ନେପାଳର ଜମି ଚୀନ କବଜାରେ
ନୂଆଦିଲ୍ଲୀ: ତିଦ୍ଧତରେ ବ୍ୟାପକ ରାସ୍ତା ନିର୍ମାଣ କରୁଥିବା ଚୀନ ନେପାଳର ୩୩ ହେକ୍ଟର ପରିମିତ ଅତି କମରେ ୧୦ଟି ସ୍ଥାନକୁ ଅକ୍ତିଆର କରି ନେଇଛି ବୋଲି ନେପାଳର ଓଲି ସରକାରଙ୍କ ରିପୋର୍ଟରେ କୁହାଯାଇଛି । ଧୀରେ ଧୀରେ ବେଜିଂ ସରକାର ସେହି ସବୁ ସୀମାନ୍ତ ସ୍ଥାନରେ ଘାଟି ନିର୍ମାଣ କରିବ ବୋଲି ଏହି ରିପୋର୍ଟରେ ସତର୍କ କରାଇ ଦେଇଛି । ନେପାଳର କୃଷି ମନ୍ତ୍ରଣାଳୟର ସର୍ବେକ୍ଷଣ ଦ୍ୱାରା ପ୍ରସ୍ତୁତ ଉକ୍ତ ରିପୋର୍ଟ ଅନୁଯାୟୀ, ନେପାଳ ଦେଇ ପ୍ରବାହିତ ବିଭିନ୍ନ ନଦୀର ଗତିପଥକୁ ଚୀନ ବଦଳାଇ ଅତି କମରେ ୧୦ଟି ପ୍ରାକୃତିକ ସୀମାକୁ ନିଜ ଦଖଲକୁ ନେଇଯାଇଛି । ସେମାନଙ୍କ ମଧ୍ୟରେ ନେପାଳର ହମଲା ଜିଲ୍ଲାରେ ବାଗଦରେ ଓ କର୍ଣ୍ଣାଲି ନଦୀର ସ୍ରୋତକୁ ବଦଳାଇ ୧୦ ହେକ୍ଟର ଜାଗାରେ ଚୀନ କର୍ତ୍ତୃପକ୍ଷ ନିର୍ମାଣ କାର୍ଯ୍ୟ କରିଛନ୍ତି । ସେହିପରି ରୁସୱା ଜିଲ୍ଲାରେ ମଧ୍ୟ ସଞ୍ଜେନ, ଭୁର୍ଜୁଜ ଓ ଜମ୍ବୁ ଖୋଲା ନଦୀର ଗତିପଥକୁ ସାମାନ୍ୟ ଘୁଞ୍ଚାଇ ୬ ହେକ୍ଟର ସ୍ଥାନରେ ନିର୍ମାଣ ଚାଲିଛି । ସିନ୍ଧୁପାଲଚୌକ ଜିଲ୍ଲାରେ ମଧ୍ୟ ଅନୁରୂପ ଭାବେ ଖରାନେ ଖୋଲ ଓ ଭୋତେ ଜୋସି ନଦୀ ପ୍ରବାହିତ ସ୍ଥାନରେ ୧୧ ହେକ୍ଟର ସ୍ଥାନ ଦଖଲକୁ ଦେଇଛି । ଏ ଦିଗରେ ନେପାଳ ସରକାର ତୁରନ୍ତ ପଦକ୍ଷେପ ନ ନେଲେ ଚୀନ ସରକାରୀ ଆହୁରି ଅଧିକ ସ୍ଥାନ ଏପରି ମାଡ଼ିବସିବ ବୋଲି ଏହି ରିପୋର୍ଟରେ ଆଶଙ୍କା ପ୍ରକଟ କରାଯାଇଛି ।