ପଂଚାୟତର ନିଷ୍କ୍ରୀୟତା ପ୍ରତିବାଦରେ ଗାଁ ସାଥୀସଙ୍ଘ ଭେଟିଲା ଜିଲ୍ଲାପାଳଙ୍କୁ
କେନ୍ଦ୍ରାପଡା – ଜିଲ୍ଲା ଗାଁ ସାଥୀସଙ୍ଘ ପକ୍ଷରୁ ପଂଚାୟତ ଗୁଡିକର ନିଷ୍କ୍ରୀୟତା ପ୍ରତିବାଦରେ ଜିଲ୍ଲାପାଳ ସମର୍ଥ ବର୍ମାଙ୍କୁ ଭେଟି ଅଭିଯୋଗ କରାଯାଇଛି । ସେମାନଙ୍କ ଅଭିଯୋଗ ହେଉଛି ଗାଁ ସାଥୀମାନେ ଦୀର୍ଘବର୍ଷ ଧରି କାମ କରିଆସୁଥିଲେ ମଧ୍ୟ ମନରେଗା ଯୋଜନାରେ ସେମାନଙ୍କୁ ସଂପୃକ୍ତକରାଇ ଶ୍ରମଦିବସ ବୃଦ୍ଧି କରିବାକୁ ଏବଂ ସିଏଫସି ଓ ଏସଏଫସି ପ୍ରକଳ୍ପ ଗୁଡିକରେ ରାଜ୍ୟ ସରକାରଙ୍କ ପଂଚାୟତିରାଜ ଓ ପାନୀୟ ଜଳ ଯୋଗାଣ ବିଭାଗର ପତ୍ର ସଂଖ୍ୟା ୧୫୫୬୫ ତା ୨୦.୦୮.୨୦୧୮ ଓ ୨୩୭୩୫ ତା ୧୮.୧୨.୨୦୧୯ରେ ସମସ୍ତ ଜିଲ୍ଲାପାଳ, ଡିଆରଡିଏର ପ୍ରକଳ୍ପ ନିର୍ଦେଶକ ଓ ବିଡିଓମାନଙ୍କୁ ନିର୍ଦେଶ ଦିଆଯାଇଛି । କିନ୍ତୁ ପଂଚାୟତ ଗୁଡିକ ଏବେ ମନରେଗା ଯୋଜନାରେ ଆରମ୍ଭ କରିଥିବା ପଂଚାୟତ ପାଠାଗାର, ଖେଳପଡିଆ ଓ ପାର୍କ ନିର୍ମାଣ କାର୍ଯ୍ୟରେ ଗାଁ ସାଥୀ ବା ମେଟମାନଙ୍କୁ ସଂପୃକ୍ତ କରାନଯିବା ଘଟଣା ଅତ୍ୟନ୍ତ ଦୁଖଦାୟକ ବୋଲି ସେମାନେ ଅଭିଯୋଗ କରିଛନ୍ତି । ପଂଚାୟତ ଗୁଡିକର ସରପଂଚ, କନିଷ୍ଠ ଯନ୍ତ୍ରୀ, ପଂଚାୟତ ନିର୍ବାହୀ ଅଧିକାରୀ ଓ ଗ୍ରାମରୋଜଗାର ସେବକମାନଙ୍କୁ ଗାଁ ସାଥୀମାନେ ଯେତେ ଅନୁରୋଧ କଲେବି ସେମାନେ ମେଟମାନଙ୍କ କଥା ଶୁଣୁନଥିବା ଓ ମନରେଗା ପ୍ରକଳ୍ପର ମଷ୍ଟରରୋଲରେ ମେଟ ଲେଖାଯାଇଥିବା ସ୍ଥାନରେ ବେଆଇନ ଭାବରେ ସାଧାରଣ ଲୋକଙ୍କ ସ୍ୱାକ୍ଷର କରାଇନେଇ ବିଲ ପ୍ରସ୍ତୁତ କରୁଥିବା ଅଭିଯୋଗ ହୋଇଛି । ସଙ୍ଘ ପକ୍ଷରୁ କନକଲତା ଜେନା, ନବଘନ ସାହୁ, ଦେବାଶିଷ ମଲ୍ଲିକ, ନିର୍ମଳ କୁମାର ପାତ୍ର, ସର୍ବେଶ୍ୱର ମଲ୍ଲିକ, ସୈାଦାମିନୀ , ଅନନ୍ତ କିଶୋର ବାରିକ, ଅନିଲ କୁମାର ଜେନା, ନିରୋଜନଳିନୀ ମଲ୍ଲିକ, ପ୍ରଭାକର ଲେଙ୍କା, ସୁରଜିତ ବେହେରା, ରଞ୍ଜନ କୁମାର ଜେନା ପ୍ରମୁଖ ଜିଲ୍ଲାପାଳଙ୍କୁ ଭେଟି ସରକାରଙ୍କ ନିର୍ଦେଶକୁ କାର୍ଯ୍ୟକାରି କରିବାକୁ ଜିଲ୍ଲାର ପ୍ରତ୍ୟେକ ବିଡିଓଙ୍କୁ ନିର୍ଦେଶ ଦେବାକୁ ନିବେଦନ କରିଥିଲେ ।


