ନ୍ୟାୟ ପାଇଁ ଜିଲାପାଳଙ୍କୁ ପରିବାର ଲୋକଙ୍କ ନେହୁରା

ବାଲେଶ୍ୱର, (ସରୋଜ ପଣ୍ଡା):ବାଲେଶ୍ୱରରେ ସରକାରୀ ମେଡିକାଲ କଲେଜ ଓ ହସପିଟାଲ ପ୍ରତିଷ୍ଠା ହେବା ପରେ ମଧ୍ୟ ଜିଲାର ବିପର୍ଯ୍ୟସ୍ତ ସ୍ୱାସ୍ଥ୍ୟସେବାର ସୁଧାର ଆସିଲା ନାହିଁ । ତେବେ ଜିଲାର ଅନ୍ୟାନ୍ୟ ଡାକ୍ତରଖାନା ଅପେକ୍ଷା ମୁଖ୍ୟ ଚିକିତ୍ସାଳୟର ରୋଗୀମାନଙ୍କର ଦୟନୀୟ ସ୍ଥିତି ଓ ଚିକିତ୍ସା ସେବାରେ ଡାକ୍ତର ତଥା ନର୍ସଙ୍କ ଅବହେଳା ତଥା ଦାୟତ୍ୱହୀନତା ଏବେ ଉଦବେଗର ବିଷୟ ହୋଇଛି । ଏହିଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଜିଲାମୁଖ୍ୟ ଚିକିତ୍ସାଳୟରେ । ନର୍ସମାନଙ୍କ ଅବହେଳାରେ ପ୍ରସୂତିଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ସହ ନ୍ୟାୟ ପାଇଁ ପରିବାର ଲୋକେ ଜିଲାପାଳଙ୍କ ଗୋଡ଼ଧରି ଗୁହାରୀ କରିଛନ୍ତି । ମୃତ ମହିଳା ଜଣକ ସିଂଲା ଥାନା ଅନ୍ତର୍ଗତ ସାହାଡା ଗ୍ରାମର ସୁକୁମାର ମଣ୍ଡଳଙ୍କ ପତ୍ନୀ ସଜନୀ ମଣ୍ଡଳ (୨୬) । ପ୍ରସବ ଯନ୍ତ୍ରଣା ହେବାରୁ ତାଙ୍କୁ ପରିବାର ଲୋକେ ଗତ ମଙ୍ଗଳବାର ବିଳମ୍ବିତ ରାତିରେ ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ । ଅସ୍ତ୍ରୋପଚାର ମାଧ୍ୟମରେ ତାଙ୍କର ଏକ ପୁତ୍ର ସନ୍ତାନ ଜନ୍ମ ନେଇଥିଲା । ରାତିରେ ଶଯ୍ୟାରେ ଥିବା ବେଳେ ସଜନୀଙ୍କ ହାତରେ ସାଲାଇନ ଲଗାଯାଇଥିଲା । ସ୍ୱାମୀ ଓ ମାଆ ତାଙ୍କ ବେଡ ନିକଟରେ ଜଗି ରହିଥିବା ବେଳେ ସେ ଯନ୍ତ୍ରଣାରେ ଛଟପଟ ହୋଇଥିଲେ । ଯନ୍ତ୍ରଣା ବଢ଼ିବା ସାଙ୍ଗକୁ ତାଙ୍କର ଅବସ୍ଥା ଖରାପ ଆଡ଼କୁ ଯାଉଥିବା ଲକ୍ଷ୍ୟ କରି ସ୍ୱାମୀ ସୁକୁମାର ବାରମ୍ବାର ନର୍ସଙ୍କ ପାଖକୁ ଯାଇ ରୋଗୀ ଦେଖବା ପାଇଁ କାକୁତି ମୀନତି କରିଥିଲେ । ମାତ୍ର ସେଠାରେ ଥିବା ନର୍ସମାନେ ତାଙ୍କ କଥାକୁ କର୍ଣ୍ଣପାତ କରି ନଥିଲେ ସେ ଅଭିଯୋଗ କରିଛନ୍ତି । ସମୟାନୁସାରେ ଆଶୁ ଚିକିତ୍ସା ଅଭାବରୁ ଗୁରୁବାର ସକାଳ ୭ଟାରେ ସଜନୀଙ୍କ ମୃତ୍ୟୁ ହୋଇଥିବା ପରିବାର ଲୋକେ ଆରୋପ ଉଠାଇଛନ୍ତ । ପତ୍ନୀଙ୍କ ମୃତ୍ୟୁ ପାଇଁ ନର୍ସମାନଙ୍କ ଚରମ ଅବହେଳାକୁ ଦାୟୀ କରିବା ସହ ନ୍ୟାୟ ପାଇଁ ଜିଲାମୁଖ୍ୟ ଚିକିତ୍ସାଧିକାରୀ ଓ ଅନ୍ୟାନ୍ୟ ଅଧିକାରୀଙ୍କୁ ସ୍ୱାମୀ ସୁକୁମାର ଲିଖିତ ଅଭିଯୋଗ କରିଥିଲେ । ତେବେ ମୁଖ୍ୟ ଚିକିତ୍ସାଳୟ ସଭାଗୃହରେ ଆୟୋଜିତ ବିଶ୍ୱ ଏଡସ ଦିବସ କାର୍ଯ୍ୟକ୍ରମରେ ଯୋଗଦେଇ ଜିଲ୍ଲାପାଳ ଦତାତ୍ରୟ ଭାଉସାହେବ ଶିନ୍ଦେ ବାହାରୁ ଥିବା ବେଳେ ଶବ ସହ ଅପେକ୍ଷା କରିଥିବା ପ୍ରସୂତିଙ୍କ ପରିବାର ତାଙ୍କ ପାଦଧରି ନ୍ୟାୟ ପାଇଁ ନେହୁରା ହୋଇଥିଲେ । ମହିଳାଙ୍କ ସ୍ୱାମୀ ଓ ମାଆଙ୍କ ସମେତ ପରିବାର ଲୋକଙ୍କ ବୁକୁଫଟା କ୍ରନ୍ଦନ ଜିଲାପାଳଙ୍କୁ ବ୍ୟଥିତ କରିଥିବା ପରିଲକ୍ଷିତ ହୋଇଥିଲା । କ୍ରନ୍ଦନରତ ପରିବାରଙ୍କୁ ସମବେଦନ ଜଣାଇବା ସହ ଚିକିତ୍ସାରେ ଅବହେଳା କରିଥିବା ନର୍ସ ଓ ଡାକ୍ତରଙ୍କ ବିରୋଧରେ ତୁରନ୍ତ ତଦନ୍ତ ପାଇଁ ଜିଲାପାଳ ମୁଖ୍ୟ ଚିକିତ୍ସାଧିକାରୀ ଡାକ୍ତର ଦୁଲାଲ ସେନ ଜଗଦ୍ଦେବଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଏଥି ସହିତ ମାତୃହୀନ ନବଜାତକର ଚିକିତ୍ସାରେ ଟିକିଏ ଯେମିତି ଅବହେଳା ନ ହୁଏ, ସେଥି ପ୍ରତି ଗୁରୁତ୍ୱ ଦେବାକୁ ସେ ସିଡିଏମଓଙ୍କୁ କହିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ