ନ୍ୟାୟ ନମିଳିଲେ ଧାରଣା ଦେବ ଭିନ୍ନକ୍ଷମ ସୁରକ୍ଷା ମଞ୍ଚ
ବନ୍ତ, (ଚାନ୍ଦିନୀ ମହାନ୍ତି) :-ଅନ୍ୟ ଜଣଙ୍କ ନାମରେ ୱାରେଣ୍ଟ ଥାଇ ପୋଲିସ ବିନା ଦୋଷରେ ଜଣେ ଦିବ୍ୟାଙ୍ଗ ବ୍ୟକ୍ତିଙ୍କୁ ଥାନାକୁ ଉଠାଇ ଆଣି ନିର୍ଯ୍ୟାତନା ଦେବା ଘଟଣା ଏବେ ସମଗ୍ର ଜିଲାରେ ଚର୍ଚ୍ଚାର ବିଷୟ ହୋଇଛି । ଘଟଣା ସଂପର୍କରେ ସଂପୃକ୍ତ ଦିବ୍ୟାଙ୍ଗ ବ୍ୟକ୍ତି ଜଣକ ମାନବାଧିକାର କମିସନର, ଜିଲା ଆରକ୍ଷୀ ଅଧିକ୍ଷକ, ଏସ୍.ଡି.ପି.ଓଙ୍କ ଠାରେ ଅଭିଯୋଗ କରିଥିଲେ ମଧ୍ୟ ନ୍ୟାୟ ପାଇବାରେ ବିଳମ୍ବ ହେବା ଯୋଗୁ ଏବେ ବ୍ଲକ ଭିନ୍ନକ୍ଷମ ସୁରକ୍ଷା ମଞ୍ଚ ଏହି ଘଟଣାକୁ ଗୁରୁତ୍ୱ ଦେଇଛି । ୧୫ ଦିନ ମଧ୍ୟରେ ନ୍ୟାୟ ପ୍ରଦାନ କରାନଗଲେ ଜିଲା ଆରକ୍ଷୀ ଅଧିକ୍ଷକଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଓ ଅନଶନ କରାଯିବ ବୋଲି ଚେତାବନୀ ଦିଆଯାଇଛି । ପ୍ରକାଶ ଯେ, ବନ୍ତ ଥାନା ଅଧିନ ପଧାନପଡା ଗ୍ରାମର ଦିବ୍ୟାଙ୍ଗ ତଥା ବରିଷ୍ଠ ନାଗରିକ କାର୍ତ୍ତକ ଚନ୍ଦ୍ର ଯେନା(୭୬) ଜଣେ ଶାରୀରିକ ଅକ୍ଷମ ଓ ଅନୁସୂଚିତ ଜାତିର ବ୍ୟକ୍ତି ଅଟନ୍ତି । ଏଥିସହ ସେ ଜଣେ ଯାତ୍ରା କଳାକାର ଭାବେ ବେଶ ଜଣାଶୁଣା ଅଟନ୍ତି । ଗତ ତା-୧୫-୬-୨୨ ରିଖରେ ସେ ନିଜ ଝିଅ ଘରକୁ ଯାଇଥିବା ବେଳେ ଗତ ତା-୧୮-୬-୨୨ ରିଖ ରାତି ୨ଟା ବେଳେ ପୋଲିସ ତାଙ୍କ ଘରକୁ ରେଡ୍ କରିବା ସହ ତାଙ୍କ ପତ୍ନୀଙ୍କ ସହ ଅବାନ୍ତର ଯୁକ୍ତିତର୍କ କରି ଘରକୁ ସର୍ଚ୍ଚ କରିଥିଲେ । ପୁନଶ୍ଚ ଗତ ତା-୨୩-୬-୨୨ ରିଖରେ ପୋଲିସ ଶ୍ରୀ ଯେନାଙ୍କୁ ଘରୁ ଉଠାଇ ଆଣି ଥାନାରେ ଅଶ୍ରାବ୍ୟ ଭାଷାରେ ଗାଳିଗୁଲଜ କରିଥିଲେ । ମାତ୍ର ପରେ ପୋଲିସ ତାଙ୍କ ନାମରେ ୱାରେଣ୍ଟ ନଥିବା ଜାଣିବାକୁ ପାଇଥିଲା । ତେବେ ପୋଲିସ ବିନା ଦୋଷରେ କାହିଁକି ତାଙ୍କୁ୍ ଥାନାକୁ ଉଠାଇ ଆଣି ମାନସିକ ନିର୍ଯ୍ୟାତନା ଦିଆଯିବା ସହ ସମ୍ମାନ ହାନି କରାଗଲା ସେନେଇ ସଂପୃକ୍ତ ଅଧିକାରୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଦାବୀ ହୋଇଛି ।


