ଦାବୀ ଜଣାଇଲା ଫରୱାର୍ଡ଼ ବ୍ଲକ୍‌

ଭୁବନେଶ୍ୱର,(ଓ୍ବାଇଏନ୍ଏସ୍): ଭାରତ ବର୍ଷର ମହାନ ସ୍ୱାଧିନତା ସଂଗ୍ରାମୀ, ଅଦ୍ୱିତୀୟ ଜନନାୟକ, ବୀର ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ୧୨୫ ତମ ଜନ୍ମ ଜୟନ୍ତୀ ୨୩ ଜାନୁୟାରୀ ୨୦୨୧ ତାରିଖରେ । ଜାନୁୟାରୀ ୨୩, ୨୦୨୧ରୁ ୨୩ ଜାନୁୟାରୀ ୨୦୨୨ ପର୍ଯ୍ୟନ୍ତ ଏକ ବର୍ଷବ୍ୟାପୀ ଏହି ୧୨୫ ତମ ଜନ୍ମ ବାର୍ଷିକୀ କୁ ଆମ ରାଜ୍ୟ ସରକାର ରାଜ୍ୟବ୍ୟାପୀ ମହାଆଡ଼ମ୍ବରରେ ପାଳନ କରିବା ନିମନ୍ତେ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ଦ୍ୱାରା ପ୍ରତିଷ୍ଠିତ ରାଜନୈତିକ ଦଳ “ଅଲ୍ ଇଣ୍ଡିଆ ଫରୱାର୍ଡ଼ ବ୍ଲକ”, ଓଡ଼ିଶା ରାଜ୍ୟ କମିଟି ପକ୍ଷରୁ ଆଜି ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କୁ ପତ୍ର ଲେଖି ଅନୁରୋଧ କରାଯାଇଛି । ଓଡ଼ିଶା ମାଟିରେ ଜନ୍ମିତ ନେତାଜୀ ସୁଭାଷଙ୍କ ତ୍ୟାଗ ଓ ସଂଗ୍ରାମର ଗାଥା ବିଶ୍ୱବିଦିତ । କୋଟି କୋଟି ଯୁବକ, ଛାତ୍ର, ସାଧାରଣ ମଣିଷଙ୍କ ହୃଦୟର ଏହି ମହାନାୟକଙ୍କ ୧୨୫ ତମ ଜନ୍ମ ଜୟନ୍ତୀ ପାଳନ ଅବସରରେ ରାଜ୍ୟ ସରକାର ବିଭିନ୍ନ ରାଜନୈତିକ ଦଳ, ଲେଖକ, ସାହିତ୍ୟିକ, ଐତିହାସିକ ତଥା ବୁଦ୍ଧିଜୀବିମାନଙ୍କୁ ନେଇ ଏକ ସ୍ୱତନ୍ତ୍ର କମିଟି ଗଠନ କରି ବିଶେଷ କାର୍ଯ୍ୟକ୍ରମମାନ ଆୟୋଜନ ପୂର୍ବକ ବର୍ଷତମାମ ମହାଆଡ଼ମ୍ବରରେ ପାଳନ କରିବା, ଓଡ଼ିଶାର ଏକ ବିଶ୍ୱବିଦ୍ୟାଳୟକୁ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ନାମରେ ନାମିତ କରିବା, ନେତାଜୀଙ୍କ ନାମରେ ରାଜ୍ୟରେ ଏକ ଜନହିତକର ଯୋଜନା କାର୍ଯ୍ୟକାରୀ କରିବା ସହ ନେତାଜୀଙ୍କ ନାମରେ ବିରତ୍ୱ ପୁରସ୍କାର ଘୋଷଣା କରିବା, ରାଜ୍ୟ ସରକାରଙ୍କ ପକ୍ଷରୁ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ଉପରେ ଆଧାରିତ ଏକ ବିଶେଷ ଅଡ଼ିଓ-ଭିଡ଼ିଓ ଡ଼କ୍ୟୁମେଂଟାରୀ ପ୍ରସ୍ତୁତ କରିବା, ପ୍ରାଥମିକ ଶ୍ରେଣୀ ଠାରୁ ବିଶ୍ୱବିଦ୍ୟାଳୟସ୍ତର ପର୍ଯ୍ୟନ୍ତ ସମସ୍ତ ଶ୍ରେଣୀର ପାଠ୍ୟ ଖସଡ଼ାମାନଙ୍କରେ ନେତାଜୀଙ୍କ ଉପରେ ଆଧାରିତ ଏକ ବିଷୟକୁ ନିଶ୍ଚିତ ସାମିଲ କରିବା, ସମସ୍ତ ସରକାରୀ ଦପ୍ତର ଓ ଶିକ୍ଷାନୁଷ୍ଠାନମାନଙ୍କରେ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ଫଟୋଚିତ୍ରକୁ ସମ୍ମାନର ସହିତ ସ୍ଥାନିତ କରିବା ପାଇଁ ସରକାରୀ ନିର୍ଦ୍ଦେଶନାମା ଜାରୀ କରିବା, ୨୩ ଜାନୁୟାରୀ-ନେତାଜୀଙ୍କ ଜନ୍ମ ଜୟନ୍ତୀକୁ ରାଜ୍ୟର ସମସ୍ତ ସରକାରୀ ଏବଂ ବେସରକାରୀ ଅନୁଷ୍ଠାନ ଓ କାର୍ଯ୍ୟାଳୟମାନଙ୍କରେ ପାଳନ କରିବା ପାଇଁ ନିର୍ଦ୍ଦେଶନାମା ଜାରୀ କରିବା ଦାବୀ ସମ୍ବଳିତ ଏକ ପତ୍ର ଫରୱାର୍ଡ଼ ବ୍ଲକ୍‌ର ରାଜ୍ୟ ସାଧାରଣ ସମ୍ପାଦକ ଜ୍ୟୋତି ରଂଜନ ମହାପାତ୍ର ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଲେଖିବା ସହ ଏଗୁଡ଼ିକୁ କାର୍ଯ୍ୟକାରୀ କରିବା ପାଇଁ ଅନୁରୋଧ କରିଛନ୍ତି । ଦେଶପ୍ରେମର ଅନନ୍ୟ ପ୍ରତିକ ନେତାଜୀ ସୁଭାଷଙ୍କ ଜନ୍ମ ଜୟନ୍ତୀକୁ ଦେଶପ୍ରେମ ଦିବସ ଭାବରେ ଘୋଷଣା କରିବାକୁ ଫରୱାର୍ଡ଼ ବ୍ଲକ୍ ପକ୍ଷରୁ କେନ୍ଦ୍ର ସରକାରଙ୍କ ନିକଟରେ ଦିର୍ଘ ବର୍ଷଧରି ଦାବୀ ହୋଇ ଆସୁଥିବା ବେଳେ ଅଦ୍ୟାବଧି କେନ୍ଦ୍ର ସରକାରଙ୍କ ପକ୍ଷରୁ କୌଣସି ଘୋଷଣା କରାନଯିବା ଅତ୍ୟନ୍ତ ଦୁଃଖଦ ବିଷୟ ବୋଲି ଏକ ପ୍ରେସ୍ ଇସ୍ତାହାର ମାଧ୍ୟମରେ ପ୍ରକାଶ କରାଯାଇଛି । ଅନ୍ୟପଟରେ ଓଡ଼ିଶା ସରକାର ନେତାଜୀଙ୍କ ୧୨୫ ତମ ଜନ୍ମ ଜୟନ୍ତୀ ଅବସରରେ ବ୍ୟାପକ କର୍ଯ୍ୟକ୍ରମମାନ ସଂଗଠିତ କରାଇ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କୁ ଉଚିତ୍ ସମ୍ମାନ ପ୍ରଦାନ କରିବା ସହ ଦେଶ ଓ ରାଜ୍ୟର ଅବକ୍ଷାୟମୂଖୀ ଯୁବସମାଜକୁ ନେତାଜୀଙ୍କ ଆଦର୍ଶରେ ଅନୁପ୍ରାଣିତ ହେବା ପାଇଁ ବିଶେଷ ସୁଯୋଗ ସୃଷ୍ଟି ପାଇଁ ପଦକ୍ଷପ ଗ୍ରହଣ କରନ୍ତୁ ବୋଲି ଫରୱାର୍ଡ଼ ବ୍ଲକ୍ ପକ୍ଷରୁ ଜାରୀ ଏକ ପ୍ରେସ୍ ଇସ୍ତାହାର ମାଧ୍ୟମରେ ରାଜ୍ୟ ସାଧାରଣ ସମ୍ପାଦକ ଜ୍ୟୋତି ରଂଜନ ମହାପାତ୍ର ରାଜ୍ୟ ସରକାରଙ୍କ ନିକଟରେ ଦାବୀ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ