‘ନ୍ୟାୟଯାତ୍ରା’ର ନବମ ଦିନରେ ଶେଷଦେବ ନନ୍ଦଙ୍କ ଦୁର୍ବାର ଆହ୍ୱାନ

ନୟାଗଡ଼,(ଯୁଗାବ୍ଦ ନ୍ୟୁଜ୍‌) : ଚାଷୀ ପେନ୍‌ସନ ଦାବୀ ହାସଲ ପାଇଁ ନବନିର୍ମାଣ କୃଷକ ସଂଗଠନର ରାଜ୍ୟମୁଖ୍ୟ ଶେଷଦେବ ନନ୍ଦ ଆରମ୍ଭ କରିଥିବା ‘ନ୍ୟାୟଯାତ୍ରା’ ଆଜି ନବମ ଦିନରେ ପହଞ୍ôଚଛି । ସୂଚନାଯୋଗ୍ୟ ଯେ, ଓଡ଼ଗାଁ ରଘୁନାଥପୀଠରୁ ଆରମ୍ଭ ହୋଇଥିବା ନ୍ୟାୟଯାତ୍ରା ଆଜି ନବମ ଦିନରେ ପହଞ୍ôଚଥିଲା ବେଳେ ଗାଁ ଗାଁରେ ଶେଷଦେବ ନନ୍ଦ ତାଙ୍କର ଜ୍ୱାଳାମୁଖୀ ବକ୍ତବ୍ୟ ରଖିବା ସହ ସରକାରଙ୍କ ଉପରେ ବର୍ଷିଛନ୍ତି । ସବୁ ଗ୍ରାମସଭାରେ ଚାଷୀମାନଙ୍କୁ ଉଦ୍‌ବୋଧନ ଦେଇ ସେ କହିଥିଲେ ଯେ, ଭାରତ ଏକ କୃଷିପ୍ରଧାନ ଦେଶ ଓ ଓଡ଼ିଶା ଏକ କୃଷିପ୍ରଧାନ ରାଜ୍ୟ । ତେଣୁ ଏଠାରେ କୃଷିକୁ କେନ୍ଦ୍ରରେ ରଖି କୃଷି ଉଦ୍ୟୋଗ ଆଧାରିତ ଯୋଜନା ଆବଶ୍ୟକ । କିନ୍ତୁ ଶାସକଙ୍କ ଯୋଜନା ଏଭଳି ହୋଇଛି ଯେ ଯେଭଳି କୃଷକ ଆତ୍ମହତ୍ୟା କରିବ । ମାମୁଲି ସ୍ୱଳ୍ପ ସଂଖ୍ୟକ ବ୍ରିଟିଶ ଯେଭଳି ଭାରତବାସୀଙ୍କ ଉପରେ ଅତ୍ୟାଚାର ଚଳାଇଥିଲେ ଏବେ ସେଭଳି ସ୍ୱଳ୍ପସଂଖ୍ୟକ ଆଇ.ଏ.ଏସ୍‌., ମନ୍ତ୍ରୀ ଓ ବିଧାୟକ ସମ୍ବିଧାନ ଓ ଗଣତନ୍ତ୍ର ନାଁରେ ଦେଶବାସୀଙ୍କ ଉପରେ ଅତ୍ୟାଚାର ଚଳାଇଛନ୍ତି । ଏହି ଶୋଷଣର ଢାଞ୍ଚା ଓ କୌଶଳକୁ ଚାଷୀମାନେ ବୁଝି ଦୁର୍ବାର ଭାବରେ ସଂଗଠିତ ନହେଲେ ଚାଷୀ ଆନ୍ଦୋଳନରେ ଆମର ଜିତାପଟ ହେବନାହିଁ । ଚାଷୀମାନେ ପାରମ୍ପରିକ ପର୍ବପର୍ବାଣୀରେ ଖର୍ଚ୍ଚ କଲାବେଳେ ଆନ୍ଦୋଳନ ପାଇଁ ଅର୍ଥଦାନ ଓ ସମୟଦାନ କରି ଆନ୍ଦୋଳନକୁ ନିର୍ଣ୍ଣୟାକ ମୋଡ଼କୁ ନେବା ପାଇଁ ହେଉଥିବା ଦାନ ମହାଯଜ୍ଞରେ ସାମିଲ ହୁଅନ୍ତୁ । ସଂଖ୍ୟାଦୃଷ୍ଟିରୁ ଏ ଲଢେଇରେ ଚାଷୀଙ୍କର ଏକତରଫା ବିଜୟ ହେବ ଓ କଳା ବ୍ରିଟିଶଙ୍କ ଶାସନର ଅନ୍ତ ଘଟିବ । କିନ୍ତୁ ଏଥିପାଇଁ ଯେଉଁ ସଂକଳ୍ପ ଓ ସମର୍ପଣର ଆବଶ୍ୟକତା ଅଛି ସେ କଥା ଚାଷୀମାନଙ୍କୁ କରିବାକୁ ପଡ଼ିବ । ସଂଗଠନ ଜିଲ୍ଲା ସଂଯୋଜକ ମହେଶ୍ୱର ଜେନା ଓ ସହ ସଂଯୋଜକ ରଣଜିତ ଦଳବେହେରା ତାଙ୍କ ବକ୍ତବ୍ୟରେ କହିଲେ ଯେ, ଅଂହିସା ଓ ଗଣତାନ୍ତ୍ରିକ ଉପାୟରେ ଯେତେ ଆନ୍ଦୋଳନ କଲେ ମଧ୍ୟ ସରକାର କିମ୍ବା ଜିଲ୍ଲା ପ୍ରଶାସନ ତାକୁ ଶୁଣୁ ନାହାଁନ୍ତି ଓ ଏଡ଼ାଇ ଯାଉଛନ୍ତି । ଏଥିପାଇଁ ଚାଷୀମାନେ ଆନ୍ଦୋଳନର ସଫଳତା ପାଇବାକୁ ହେଲେ ବ୍ୟାପକଭାବେ ସେମାନଙ୍କୁ ସଂଗଠିତ ହେବାକୁ ପଡ଼ିବ । ସେମାନଙ୍କ ନାକ ଧରିଲେ ହିଁ ସେମାନେ ଆମ ସପକ୍ଷରେ ମୁହଁ ଖୋଲିବେ । ଆଜିର ପଦଯାତ୍ରାରେ ଅନ୍ୟମାନଙ୍କ ମଧ୍ୟରେ ସର୍ବଶ୍ରୀ ସୁରେନ୍ଦ୍ର ନାଥ ମହାରଣା, ବାଉରୀବନ୍ଧୁ ବେହେରା, ଭାଗବତ ପରିଡ଼ା ପ୍ରମୁଖ ସାମିଲ୍ ଥିଲାବେଳେ  ସୁନାହାଟି, ଗମ୍ଭାରିନିହି, ତ୍ରିପୁରା ଗ୍ରାମରେ ସଭା ଅନୁଷ୍ଠିତ ହୋଇଥିଲା । ପ୍ରତି ଗ୍ରାମରେ ଲୋକମାନେ ସଂକୀର୍ତ୍ତନ କରି ହୁଳହୁଳି, ହରିବୋଲ ପକାଇ ପଦଯାତ୍ରାକୁ ସମ୍ବର୍ଦ୍ଧିତ କରିବା ସହ ପଦଯାତ୍ରାରେ ସାମିଲ୍ ହୋଇଥିଲେ । ପଦଯାତ୍ରା ପରେ ଗ୍ରାମବାସୀଙ୍କ ତରଫରୁ ଚାଷୀନେତାଙ୍କ ଆହ୍ୱାନକୁ ସମ୍ମାନ ଜଣାଇ ଘରୁ ଘରୁ ପାଣି ସଂଗ୍ରହ କରି ରାଜ୍ୟ ସଂଯୋଜକଙ୍କୁ ଅର୍ପଣ କରାଯାଇଥିଲା । ଆଜିର ପଦଯାତ୍ରାରେ ଦୁର୍ଯ୍ୟୋଧନ ହାତୀ, ଲିଙ୍ଗରାଜ ମୁଦୁଲି, ଗୋକୁଳାନନ୍ଦ ଜେନା, ସୁରେଶ ଚନ୍ଦ୍ର ସାହୁ, ନଟବର ଗୋଚ୍ଛି, ରମେଶ ଚନ୍ଦ୍ର ପଣ୍ଡା ପ୍ରମୁଖ ସାମିଲ୍ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ