ନେପାଳ ପୁଲିସର ଗୁଳି ଚାଳନାରେ ଜଣେ ମୃତ, ୪ ଆହତ
ନୂଆଦିଲ୍ଲୀ: ଶୁକ୍ରବାର ନେପାଳ ସୀମାନ୍ତରେ ଏକ ଘଟଣାକୁ ନେଇ ଉତ୍ତେଜନା ଲାଗି ରହିଛି। ନେପାଳ ସୀମାନ୍ତଙ୍କୁ ଲାଗିଥିବା ବିହାର ରାଜ୍ୟର ସୀତାମାଢ଼ି ଜିଲ୍ଲାରେ ନେପାଳ ପୁଲିସର ଗୁଳି ଚାଳନାରେ ଜଣେ ଭାରତୀୟଙ୍କ ମୃତ୍ୟୁ ହୋଇଛି । ଏହି ଘଟଣାରେ ଅନ୍ୟ ୪ ଜଣ ଆହତ ହୋଇଥିବା ଜଣାପଡ଼ିଛି। ବିଶେଷସୂତ୍ରରୁ ଜଣାପଡ଼ିଛି ଯେ, ସୋନବର୍ଷା ଥାନା ଅଧୀନ ପିପ୍ରା ପରସୈନ୍ ପଞ୍ଚାୟତ ଅଧୀନ ଲାଲବନ୍ଦୀ-ଜାନକୀ ନଗର ସୀମାନ୍ତରେ କିଛି ଭାରତୀୟ ଏବଂ ନେପାଳ ପୁଲିସ କର୍ମଚାରୀଙ୍କ ମଧ୍ୟରେ ସଂଘର୍ଷ ଉପୁଜିବାରୁ ଗୁଳିକାଣ୍ଡ ଘଟିଥିଲା। ପୁଲିସ ମୁଖ୍ୟାଳୟର ଅତିରିକ୍ତ ମହାନିର୍ଦେଶକ ଜିତେନ୍ଦ୍ର କୁମାର ମୃତାହତଙ୍କ କଥା ସୁନିଶ୍ଚିତ କରି କହିଛନ୍ତି। ଗୁଳିକାଣ୍ଡ ଘଟିଥିବା ସ୍ଥାନଟି ନେପାଳ ସୀମା ମଧ୍ୟରେ ଅବସ୍ଥିତ । ସ୍ଥାନୀୟ ଲୋକମାନେ କହନ୍ତି, ଚାଷଜମିରେ କାମ କରୁଥିବା ୨୫ ବର୍ଷିୟ ବିକେଶ କୁମାର ରାୟଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଛି ଏବଂ ଉମେଶ ରାମ ଏବଂ ଉଦୟ ଠାକୁରଙ୍କ ଦେହରେ ଗୁଳି ଚୋଟ ଲାଗିଛି। ଲଗନ ରାୟ ନାମକ ଅନ୍ୟ ଜଣେ ବ୍ୟକ୍ତିଙ୍କୁ ନେପାଳ ପୁଲିସ ଅଟକ ରଖିଥିବା କଥା କୁହାଯାଉଛି। ଚିକିତ୍ସା ନିମନ୍ତେ ଆହତମାନଙ୍କୁ ସୀତାମାଢ଼ି ଡାକ୍ତରଖାନାକୁ ନିଆଯାଇଛି।