ନ୍ୟାୟ ପାଇଁ ସଂଘର୍ଷ କରୁଛି ସସ୍ମିତା
ବାଲେଶ୍ୱର (ଜୁଗାବ୍ଦ ନ୍ୟୁଜ୍): ଦିନକୁ ଦିନ ସମାଜରେ ପ୍ରେମ ଜନିତ ନିର୍ଯ୍ୟାତନା ବୃଦ୍ଧି ପାଉଛି । ପୁଅ ଓ ଝିଅ ମଧ୍ୟରେ ସାମାଜିକ ଗଣମାଧ୍ୟମ ଦ୍ୱାରା ଭଲପାଇବା ସୃଷ୍ଟି ହୋଇଥାଏ । ପରମୁହୂର୍ତ୍ତରେ ଏହା ଉଭୟଙ୍କ ମଧ୍ୟରେ ଦେଖା ଦିଏ ତିକ୍ତତା ଓ ପରେ ପ୍ରତାରଣା । ଏହିପରି ଏକ ଘଟଣା ଦେଖିବାକୁ ମିଳିଛି ଖନ୍ତାପଡା ଥାନା ଅନ୍ତର୍ଗତ ବିରୁଆଁ ଗ୍ରାମର ହିମାଞ୍ଚଳ ମାଟିଆଙ୍କ ପରିବାରରେ । ଉକ୍ତ ଗ୍ରାମର ହିମାଞ୍ଚଳ ମାଟିଆଙ୍କ ଝିଅ ସସ୍ମିତା ମାଟିଆ ଦୁଇ ବର୍ଷ ତଳେ ବାସୁଦେବପୁର ଥାନା ଅନ୍ତର୍ଗତ ଅରାଣ୍ଡୁଆ ଗ୍ରାମର ଦାମୋଦର ପାଳଙ୍କ ପୁଅ ଦେବାଶିଷ ପାଳକଙ୍କ ସହ ଗଢି ଉଠିଥିଲା ପ୍ରେମ ସମ୍ପର୍କ । ଦେବାଶିଷ ସସ୍ମିତାଙ୍କ ମନରେ ବିଶ୍ୱାସ ଜନ୍ମାଇ ବିବାହ କରିବା ଓ ଚିକିରି କରାଇଦେବା ଆଦି ମିଥ୍ୟା ପ୍ରତିଶୃତି ଦେଇ ସମ୍ପର୍କ ରଖିଥିଲେ । ପରେ ଉଭଙ୍କ ମଧ୍ୟରେ କୌଣସି କାରଣରୁ ମନମାଳିନ୍ୟ ସୃଷ୍ଟି ହେଲା । ଫଳରେ ସସ୍ମିତା ଗତ ତା.୨୨.୯.୨୦୧୮ରିଖରେ ଭଦ୍ରକ ଟାଉନଥାନାରେ ଦେବାଶିଷଙ୍କ ବିରୋଧରେ ଅଭିଯୋଗ କରିଥିଲେ । ଭଦ୍ରକ ଟାଉନଥାନାରେ ଅଭିଯୋଗକୁ ଭିତ୍ତି କରି ୨୫୧/୧୮ ନମ୍ବର ଦଫା ୩୭୬(୧), ୪୯୩, ୪୧୭, ୪୦୬, ୫୦୬, ୩୪ ଆଇ.ପି.ସିରେ କେଶ ରୁଜୁ ହୋଇଥିଲା । ଏଥିସହିତ ଦାମୋଦରଙ୍କ ଭଉଣୀ ପ୍ରିୟଙ୍କା କଟେଚା ଓ ଭିଣେଇ ଦେବୀ କଟେଚା ବିଭିନ୍ନ ସମୟରେ ସସ୍ମିତାକୁ ଗାଳି ଗୁଲଜ କରିବା, ଫୋନରେ ବିଭିନ୍ନ ପ୍ରକାର ଧମକ ଦେବା, ଗୁଣ୍ଡା ଲଗାଇ ଜୀବନରୁ ମାରି ଦେବାର ଧମକ ଦେଇଥିବାରୁ ସେମାନଙ୍କ ବିରୁଦ୍ଧରେ ମଧ୍ୟ ଥାନାରେ ଅଭିଯୋଗ ହୋଇଛି । ଥାନା ପକ୍ଷରୁ ସସ୍ମିତାକୁ କୌଣସି ନ୍ୟାୟ ନମିଳିବାରୁ ସେ ବାଲେଶ୍ୱର ଏସ.ଡି.ଜେ.ଏମଙ୍କ କୋର୍ଟରେ ଆଇ.ସି.ସି କେସ୍ ନଂ ୫୨/୧୯ ରୁଜୁ କରିଥିବାର ସ୍ଥାନୀୟ ମେରିଡିୟାନ ହୋଟେଲ ପରିସରରେ ଏକ ସାମ୍ବାଦିକ ସମ୍ମିଳନୀରେ ସେ ପ୍ରକାଶ କରିଛି । ଉକ୍ତ କେସ୍ର ତଦନ୍ତ ପାଇଁ ଖନ୍ତାପଡା ଥାନାକୁ ନିର୍ଦ୍ଦେଶ ଯାଇଥିବାର ସସ୍ମିତା ପ୍ରକାଶ କରିଛି । ସେ ଜଣେ ସରଳା, ନୀରିହା ଓ ଗରିବ ଶ୍ରେଣୀର ହୋଇଥିବାରୁ ତାର ସରଳତାର ସୁଯୋଗ ନେଇ ନିର୍ଯ୍ୟାତନା ଦିଆଯାଇଥିବାରୁ ତାର ବିଧିବଦ୍ଧ ତଦନ୍ତ କରାଯାଇ ତାକୁ ନ୍ୟାୟ ପ୍ରଦାନ ନିମନ୍ତେ ବୁଦ୍ଧିଜୀବୀ ମହଲରେ ଦାବୀ ହେଉଅଛି ।