ନ୍ୟାୟ ଯାତ୍ରାରେ ଶେଷଦେବ ନନ୍ଦଙ୍କ ଆହ୍ୱାନ

ଭୁବନେଶ୍ୱର,(ଯୁଗାବ୍ଦ ନ୍ୟୁଜ୍‌): ଶାସନର ପଞ୍ଝାରୁ ମୁକୁଳିବାକୁ ଗ୍ରାମ୍ୟ ଅର୍ଥନୀତିକୁ ସଶକ୍ତ କର ପିଲାଙ୍କୁ ଗାଁ ମୁହାଁ କର । ତାଷ ଖେଳ ଛାଡ଼ି କୋଦାଳ ଧର । ବ୍ୟବସାୟୀଙ୍କ ହାତରେ ବଜାର ବ୍ୟବସ୍ଥା ନଛାଡ଼ି ନିଜେ ହାଟରେ ବସ । ଦଣ୍ଡିଆଙ୍କୁ ମୁକାବିଲା କର । ଚାଷୀମାନେ କେବଳ ଦେହ ମେହନତ ନ କରି ମୁ୍‌ଣ୍ଡ ଚଲାଅ । ବର୍ଷ ବର୍ଷ ଧରି ମୁଣ୍ଡ ନ ଚଲାଇବାରୁ ତୁମକୁ ହାତଗଣତି ଅମଲା ନେତା ତଳିତଳାନ୍ତ କରିଛନ୍ତି । ଚାଷୀମାନେ ଯେତେ ସମୟ ଧର୍ମ ଅଫିମରେ ଦେଉଛ ସେତିକି ସମୟର ୧୦ ଭାଗରୁ ଭାଗେ ଯଦି ଏହି ଦୁର୍ବାର ଆନ୍ଦୋଳନକୁ ଦିଅନ୍ତେ ତାହେଲେ ଶାସନ ଶୋଷଣ ରାକ୍ଷସମାନେ ତାସଘର ଭଳି ଭୁଶୁଡ଼ି ପଡ଼ନ୍ତେ ବୋଲି ନବନିର୍ମାଣ କୃଷକ ସଙ୍ଗଠନର ରାଜ୍ୟ ସଂଯୋଜକ ଶେଷଦେବ ନନ୍ଦ ଆହ୍ୱାନ ଦେଇଛନ୍ତି । ସେ ଉଦାହରଣ ଛଳରେ କହିଲେ ଯେ ସବୁ ସମୁଦାୟଙ୍କଠାରୁ ଚାଷୀ ବେଶି ଉଦ୍ୟମୀ । ଚାଷୀ ଯେତେବେଳେ ବିହନ ବାଛେ ସେ କହେ ମୁଁ ଗୋଟାଏ ଜାତିଆ ବିହନ ଆଣିିବି । ସେ ଯେତେବେଳେ ବଜାରକୁ ପରିବା ନିଏ ବାଛି ବାଛି ତାର ଜିନିଷ ନିଏ ଓ ବଙ୍କା, କୁଜାକୁ ଘରେ ତା’ ପିଲାଙ୍କ ପାଇଁ ଖାଇବାକୁ ଦିଏ । ହାଟରେ ଯେତେବେଳେ ପରିବା ବିକେ ସେତେବେଳେ ଓଜନ ପରେ ଆଉ ଗୋଟେ ଯାଚିକି ଦିଏ । ତ୍ୟାଗରେ ସିଏ ମହାଦେବ । କାରଣ ସେ ସବୁବେଳେ ନୀଳକଣ୍ଠଙ୍କ ଭଳି ଭଲ ଦେଇ ମନ୍ଦ ଖାଏ । ଦୁର୍ଭାଗ୍ୟ ଯେ ଆଜିପର୍ଯ୍ୟନ୍ତ ଚାଷୀର ତ୍ୟାଗ ଓ ତପସ୍ୟାର ପ୍ରଚାର ହୋଇନି । ଓକିଲ, ଡାକ୍ତର, ଶିକ୍ଷକ ଏମାନେ ସମାଜରେ ସମ୍ମାନସ୍ପଦ ବୋଲି ପ୍ରଚାର ଚାଲିଛି । ହେଲେ ଅନ୍ନଦାତା ଚାଷୀ ପ୍ରତି ସମାଜ କେବେ ସମ୍ବେଦନଶୀଳ ଓ ଉଦାର ହୋଇଛି କି ବୋଲି ଏକଥା ଚାଷୀମାନେ ଭାବିନାହାନ୍ତି । ଶୋଇବା ସିଂହର ମୁହଁରେ କେବେ ଖାଦ୍ୟ ପ୍ରବେଶ କରେ ନାହିଁ । ଚାଷୀମାନେ ନିଜ ୭୦ ବର୍ଷର ଏରିଅର କେନ୍ଦ୍ର ସରକାର ଓ ରାଜ୍ୟ ସରକାରଙ୍କଠାରୁ ଦାବି କରନ୍ତୁ ବୋଲି ପଦଯାତ୍ରା ସମୟରେ ଶେଷଦେବ ନନ୍ଦ ଆହ୍ୱାନ ଦେଇଛନ୍ତି । ବିପ୍ଳବୀ ସ୍ନେହାଂଶୁ ଜେନା ତାଙ୍କ ବକ୍ତବ୍ୟରେ କହିଥିଲେ ଯେ ଚାଷୀମାନେ ଅତ୍ୟାଚାରିତାର ଶାସନର ଲୋପକରି ନିଜର ତାକତ ଦେଖାଇ ସାରିଛନ୍ତି ତା ତୁଳନାରେ ଆଜିର ଲଢ଼େଇ ସହଜ । ରାଜ୍ୟ କମିଟି ସଦସ୍ୟ ଦେବୀପ୍ରସାଦ ମହାରଣାଙ୍କ ଆନ୍ଦୋଳନ ସଙ୍ଗୀତ ଗାଁ ଗାଁରେ ଆଦୃତି ଲାଭ କଲାବେଳେ ତାଙ୍କ ବକ୍ତବ୍ୟର ଯୁବକ ଛାତ୍ର ସମସ୍ତେ ମିଶି ମେ ମାସ ସଂଗ୍ରାମ ସଫଳ ପାଇଁ ଏକଜୁଟ ହେବାକୁ ଆହ୍ୱାନ ଦେଇଥିଲେ । ଜିଲ୍ଲା ସଂଯୋଜକ ମହେଶ୍ୱର ଜେନା ଓ ସହ ସଂଯୋଜକ ରଣଜିତ ଦଳବେହେରା ପଦଯାତ୍ରାର ନେତୃତ୍ୱ ନେଲାବେଳେ କୃଷିଭିତ୍ତିକ ନୟାଗଡ଼ ଜିଲ୍ଲାରେ କୃଷିକ ନେଇ ଅବହେଳା କରାଯାଇଛି ଓ ସେଥିପାଇଁ ଜିଲ୍ଲା ଦାଦନ ପ୍ରବଣ ହୋଇଛି ।୧ ତାରିଖ ରାତିରେ ଇଟାମାଟିରେ ପଥପ୍ରାନ୍ତ ସଭା ହୋଇଥିଲା ବେଳେ ଯାତ୍ରା ଇଟାମାଟିରୁ ବାହାରି ବଡପଣ୍ଡୁସର, ସାନପଣ୍ଡୁସର ହୋଈ ପ୍ରତାପପ୍ରସାଦରେ ପଦଯାତ୍ରୀମାନେ ରାତ୍ରିଯାପନ କରିଥିଲେ । ରାଜ୍ୟ ସଂଯୋଜକ ଶେଷଦେବ ନନ୍ଦ ଆଜି ପଣ୍ଡୁସରର ଗ୍ରାମ୍ୟ ମହିଳା ଗୋଷ୍ଠୀଙ୍କ ସହ ଗ୍ରାମ୍ୟ ଅର୍ଥନୀତି ନେଇ ପରାମର୍ଶ ରଖିଥିଲେ ।ଆଜିର ପଦଯାତ୍ରାରେ ଅନ୍ୟମାନଙ୍କ ମଧ୍ୟରେ ସବିଶ୍ରୀ, କୁଳମଣୀ ନାୟକ, ପ୍ରଫୁଲ୍ଲ ଲେଙ୍କା, ପ୍ରମୋଦ ସାହୁ, ଭାପୁର ବ୍ଲକ ସଂଯୋଜକ ଅଭିମନ୍ୟୁ ଗୁମାନ ସିଂ, ବାଉରିବନ୍ଧୁ ବେହେରା, କିଶୋର ଗୁରୁ, ମହେଶ୍ୱର ଖଟୁଆ, ସୁରେନ୍ଦ୍ରନାଥ ମହାରଣା ପ୍ରମୁଖ ଯୋଗ ଦେଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ