ନୟାହାଟ ବାଇପାସ ରାସ୍ତା ନିର୍ମାଣ ବିଳମ୍ୱିତ
ନିମାପଡ଼ା, (ସନ୍ତୋଷ ଦାଶ):ପୁରୀ ଜିଲ୍ଲା ର କାକଟପୁର – ଚାରିଛକ ମୁଖ୍ୟରାସ୍ତା ର ମଧ୍ଯସ୍ଥଳ ରେ ନୟା ହାଟ ଅବସ୍ଥିତ।ନୟାହାଟ ବାଟ ଦେଇ ଦୈନଦିନ ଶହ ଶହ ଯାନବାହାନ ଅସ୍ତରଙ୍ଗ, କାକଟପୁର, କୋଣାର୍କ, ପୁରୀ, ପାରାଦୀପ, ଜଗତସିଂହପୁର, ନିଆଳି, କଟକ,ପିପିଲି, ନିମାପଡା, ଭୁବନେଶ୍ୱର ପ୍ରଭୃତି ଅଞ୍ଚଳ କୁ ଚଳାଚଳ କରିଥାଏ। ନୟାହାଟ ଠାରେ ମୁଖ୍ୟ ରାସ୍ତା ଟି ସଙ୍କୁଚିତ ହୋଇପଡ଼ିଛି। ବ୍ୟକ୍ତିଗତ ଜମି ରହି ଥିବାରୁ ଏଠାରେ ମୁଖ୍ୟ ରାସ୍ତା କୁ ପ୍ରଶସ୍ତିକରଣ କରାଯାଇ ପାରୁନାହିଁ।ଏଠାରେ ସପ୍ତାହ କୁ ୪ଦିନ ହାଟ ବସି ଥାଏ। ଶହ ଶହ ଲୋକ ଦୁଇ, ତିନି, ଚାରିଚକିଆ ଗାଡ଼ି ଆଣି ହାଟ କୁ ଆସିଥାନ୍ତି। ଏଥିସହିତ ୪ ଚକିଆ ଠାରୁ ୧୬ ଚକିଆ ଗାଡ଼ି ଗୁଡ଼ିକ ରେ ବିଭିନ୍ନ ପ୍ରକାରର ଜିନିଷପତ୍ର ଏହି ବଜାର କୁ ଆସିଥାଏ। ଏଠାରେ ଗାଡ଼ି ରଖିବାକୁ ଷ୍ଟାଣ୍ଡ ଟିଏ ନ ଥିବାରୁ ବାଧ୍ୟ ହୋଇ ଚାଳକ ମାନେ ଗାଡ଼ି ଗୁଡ଼ିକ ମୁଖ୍ୟ ରାସ୍ତା କଡ଼ରେ ରଖିଦେଇଥାନ୍ତି।ଏଣୁ ମୁଖ୍ୟ ରାସ୍ତା ସଙ୍କୁଚିତ ହୋଇ ପଡ଼ିଥାଏ।ବିଭିନ୍ନ ସମୟ ରେ ଏଥିପାଇଁ ଟ୍ରାଫିକ ସମସ୍ୟା ସୃଷ୍ଟି ହୋଇଥାଏ। ଅନ୍ୟ ଯାତ୍ରୀ ମାନେ ଓ ଏହି ରାସ୍ତା ରେ ଅସ୍ତରଙ୍ଗ ର ଜାହାନିଆଁ ପୀର ପୀଠ,କାକଟପୁର ର ମା ମଙ୍ଗଳା ଙ୍କ ମନ୍ଦିର, ଶାରଳା ପୀଠ କୁ ଯାଉଥିବା ଯାତ୍ରୀ/ପର୍ଯ୍ୟଟକ ମାନେ ଘଣ୍ଟା ଘଣ୍ଟା ଧରି ଅଟକି ରହିଥାନ୍ତି। ସ୍ଥାନୀୟ ପୋଲିସକୁ ନାକେଦମ ହବାକୁ ପଡ଼େ।ଏହି ସମସ୍ୟା କୁ ଦୂର କରିବାକୁ ବାରମ୍ବାର ଦାବୀ ହେବା ପରେ ନୟାହାଟ ଠାରେ ଏକ ବାଇପାସ ରାସ୍ତା ନିର୍ମାଣ କରିବାକୁ ସ୍ଥିର ହୋଇଥିଲା। କୁଣ୍ଢେଇ କେନାଲ ର ଉତ୍ତର ପାଶ୍ଵ ବନ୍ଧ କୁ ପ୍ରାୟ ୧୦ ଲକ୍ଷ ଟଙ୍କା ବ୍ୟୟ କରାଯାଇ ପିଚୁ କରାଯାଇଥିଲା। କିନ୍ତୁ ବନ୍ଧ ପାଶ୍ୱ ରେ ଥିବା ଜମି କୁ ଲୋକମାନେ ନ ଛାଡ଼ିବାରୁ କେନାଲ ବନ୍ଧ ପ୍ରଶସ୍ତିକରଣ କାର୍ଯ୍ୟ ହୋଇ ପାରିଲାନାହିଁ। ଜଳସେଚନ ବିଭାଗ କେବଳ ବନ୍ଧ ଉପରେ ପିଚୁ ରାସ୍ତା ନିର୍ମାଣ କରି ଚୁପ ରହିଲା। କେନାଲ ପାଶ୍ଵ ରେ ଥିବା ଜମି କୁ ଅଧିଗ୍ରହଣ କରିବାକୁ ବହୁ ଅର୍ଥ ସରକାର ଙ୍କୁ ଖର୍ଚ୍ଚ କରିବାକୁ ପଡିବ ବୋଲି କହିଛନ୍ତି କାକଟପୁର ଜଳସେଚନ ବିଭାଗ ସହକାରୀ ଯନ୍ତ୍ରୀ ତପନ କୁମାର ନାୟକ। ପୂର୍ତ୍ତ ବିଭାଗ ପକ୍ଷରୁ ନୟାହାଟ ଆଖଣ୍ଡଳମଣି ମନ୍ଦିର ଠାରୁ ପାଣିଛତ୍ର ପର୍ଯ୍ୟନ୍ତ ବିଲ ଗହୀର ଦେଇ ବାଇପାସ ନିର୍ମାଣ କରିବାକୁ ସ୍ଥିର ହୋଇଥିଲା। ଏହି ରାସ୍ତା ନିର୍ମାଣ ହେଲେ ବହୁ ଅଳ୍ପ ବେସରକାରୀ ଜମି ଅଧିଗ୍ରହଣ କରିବାକୁ ପଡ଼ିବ ଆଉ କମ ଟଙ୍କା ସରକାର ଙ୍କୁ ଖର୍ଚ୍ଚ କରିବାକୁ ପଡିବ ବୋଲି କୁହାଯାଉଛି। ତେବେ ଏହି ନିଷ୍ପତ୍ତି ଏବେ ଦୀର୍ଘ ବର୍ଷ ହେବ ନାଲିଫିତା ତଳେ ଚାପି ହୋଇ ରହିଯାଇଛି। ବାଇପାସ ରାସ୍ତା ନିର୍ମାଣ କଥା ଏବେ ସମସ୍ତେ ପାଶୋରି ଦେଇଛନ୍ତି। ପ୍ରତି ରବିବାର, ସୋମବାର,ବୁଧବାର, ଶୁକ୍ରବାର ଓ ପର୍ଯ୍ୟଟନ ଋତୁ ର ପ୍ରାୟ ପ୍ରତିଦିନ ନୟାହାଟ ବଜାର ରେ ଟ୍ରାଫିକ ସମସ୍ୟା ସୃଷ୍ଟି ହେଉଛି। ଏ ସମ୍ପର୍କ ରେ ନିମାପଡ଼ା ସ୍ଥିତ ପୂର୍ତ୍ତ ବିଭାଗ ସହକାରୀ ଯନ୍ତ୍ରୀ କୁଶାଲ ହେମ୍ବ୍ରମ ଙ୍କୁ ପଚାରିବାରେ ସେ କହିଥିଲେ ଯେ, ବାଇପାସ ନିର୍ମାଣ ସମ୍ପର୍କିତ ପ୍ରସ୍ତାବ ସରକାର ଙ୍କୁ ପ୍ରଦାନ କରାଯାଇଛି, ଏହା ଅନୁମୋଦନ ହୋଇ ଆସିବା ପରେ ବିଭାଗ ପକ୍ଷରୁ ଟେଣ୍ଡର ଆହ୍ବାନ କରାଯିବ ଓ ନିର୍ଦ୍ଧାରିତ ସମୟ ମଧ୍ୟରେ ରାସ୍ତା କାର୍ଯ୍ୟ ସଂପୂର୍ଣ୍ଣ ହେବ।ତୁରନ୍ତ ରାଜ୍ୟ ସରକାର ଏଥି ପ୍ରତି ଦୃଷ୍ଟି ଦେଇ ନୟାହାଟ ଠାରେ ବାଇପାସ ନିର୍ମାଣ କରିବାକୁ ପୂର୍ତ୍ତ ବିଭାଗ ଯେଉଁ ପ୍ରସ୍ତାବ ଦେଇଛି ତାକୁ ଅନୁମୋଦନ କରିବାକୁ ସାଧାରଣରେ ଦାବି ହେଉଛି।