ନୋ-ଏନ୍ଟ୍ରି ସମୟରେ ଭାରୀ ଜାନକୁ ଏନ୍ଟ୍ରି ଦେବାପାଇଁ ଲାଂଚ କାରବାର
ଯୋଡା,(ସମୀର କୁମାର ଦାସ) : କେନ୍ଦୁଝର ଜିଲା ପ୍ରଶାସନ ପକ୍ଷରୁ ଭାରୀଯାନ ଚଳାଚଳ ଉପରେ ସାମହିକ କଟକଣା ବା ନୋ-ଏନ୍ଟ୍ରି ଥିବା ବେଳେ ଏହି ନୋ-ଏନ୍ଟ୍ରି ସମୟରେ, ଭାରୀ ଯାନକୁ ଏନ୍ଟ୍ରି ଦେବାପାଇଁ କିଛି ଅସାଧୁ କର୍ମଚାରୀ ଯୋଡା ଓ ବଡବିଲ ଅଂଚଳରେ ଟ୍ରକ ଗୁଡିକରୁ ବେଆଇନ ଅର୍ଥ ଆଦାୟ କରୁଥିବା ନାମକୁ ଗୋପନ ରଖି କିଛି ଟ୍ରକ୍ ମାଲିକ ଅଭିଯୋଗ କରିଛନ୍ତି । ଯୋଡା ଖଣିମଣ୍ଡଳରୁ ହଜାର ହଜାର ଟ୍ରକ ଓ ଡମ୍ପର ଖଣିଜ ବୋଝେଇ କରି ବିଭିନ୍ନ କାରଖାନା, ରେଳ ସାଇଡିଂ, ବିଭିନ୍ନ ବନ୍ଦରକୁ ଯାଇଥାନ୍ତି । ଏହି ପରିବହନ ସମୟରେ ବ୍ୟାପକ ଟ୍ରାଫିକ୍ ସମସ୍ୟା ଉପୁଜୁଥିବା ହେତୁ ଜିଲ୍ଲା ପ୍ରଶାସନ ଟ୍ରାଫିକ ବ୍ୟବସ୍ଥାରେ ସୁଧାର ଆଣିବାପାଇଁ ତଥା ସାଧାରଣ ଜନତାଙ୍କ ସୁବିଧା ପାଇଁ ଭାରୀଯାନ ନୋ-ଏନ୍ଟ୍ରି ବ୍ୟବସ୍ଥା ଲାଗୁ କରିଥିଲେ । କିନ୍ତୁ ନୋ-ଏନ୍ଟ୍ରି ସମୟରେ ଏଠାରେ ଭାରୀଯାନକୁ ଅନାୟସରେ ଏନ୍ଟ୍ରି ମିଳୁଛି । ଫଳରେ ଟ୍ରାଫିକ ସମସ୍ୟା ଏକ ପ୍ରମୁଖ ସମସ୍ୟା ଭାବେ ଯୋଡା ଖଣି ଅଂଚଳରେ ଦେଖିବାକୁ ମିଳୁଛି । ପ୍ରଶାସନିକ ସ୍ତରରେ ଭାରୀଯାନ ନୋ-ଏନ୍ଟ୍ରି କଟକଣାକୁ ଗୁରୁତ୍ୱର ସହିତ ଜିଲ୍ଲା ପ୍ରଶାସନ ନେଉନଥିବା ବେଳେ ଏହାର ଫାଇଦା ଉଠାଉଛନ୍ତି କିଛି ଅସାଧୁ ପୋଲିସ କର୍ମଚାରୀ ଓ କିଛି ଅସାଧୁ ପରିବହନ ବିଭାଗ ଅଧିକାରୀ । ନିଜର ନାମକୁ ଗୋପନରେ ରଖି ଏକାଧିକ ଟ୍ରକ ଡ୍ରାଇଭର କହିଛନ୍ତି ଯେ, ବଡବିଲ ଠାରେ ଥିବା ପରିବହନ ବିଭାଗର କିଛି ଅସାଧୁ କର୍ମଚାରୀ ରୋଇଡା ଛକ, ରଣାଶାଳ ଛକ, ଲହଣ୍ଡା, କଳାପାହାଡ ପ୍ରଭୃତି ଅଂଚଳରେ ଟ୍ରକ ଗୁଡିକରୁ ବିଭିନ୍ନ ଆଳ ଦେଖାଇ ଡ୍ରାଇଭର ମାନଙ୍କୁ ଭୟଭୀତ କରାଇ ଟଙ୍କା ଆଦାୟ କରୁଛନ୍ତି । ଯାହାର କି କୌଣସି ରସିଦ୍ ସେମାନଙ୍କୁ ଦିଆଯାଉନଥିବା ଡ୍ରାଇଭରମାନେ ଅଭିଯୋଗ କରିଛନ୍ତି । ସେହିପରି ଯୋଡା ସହର ମଧ୍ୟରେ ଥିବା ବାଂଶପାଣି, କୋମାରଯୋଡା, ଯୋଡା ମାର୍କେଟ, ଡିଏଭି ସ୍କୁଲ ଛକ ରାସ୍ତାରେ କିଛି ଅସାଧୁ ପୋଲିସ୍ କର୍ମଚାରୀ ନୋ-ଏନ୍ଟ୍ରି ସମୟରେ ଟ୍ରକ ଗୁଡିକରୁ ଟଙ୍କା ଆଦାୟ କରି ଟ୍ରକ ଗୁଡିକୁ ଏନ୍ଟ୍ରି ଦେଉଛନ୍ତି । ଏ ସଂକ୍ରାନ୍ତରେ ଯୋଡା ଥାନା ଅଧିକାରୀ ରାଇସେନ ମୁର୍ମୁଙ୍କୁ ପଚାରିବାରୁ ସେ କହିଥିଲେ ଯେ, ବର୍ତମାନ ସେ ଛୁଟିରେ ଅଛନ୍ତି । ଏହି ଘଟଣା ସମ୍ପର୍କରେ ଅବଗତ କରାଇଥିବାରୁ ସେ ପ୍ରଥମେ ଧନ୍ୟବାଦ ଦେଇ କହିଥିଲେ ଯେ, ଛୁଟିରୁ ଫେରି କାର୍ଯ୍ୟରେ ଯୋଗ ଦେବା ପରେ ଏ ଘଟଣା ସମ୍ପର୍କରେ ପୃଙ୍ଖାନୁପୁଙ୍ଖ ତଦନ୍ତ କରିବେ । ଏ ନେଇ ଏକ ଉଚ୍ଚସ୍ତରୀୟ ତଦନ୍ତ କରାଗଲେ ଅନେକ ଅସାଧୁ ସରକାରୀ କର୍ମଚାରୀଙ୍କ ଅସଲ ଚେହେରା ପଦାରେ ପଡିବ ବୋଲି ବୁଦ୍ଧିଜୀବି ମହଲରେ ମତପ୍ରକାଶ ପାଇଛି ।


