ନେପାଳ ପରେ ମରିସସ୍‌ରେ ଓଡିଆ ପ୍ରଫେସରଙ୍କୁ ସମ୍ବର୍ଦ୍ଧନା

ବନ୍ତ, (ଚାନ୍ଦିନୀ ମହାନ୍ତି):ନିକଟରେ ଶିକ୍ଷା ବିଭୁଷଣ ଉପାଧିରେ ଭୂଷିତ ଓଡିଆ ହିନ୍ଦୀ ପ୍ରଫେସର ଡକ୍ଟର ଜୟନ୍ତ କରଶର୍ମାଙ୍କୁ ପୁଣି ମରିସସ୍‌ରେ ‘ସହୋଦରୀ ରତ୍ନ’ ସମ୍ମାନରେ ସମ୍ମାନୀତ କରାଯାଇଛି । ମରିସସ୍‌ର ମହାତ୍ମାଗାନ୍ଧୀ ସଂସ୍ଥାନ ପକ୍ଷରୁ ଆୟୋଜିତ ୯ମ ଅର୍ନ୍ତରାଷ୍ଟ୍ରୀୟ ହିନ୍ଦୀ ଅଧିବେଶନରେ ଭାଷା ସହୋଦରୀ ହିନ୍ଦୀ ସଙ୍ଗଠନ ପକ୍ଷରୁ ପ୍ରଫେସର ଡକ୍ଟର କରଶର୍ମାଙ୍କୁ ହିନ୍ଦୀ ଭାଷା ଓ ସାହିତ୍ୟର ବିକାଶ କ୍ଷେତ୍ରରେ ଜୀବନବ୍ୟାପୀ ସାଧନା ପାଇଁ ଏହି ସମ୍ମାନରେ ସମ୍ମାନୀତ କରାଯାଇଛି । ଏହି ସମ୍ମାନ ପାଇବା ବେଳେ ଉତ୍ସବରେ ମରିସସ୍‌ର ରାଷ୍ଟ୍ରପତି ପୃଥୀରାଜ ସିଂ ରୁପୁନ୍‌, ଫିଜିର ପ୍ରଧାନମନ୍ତ୍ରୀ ସିତିବେନୀ ରାବୁକା, ଭାରତର ବୈଦେଶିକ ମନ୍ତ୍ରୀ ଏସ୍‌. ଜୟଶଙ୍କର, ସଚିବ ଶ୍ରୀ ମୂରଲୀଧରନ୍‌, ଗୃହରାଷ୍ଟ୍ର ବିଭାଗ ସଚିବ ଅଜୟ ମିଶ୍ର ଉପସ୍ଥିତ ଥିଲେ । ସୂଚନା ଯୋଗ୍ୟ ଯେ, ଡକ୍ଟର କରଶର୍ମାଙ୍କୁ ଏହା ପୂର୍ବରୁ ନେପାଳର ତ୍ରିଭୁବନ ବିଶ୍ୱ ବିଦ୍ୟାଳୟ ପକ୍ଷରୁ ଶିକ୍ଷା ବିଭୁଷଣ ସମ୍ମାନ ଓ ନାସିକର ବିଦ୍ୟୋତ୍ତମା ଫାଉଣ୍ଡେସନ ପକ୍ଷରୁ ବିଦ୍ୟୋତ୍ତମା ସାହିତ୍ୟ ସେବକ ସମ୍ମାନରେ ସମ୍ମାନୀତ କରାଯାଇଥିଲା । ଓଡିଶା ରାଜ୍ୟ ମୁକ୍ତ ବିଶ୍ୱ ବିଦ୍ୟାଳୟ ସମ୍ବଲପୁରରୁ କୁଳସଚିବ ଭାବେ ଗତବର୍ଷ ଅବସର ନେଇଥିବା ହିନ୍ଦୀ ସାହିତ୍ୟର ବରିଷ୍ଠ ପ୍ରଫେସର ଡକ୍ଟର କରଶର୍ମାଙ୍କୁ ଉତ୍କଳୀୟ ତଥା ଭାରତୀୟ ଶିକ୍ଷା, ସାହିତ୍ୟ, ଭାଷା ଓ ସଂସ୍କୃତିର ରାଷ୍ଟ୍ରୀୟ ଓ ଅର୍ନ୍ତରାଷ୍ଟ୍ରୀୟ ସ୍ତରରେ ଉଲ୍ଲେଖନୀୟ ରଚନାତ୍ମକ ଅବଦାନ ପାଇଁ ଏହି ବିଶେଷ ସମ୍ମାନରେ ସମ୍ମାନୀତ କରାଯାଇଛି । ତ୍ରିଭୁବନ ବିଶ୍ୱ ବିଦ୍ୟାଳୟ କେନ୍ଦ୍ରୀୟ ହିନ୍ଦୀ ବିଭାଗ ଏବଂ ଭାରତର ଶ୍ରୀରାମ ସୁହାଗ ତିଲକ କଲେଜ ଅଫ ଏଜୁକେସନ, ସମ୍ବଦ୍ଧ ମଗଧ ବିଶ୍ୱ ବିଦ୍ୟାଳୟ, ବିହାର ଓ କାଠମାଣ୍ଡୁର ହିମାଳିନୀ ଡକ୍ଟର କୃଷ୍ଣ ଚନ୍ଦ୍ର ମିଶ୍ର ପବ୍ଲିକେସନର ମିଳିତ ଆନୁକୂଲ୍ୟରେ ଆୟୋଜିତ ସଙ୍ଗୋଠୀରେ ମୁଖ୍ୟ ଅତିଥି ଭାବେ ଯୋଗ ଦେବା ଅବସରରେ ପ୍ରଫେସର ଡକ୍ଟର କରଶର୍ମାଙ୍କୁ ଏହି ସମ୍ମାନରେ ବିଭୂଷିତ କରାଯାଇଛି । ପ୍ରଫେସର ଡକ୍ଟର କରଶର୍ମା ଶାନ୍ତିନିକେତନ ବିଶ୍ୱଭାରତୀ ବିଶ୍ୱ ବିଦ୍ୟାଳୟରୁ ହିନ୍ଦୀ ସାହିତ୍ୟରେ ଏମ୍‌.ଏ ଓ ପି.ଏଚ୍‌.ଡି ଡିଗ୍ରୀ ହାସଲ କରିବା ପରେ ପଶ୍ଚିମବଙ୍ଗର ସିଲିଗୁଡି କଲେଜ ଓ ଓଡିଶାର ଅନୁଗୁଳ, ରାଉରକେଲା, ସମ୍ବଲପୁରରେ ବିଭିନ୍ନ ସରକାରୀ ମହାବିଦ୍ୟାଳୟରେ ହିନ୍ଦୀ ଅଧ୍ୟାପକ ଓ ପ୍ରାଧ୍ୟାପକ ଭାବେ କାର୍ଯ୍ୟ କରିବା ପରେ ଓଡିଶା ସରକାରଙ୍କ ଦ୍ୱାରା ସମ୍ବଲପୁରରେ ସ୍ଥାପିତ ରାଜ୍ୟର ପ୍ରଥମ ମୁକ୍ତ ବିଶ୍ୱ ବିଦ୍ୟାଳୟ ଓଡିଶା ରାଜ୍ୟ ମୁକ୍ତ ବିଶ୍ୱ ବିଦ୍ୟାଳୟ ‘ଓସୋ’ର ସର୍ବପ୍ରଥମ କୁଳସଚିବ ଭାବେ ସଫଳତାର ସହ ନିଜ କାର୍ଯ୍ୟକାଳ ସମ୍ପୂର୍ଣ୍ଣ କରି ଗତବର୍ଷ ଜାନୁଆରୀ ମାସରେ ଅବସର ଗ୍ରହଣ କରିଥିଷଲ । ଅବସର ନେବା ପରେ ଓଡିଆ ଭକ୍ତି ସାହିତ୍ୟର ଦୁଇ ମୁଖ୍ୟ କୃତି ବଳରାମ ଦାସଙ୍କ ଲୋକପ୍ରିୟ ଲକ୍ଷ୍ମୀ ପୁରାଣ ଓ ସନ୍ଥକବି ଭୀମଭୋଇଙ୍କ ସ୍ତୁତି ଚିନ୍ତାମଣି ଆଦି କେତେକ ପ୍ରାଚୀନ ଧାର୍ମିକ ଓ ସାଂସ୍କୃତିକ ଗ୍ରନ୍ଥର ହିନ୍ଦୀ ଟୀକା କରି ଓଡିଶାର ଏହି ଅନବଦ୍ୟ କାଳଜୟୀ କୃତିକୁ ଜାତୀୟ ଓ ଆନ୍ତର୍ଜାତୀୟ ସ୍ତରରେ ଲୋକପ୍ରିୟ କରାଇ ପାରିଥିଲେ । ଭଦ୍ରକ ଜିଲା ବନ୍ତ ବ୍ଲକ ନିମାପଡା ଗ୍ରାମର ଆଦର୍ଶ ହିନ୍ଦୀ ଶିକ୍ଷକ ପଣ୍ଡିତ ପୁରୁଷୋତ୍ତମ କରଶର୍ମା ଓ ଅନ୍ନପୂର୍ଣ୍ଣା ଦେବୀଙ୍କ ଜ୍ୟେଷ୍ଠପୁତ୍ର ତଥା ସାହିତ୍ୟିକ ଗଣେଶ ପ୍ରସାଦ କରଶର୍ମାଙ୍କ ପୁତୁରା ଡକ୍ଟର କରଶର୍ମା ନିଜର ସାରସ୍ୱତ ସାଧନା ପାଇଁ ପୂର୍ବରୁ ବହୁବାର ବିଭିନ୍ନ କ୍ଷେତ୍ରୀୟ ଓ ରାଷ୍ଟ୍ରୀୟ ସ୍ତରରେ ସମ୍ମାନରେ ସମ୍ମାନୀତ ହୋଇସାରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ