ନେତାନ୍ୟାହୁଙ୍କ ସହଯୋଗୀ ଭାଇରସ ଆକ୍ରାନ୍ତ
ନୂଆଦିଲ୍ଲୀ: ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତ୍ୟାନ୍ୟାହୁଙ୍କ ଜଣେ ସହଯୋଗୀ କରୋନା ଭାଇରସ ଆକ୍ରାନ୍ତ ହୋଇଛନ୍ତି । ଇସ୍ରାଏଲ ପ୍ରଧାନମନ୍ତ୍ରୀଙ୍କ ଏହି ସହଯୋଗୀଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ଅଛି ବୋଲି ଇସ୍ରାଏଲ ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି । ତେବେ ବେଞ୍ଜାମିନଙ୍କ ସ୍ୱାସ୍ଥ୍ୟାବସ୍ଥା ନେଇ କୌଣସି ପ୍ରକାର ସ୍ପଷ୍ଟ ସୂଚନା ମିଳିନାହିଁ । ବେଞ୍ଜାମିନଙ୍କ ସହଯୋଗୀ ଭାଇରସ ଆକ୍ରାନ୍ତ ହେବା ପରେ ବେଞ୍ଜାମିନଙ୍କୁ ୧୪ ଦିନ କ୍ୱାରାଣ୍ଟାଇନରେ ରଖାଯିବ ବୋଲି ଜଣାପଡ଼ିଛି । ଅନ୍ୟ ପକ୍ଷରେ ଇସ୍ରାଏଲ ଗଣମାଧ୍ୟମ ପକ୍ଷରୁ କୁହାଯାଇଛି ଯେ, ବେଞ୍ଜାମିନଙ୍କ ସହଯୋଗୀ ଗତ ସପ୍ତାହରେ ସଂସଦର ଏକ ଅଧିବେଶନରେ ଯୋଗ ଦେଇଥିଲେ । ଏହି ଅଧିବେଶନରେ ଉପସ୍ଥିତ ଥିବା ସମସ୍ତ ସାଂସଦଙ୍କ ଉପରେ ଏବେ ନଜର ରହିଛି । ଇସ୍ରାଏଲରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୧୫ ଥିବା ବେଳେ ଏଠାରେ ଆକ୍ରାନ୍ତଙ୍କ ସଂଖ୍ୟା ୪,୨୪୭ ରେ ପହଞ୍ଚିଛି ।


