ପଂଚାୟତରେ ବ୍ୟାପକ ଅନିୟମିତତା ଅଭିଯୋଗ
ଯାଜପୁର , (ଯୁଗାବ୍ଦ ନ୍ୟୁଜ): ଯାଜପୁର ଜିଲା କୋରେଇ ବ୍ଲକ ମୁଳାପାଳ ପଂଚାୟତରେ ବ୍ୟାପକ ଅନିୟମିତତା ହୋଇଥିବା ଅଭିଯୋଗ ହୋଇଛି । ସରକାରୀ ଅନୁଦାନକୁ ହଡପ କରାଯିବା ପଂଳରେ ସାଧାରଣ ଲୋକେ ଯୋଜନାରୁ ବଂଚିତ ହେଉଛନ୍ତି । ରାସ୍ତା,ଘର,ଆଲୋକିକରଣ ନାଁରେ ଆସୁଥିବା ଲକ୍ଷ ଲକ୍ଷ ଟଙ୍କାକୁ ହଡପ କରାଯାଉଥିବା ଭଳି ସଂଗିନ ଅଭିଯୋଗ ଆସିଛି । ଏ ନେଇ ସୂଚନା ଅଧିକାର ଆଇନ ଅନୁଯାଇ ତଥ୍ୟ ମଗାଗଲେ ହତ୍ୟାଧମକ ମିଳୁଥିବା ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦିଆଯାଇଛି । ମୂଳାପାଳ ପଂଚାୟତର ପୂର୍ବତନ ସରପଂଚ ନିରଂଜନ ନାୟକ ପଂଚାୟତର ବିଭିନ୍ନ ଯୋଜନା ସଂପର୍କରେ ସୂଚନା ଅଧିକାର ଆଇନ ଅନୁଯାୟୀ ଆବେଦନ କରିଥିଲେ । ଏହାପରେ ତାଙ୍କୁ ଏକ ଚିଠି ଯୋଗେ ହତ୍ୟା ଧମକ ଦିଆଯାଇଛି । ଏ ନେଇ ସେ ପାଣିକୋଇଲି ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ପଂଚାୟତର ଦୁର୍ନିତି ସଂପର୍କରେ ଗ୍ରାମବାସୀଙ୍କ ପକ୍ଷରୁ କୋରେଇ ବିଧାୟକ,ବିଡିଓ ଏବଂ ଯାଜପୁର ଜିଲାପାଳଙ୍କୁ ଅବଗତ କରାଯାଇ ତୁରନ୍ତ ତଦନ୍ତ କରି ଦୋଷୀଙ୍କ ବିରୋଧରେ କାର୍ୟ୍ୟାନୁଷ୍ଠାନ ନେବାକୁ ଦାବୀ କରାଯାଇଛି । ଏହି ଘଟଣାରେ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରାନଗଲେ ଆଗାମୀ ଦିନରେ ଆନ୍ଦୋଳନ କରାଯିବ ବୋଲି ଚେତାବନି ଦିଆଯାଇଛି ।


