ନୈରାଶ୍ୟଜନକ ସ୍ଥିତି
ବିକାଶ ସଂକ୍ରାନ୍ତୀୟ ୩ଟି ଆନ୍ତର୍ଜାତିକ ସର୍ଭେ ରିପୋର୍ଟ ତଥା ବିଶ୍ୱ ବ୍ୟାଙ୍କର ମାନବ ପୁଞ୍ଜି ସୂଚକାଙ୍କ (ହ୍ୟୁମାନ କ୍ୟାପିଟାଲ ଇଣ୍ଡେକ୍ସ), ୨୦୧୮ର ଆନ୍ତର୍ଜାତିକ ଭୋକିଲା ସୂଚକାଙ୍କ (୨୦୧୮ ଗ୍ଲୋବାଲ ହଙ୍ଗର ଇଣ୍ଡେକ୍ସ) ଏବଂ ଅକ୍ସଫାମ ଇଂଟରନ୍ୟାସନାଲର ୨୦୧୮ର ଅସମାନତା ହ୍ରାସ ସକଳ୍ପ ସୂଚକାଙ୍କ (୨୦୧୮ କମିଟିମେଂଟ ଟୁ ରେଡୁସିଂ ଇନେକ୍ୱାଲିଟ୍ ଇଣ୍ଡେକ୍ସ) ସର୍ଭେ ରିପୋର୍ଟରେ ଭାରତର ସ୍ଥିତି ନେଇ ଯେଉଁ ତଥ୍ୟ ପ୍ରକାଶ ପାଇଛି ତାହା କେବଳ ନୈରାଶ୍ୟଜନକ ନୁହେଁ ଅତ୍ୟନ୍ତ ଚିନ୍ତାଜନକ ବୋଲି କୁହାଯାଇପାରିବ । ଏହି ତିନୋଟି ଆନ୍ତର୍ଜାତିକ ସର୍ଭେ ରିପୋର୍ଟରେ ଭାରତର ପାରଦର୍ଶିତାର, ସ୍ଥିତି ଅତ୍ୟନ୍ତ ନିମ୍ନ ସ୍ତରରେ ରହିଛି । ମାନବ ପୁଞ୍ଜି ସୂଚକାଙ୍କ ନେଇ ୧୫୭ଟି ଦେଶକୁ ନେଇ କରାଯାଇଥିବା ସର୍ଭେରେ ଭାରତର ସ୍ଥାନ ତାଲିକାର ୧୧୫ତମ ସ୍ଥାନରେ ଥିବାବେଳେ ଭୋକିଲା ତାଲିକାରେ ୧୧୯ଟି ରାଷ୍ଟ୍ରଙ୍କ ମଧ୍ୟରେ ୧୦୩ତମ ସ୍ଥାନରେ ରହିଛି । ସେହିପରି ଅସମାନତା ସୂଚକାଙ୍କ ତାଲିକାରେ ୧୫୭ଟି ରାଷ୍ଟ୍ରଙ୍କ ମଧ୍ୟରେ ଭାରତର ସ୍ଥାନ ୧୪୭ରେ ରହିଛି । ପୂର୍ବରୁ ଗତ ସେପ୍ଟେମ୍ବର ମାସରେ ମିଳିତ ଜାତିସଂଘର ବିକାଶ କାର୍ଯ୍ୟକ୍ରମର ମାନବ ବିକାଶ ସୂଚକାଙ୍କ (ହ୍ୟୁମାନ ଡେଭଲପମେଂଟ ଇଣ୍ଡେକ୍ସ)ରେ ୧୮୯ଟି ଦେଶଙ୍କ ମଧ୍ୟରେ ଭାରତର ସ୍ଥାନ ୧୩୦ତମ ସ୍ଥାନରେ ରହିଥିଲା । କହିବା ବାହୁଲ୍ୟ ଯେ, ଭାରତ ଏବେ ବିଶ୍ୱର ଚତୁର୍ଥ ଅର୍ଥନୈତିକ ଶକ୍ତି ସମ୍ପନ୍ନ ରାଷ୍ଟ୍ରରେ ପରିଣତ ହୋଇଥିବାବେଳେ ବିଭିନ୍ନ କ୍ଷେତ୍ରରେ ବିକାଶ ନେଇ ସରକାର ଦାବି କରୁଥିବାବେଳେ ଚାରି ଚାରୋଟି ଆନ୍ତର୍ଜାତିକ ସର୍ଭେ ରିପୋର୍ଟ ଦେଶର ବାସ୍ତବ ସ୍ଥିତି ସମ୍ପର୍କରେ ସୂଚନା ପ୍ରଦାନ କରିଛି । ଦେଶରେ ଭୋକିଲା ଲୋକଙ୍କ ସଂଖ୍ୟା ବର୍ଷକୁ ବର୍ଷ ବଢିବାରେ ଲାଗିଛି । ଭୋକିଲା କ୍ଷେତ୍ରରେ ଭାରତର ସ୍ଥିତି ଅତ୍ୟନ୍ତ ଉଦ୍ବେଗଜନକ ରହିଛି । ଗତ ବର୍ଷ ଭୋକିଲା ତାଲିକାରେ ଭାରତ ୧୦୦ତମ ସ୍ଥାନରେ ଥିବାବେଳେ ଏ ବର୍ଷ ଆଉ ୩ଟି ସ୍ଥାନ ତଳକୁ ଖସି ୧୦୩ରେ ରହିଛି । କାହାରିକୁ ଭୋକିଲା ନରଖିବା ପାଇଁ ଜାତୀୟ ଖାଦ୍ୟ ସୁରକ୍ଷା ଆଇନ ପ୍ରଣୟନ କରି ସରକାର ରିହାତି ଦରରେ ସାଧାରଣ ବଂଟନ ବ୍ୟବସ୍ଥା ଜରିଆରେ ମୁଣ୍ଡ ପିଛା ୫କେଜି ଖାଦ୍ୟଶସ୍ୟ ଯୋଗାଇ ଦେଉଥିବା ବେଳେ ୨୦ କେଜିରୁ ଉର୍ଦ୍ଧ୍ୱ ଲୋକ ଦୁଇ ଓଳି ପେଟ ପୁରା ଖାଇବାକୁ ପାଉନାହାଁନ୍ତି । ପରିଣତି ସ୍ୱରୁପ ଦେଶରେ ଅପପୁଷ୍ଟିର ଶିକାର ଶିଶୁଙ୍କ ସଂଖ୍ୟା ବଢିବାରେ ଲାଗିଛି । ମାନବ ପୁଞ୍ଜି ସୂଚକାଙ୍କରେ ଜଣେ ନବଜାତ ଶିଶୁର ଜୀବିତ ରହିବାର ସମ୍ଭାବନା ଉପରେ ଆଶଙ୍କା ପ୍ରକାଶ କରାଯାଇଛି । ଜଣେ ନବଜାତ ଶିଶୁ ୧୮ବର୍ଷ ବୟସରେ ପହଁଚି ପାରିବାର ଅର୍ଥାତ୍ ଜୀବିତ ରହିବାର ସମ୍ଭାବନା ନେଇ ଆଶଙ୍କା ପ୍ରକାଶ ପାଇଛି । କେବଳ ଏତିକି ନୁହେଁ, ସ୍ୱାସ୍ଥ୍ୟ ଓ ଶିକ୍ଷା କ୍ଷେତ୍ରରେ ମଧ୍ୟ ଉଦ୍ବେଗଜନକ ସ୍ଥିତି ରହିଛି । ସ୍ୱାସ୍ଥ୍ୟ କ୍ଷେତ୍ର ସର୍ବଦା ଅବହେଳିତ ହୋଇ ରହିଛି । ଏହା ସତ୍ୟ ଯେ, ସ୍ୱାସ୍ଥ୍ୟ କ୍ଷେତ୍ରରେ ଭାରତର ଖର୍ଚ୍ଚ ଅନ୍ୟ ବହୁ ରାଷ୍ଟ୍ରଙ୍କ ତୁଳନାରେ କମ୍ ରହିଛି । ଶିକ୍ଷା କ୍ଷେତ୍ରରେ ବି ସମାନ ସ୍ଥିତି । ଦେଶରେ ପ୍ରାଥମିକ ଶିକ୍ଷାର ସ୍ଥିତି ବିପର୍ଯ୍ୟାସ୍ତ । ବେକାରୀ ସ୍ଥିତି ଉତ୍କଟ । ଆହୁରି ମଧ୍ୟ ଅସମାନତା ଦିନକୁ ଦିନ ବଢିବାରେ ଲାଗିଛି । ଧନୀ-ଦରିଦ୍ର ପାର୍ଥକ୍ୟ ଦିନକୁ ଦିନ ବଢିବାରେ ଲାଗିଛି । ଧନୀ ଅଧିକରୁ ଅଧିକ ଧନୀ ହେଉଥିବାବେଳେ ଗରୀବ ଅଧିକରୁ ଅଧିକ ଗରୀବ ହେବାରେ ଲାଗିଛି । ଗୋଟିଏ ଗୋଷ୍ଠୀ ଶୋଷିତ, ନିର୍ଯ୍ୟାତିତ ହେଉଥିବା ବେଳେ ଅନ୍ୟ ଗୋଷ୍ଠୀଟି ଶୋଷଣ କରିଚାଲିଛି । ମାନବ ବିକାଶର ସ୍ଥିତି ନୈରାଶ୍ୟଜନକ ରହିଛି । ଭାରତର ସ୍ଥିତି ଏପରି ରହିଛି ଯେ, ପଡୋଶୀ ରାଷ୍ଟ୍ରଗୁଡିକ ବିଭିନ୍ନ ସୂଚକାଙ୍କରେ ଭାରତ ଉପରେ ରହିଅଛି । ତେବେ ଏଥିପାଇଁ ପ୍ରଶାସନିକ ଦକ୍ଷତାହୀନ, ପାଣ୍ଠିର ଅଭାବ, ଭୁଲ ନୀତି, ଦୁର୍ବଳ କାର୍ଯ୍ୟକାରିତା, ଦୁର୍ନୀତି, ହେରଫେର ଆଦି ଏଭଳି ସ୍ଥିତିର କାରଣ ବୋଲି କୁହାଯାଇଛି । ତେବେ ଆନ୍ତର୍ଜାତିକ ସର୍ଭେ ରିପୋର୍ଟକୁ କେନ୍ଦ୍ର ସରକାର ଖାରଜ କରି ଦେଇଛନ୍ତି । ଅର୍ଥ ମନ୍ତ୍ରଣାଳୟ ପକ୍ଷରୁ ଏକ ବିବୃତିରେ କୁହାଯାଇଛି ଯେ, ସାମଗ୍ରିକ ଶିକ୍ଷା, ଅଭିଯାନ, ଆୟୁଷ୍ମାନ ଭାରତ, ପ୍ରଧାନମନ୍ତ୍ରୀ ଉଜ୍ଜ୍ୱଳା ଯୋଜନା, ଜନଧନ ଯୋଜନା ଏବଂ ସରକାରଙ୍କର ବିଭିନ୍ନ ଜନହିତକର ଯୋଜନା ପ୍ରତି ସର୍ଭେ ରିପୋର୍ଟରେ ଧ୍ୟାନ ଦିଆଯାଇନାହିଁ । ସରକାର ଯୋଜନା, ପରେ ଯୋଜନା କରିଚାଲିଛନ୍ତି ସତ ମାତ୍ର ଏହାର ସଫଳ ରୂପାୟନ ହୋଇପାରିନାହିଁ । ଜନଧନ ଯୋଜନାରେ ଶୂନ୍ୟ ବାଲାନ୍ସରେ ଖୋଲିଥିବା ଆକାଉଂଟର ଦୟନୀୟ ସ୍ଥିତି । ବହୁ ଖାତାଧାରୀ ଏବେ ବିଭିନ୍ନ କାରଣରୁ ନିଜ ଆକାଉଂଟ ବନ୍ଦ କରିଦେଇଥିବା ନଜୀର ରହିଛି । ଦୁର୍ନୀତି, ଅନିୟମିତତା ଯୋଜନା ବିଫଳର ମୁଖ୍ୟ କାରଣ । ଯୋଜନା ବ୍ୟୟର ୮୫ ପ୍ରତିଶତ ବାଟମାରଣା ହେଉଥିବାବେଳେ ୧୫% ଉପଭୋକ୍ତାଙ୍କ ନିକଟରେ ପହଁଚିଥିବାବେଳେ ସେଥିରୁ ସୁଫଳ ଆଶା କରିବା ବୃଥା । ବିଜ୍ଞାନ, କାରିଗରୀ କୌଶଳ, ମହାକାଶ, ଅର୍ଥନୈତିକ ପ୍ରଗତି କ୍ଷେତ୍ରରେ ଉଲ୍ଲେଖନୀୟ ସଫଳତା ହାସଲ କରିଥିବା ନେଇ ସରକାର ଦାବି କରୁଥିବା ବେଳେ ବାସ୍ତବରେ ସ୍ଥିତି ଯେ ଭିନ୍ନ ଏହା ସ୍ୱୀକାର କରିବାକୁ ହେବ । ବିକାଶ ପାଇଁ ଅଙ୍ଗିକାରବଦ୍ଧତା ଲୋଡା ଯାହା ଅଭାବ ପରିଲକ୍ଷିତ ହେଉଛି । ପର୍ଯ୍ୟାପ୍ତ ପାଣ୍ଠିର ସୁବିନିଯୋଗ ପ୍ରତି ସରକାର ଧ୍ୟାନ ଦେବା ଜରୁରୀ ।
ସୌଭାଗ୍ୟ ରଂଜନ ମହାନ୍ତି
ଶିଶୁପାଳଗଡ,-୭୫୧୦୦୨
ମୋବାଇଲ ନଂ-୯୪୩୭୯୯୪୩୭୯


