ପଂଚାୟତ ଓ ପୌର ନିର୍ବାଚନ ପାଇଁ କଂଗ୍ରେସର ଖସଡ଼ା ପ୍ରସ୍ତୁତ

ଭୁବନେଶ୍ୱର, (ୱାଇଏନ୍‌ଏସ୍‌): ଆଜି ପ୍ରଦେଶ କଂଗ୍ରେସ ଭବନ ଠାରେ ଜିଲ୍ଲା କଂଗ୍ରେସ ସଭାପତି ଓ ପର୍ଯ୍ୟବେକ୍ଷକ ମାନଙ୍କର ଏକ ମିଳିତ ବୈଠକ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ବୈଠକର ପ୍ରାରମ୍ଭରେ ଇତି ମଧ୍ୟରେ ପରଲୋକ ଗମନ କରିଥିବା କଂଗ୍ରେସ ନେତା, ସାହିତିକ, ସାମାଜିକ କର୍ମୀ, କରୋନା ଯୋଦ୍ଧା ମାନଙ୍କର ଆତ୍ମାର ସଦଗତି ନିମନ୍ତେ ନୀରବ ପ୍ରାର୍ଥନା ସହ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଥିଲା ।ଏହି ବୈଠକରେ ଉଦ୍‌ବୋଧନ ଦେଇ ଶ୍ରୀ ପଟ୍ଟନାୟକ ଉଭୟ ପଂଚାୟତ ଓ ପୌର ନିର୍ବାଚନ ପାଇଁ ଜିଲ୍ଲା ସ୍ତରରେ ନିଆଯାଇଥିବା କାର୍ଯ୍ୟକ୍ରମ ସମୀକ୍ଷା କରିଥିଲେ । ଅଗଷ୍ଟ ୩୧ ତାରିଖ ସୁଦ୍ଧା ବ୍ଲକ କଂଗ୍ରେସ କମିଟି ଓ ପଂଚାୟତ କଂଗ୍ରେସ କମିଟି ତାଲିକା ପିସିସିକୁ ଯୋଗାଇ ଦେବାକୁ ନିର୍ଦ୍ଦେଶ ଦେଇଥିଲେ । ଶ୍ରୀଯୁକ୍ତ ପଟ୍ଟନାୟକ ଉଭୟ ବିଜେଡ଼ି ଓ ବିଜେପିର ବିବିଧ ଜନବିରୋଧି ନିଷ୍ପତିକୁ ନିରବଚ୍ଛିନ୍ନ ଆନ୍ଦୋଳନ ଜରିଆରେ ପ୍ରତିବାଦ କରିବାକୁ ପରାମର୍ଶ ଦେଇଥିଲେ । ଆସନ୍ତା ୩୧ ତାରିଖରେ ଭୁବନେଶ୍ୱର ଠାରେ ଏକ ରାଜ୍ୟସ୍ତରୀୟ ପ୍ରଶିକ୍ଷଣ ଶିବିର କରାଯିବାର ସିଦ୍ଧାନ୍ତ ନିଆଯାଇଥିଲା । ଓଡ଼ିଶା ପ୍ରଭାରୀ ତଥା ଏଆଇସିସି ସାଧାରଣ ସଂପାଦକ, ସାଂସଦ ଡ. ଏ ଚେଲା କୁମାର ଓ ଏଆଇସିସି ସଂପାଦକ ରୁଦ୍ର ରାଜୁ ଏହି କାର୍ଯ୍ୟକ୍ରମରେ ଯୋଗଦେବେ । ଦଳୀୟ ଶୃଙ୍ଖଳା ବଜାୟ ରଖି ସମସ୍ତ ନେତୃମଣ୍ଡଳୀ ପରସ୍ପର ସହଯୋଗରେ ଉଭୟ ନିର୍ବାଚନର ସାମନା କରିବା ପାଇଁ ସର୍ବସମ୍ମତ ପ୍ରସ୍ତାବ ପାରିତ ହୋଇଥିଲା ।ଏଥିସହ ସେପ୍ଟେମ୍ବର ୧୫ ତାରିଖ ଠାରୁ ପିସିସି ସଭାପତିଙ୍କ ସମସ୍ତ ଜିଲ୍ଲା ଗସ୍ତ ଆରମ୍ଭ କରାଯିବାକୁ ସ୍ଥିର ହୋଇଥିଲା । ସେପ୍ଟେମ୍ବର ୧୫ରେ ନୂଆପଡ଼ା ଓ ୧୬ରେ କଳାହାଣ୍ଡି ଜିଲ୍ଲା ଗସ୍ତ ସୂଚୀ ମଧ୍ୟ ନିର୍ଦ୍ଧାରଣ ହୋଇଥିଲା ।ଅବାଧ ତଥା ନିରପେକ୍ଷ ନିର୍ବାଚନ ପାଇଁ ପଂଚାୟତ ଓ ପୌରପାଳିକା ମାନଙ୍କର ନିର୍ବାଚନର ସୀମା ପୁନଃ ନିର୍ଦ୍ଧାରଣ ଓ ସଂରକ୍ଷଣ ଦାୟିତ୍ୱ ରାଜ୍ୟ ପଂଚାୟତ ନିର୍ବାଚନ କମିସନଙ୍କୁ ହସ୍ତାନ୍ତର କରିବା ଅପରିହାର୍ଯ୍ୟ ବୋଲି ବୈଠକରେ ଆଲୋଚନା ହୋଇଥିଲା । ଏଥି ନିମନ୍ତେ ରାଜ୍ୟ ସରକାର ତୁରନ୍ତ ଆବଶ୍ୟକୀୟ ଆଇନଗତ ସଂଶୋଧନ କରିବାକୁ ଦାବି କରାଯାଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ