ପଖାଳ ଦିବସ : ହୋଟେଲରେ ଜମିଲା ପଖାଳ ବେପାର

ହିଞ୍ଜିଳିକାଟୁ,  (ଶେଷଦେବ ସାହୁ)  : ମାର୍ଚ୍ଚ ମାସ ୨୦ ତାରିଖରେ ପାଳିତ ହୋଇଯାଇଛି ପଖାଳ ଦିବସ ।  ସୋସିଆଲ ନେଟୱାର୍କରୁ ଆରମ୍ଭ ହୋଇଥିବା ପଖାଳ ଦିବସ ବିଷୟରେ ଅଭିଜ୍ଞତା ଥିବା ଲୋକମାନେ ଧିରେ ଧିରେ ପଖାଳ ଦିବସ ସମ୍ପର୍କରେ ଜାଣିଲେଣି । ଖରାର ପ୍ରକୋପ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି । ଗ୍ରୀଷ୍ମର ପ୍ରକୋପରୁ ରକ୍ଷା ପାଇବା ପାଇଁ ବଢିଲାଣି ପଖାଳର ଆଦର । ଆଉ ଯଦି ଦହି ପଖାଳ ହେଲା ତାହା ହେଲେ ଆସର ଜମିଲା । ପଖାଳ ଖାଇଲେ ସନ୍ତୁଷ୍ଟି ଭୋଜନ ସାଙ୍ଗକୁ ତୃପ୍ତି ପୁର୍ଣ୍ଣ ହାକୁଟି ଆସିଥାଏ ।  ପୂର୍ବରୁ  ପଖାଳକୁ ଗରିବଙ୍କ ଖାଦ୍ୟ ବୋଲି ବିବେଚନା କରାଯାଉଥିଲା । ଅଧିକାଂଶ ଓଡ଼ିଆ ଘରର ପୁଅ ମାନେ ସକାଳୁ ମୁଠାଏ ପଖାଳ ସାଙ୍ଗକୁ ଶୁଖୁଆ ପୋଡ଼ା ଖାଇ କାମକୁ ବାହାରି ଯାଉଥିଲେ । ଆଉ କିଏ ପଖାଳ ସାଙ୍ଗରେ ଆଳୁ ଚକଟା ତ ଆଉ କିଏ ପଖାଳ ସାଙ୍ଗକୁ ପିଆଜ ସହ ଲୁଣ ଲଙ୍କା ମିଶାଇ ଖାଇ ଆତ୍ମତୃପ୍ତି ଲାଭ କରୁଥିଲେ । ଏହା ବି କମ୍ ଖର୍ଚ୍ଚରେ ପେଟପୁରା ଖାଇ ହେଉଥିଲା । କିନ୍ତୁ ସମୟ ବଦଳିବା ସହ ସାମ୍ପ୍ରତିକ ପରିସ୍ଥିତିରେ ଧନୀ, ମଧ୍ୟବିତ ଓ ସବୁ ବର୍ଗର ଲୋକଙ୍କ ଅତି ଆଦରଣୀୟ ଖାଦ୍ୟ ପାଲଟିଯାଇଛି ପଖାଳ । ଓଡ଼ିଆ ଜୀବନଶୌଳୀରେ ଖାଦ୍ୟ ଭାବରେ ପଖାଳର ଚାହିଦା ଖରାଦିନେ ଅତିମାତ୍ରାରେ ବୃଦ୍ଧି ପାଇଥାଏ ।  ଧନୀ, ଗରିବ ସମେତ ପିଲା, ବୁଢା ଆବାଳ ବୃଦ୍ଧ ବନିତା ସମସ୍ତ ଓଡ଼ିଆଙ୍କ ମନରେ ପଖାଳ ପାଇଁ ରହିଛି ଏକ ସ୍ୱତନ୍ତ୍ର ସ୍ଥାନ । ଆଉ ପଖାଳ ସହ ଦହିର ମଜା କହିଲେ ନସରେ ।
 ଗ୍ରୀଷ୍ମ ଋତୁରେ ହିଞ୍ଜିଳିକାଟୁ ସହର ସମେତ ଆଖପାଖ ଅଞ୍ଚଳରେ ଥବା ହେଟେଲ, ଢାବା ଓ ବଡ଼ ବଡ଼ ରେଷ୍ଟୁରାଣ୍ଟ ଗୁଡ଼ିକରେ ମଧ୍ୟ ପଖାଳ ବେପାର ଜୋର ଧରିଥିବାର ଦେଖିବାକୁ ମିଳୁଛି ।  ଦହି ପଖାଳକୁ କିଛି ନିଆରା ଢଙ୍ଗରେ ପରିବେଶଣ ପାଇଁ ଏଥିରେ ଜିରା, ସୋରିଷ, ଭୁଷଙ୍ଗପତ୍ର, ଶୁଖିଲା ମରିଚକୁ ଫୁଟଣ ଭାବରେ ଦିଆଯାଇଥାଏ ଏବଂ ଏଥିରେ ଲେମ୍ଭୁ ତଥା ଟଭା ପତ୍ରକୁ ମଧ୍ୟ ବ୍ୟବହାର କରାଯାଇଥାଏ ବୋଲି ୫୯ ନଂ ଜାତୀୟ ରାଜପଥ ପ୍ୱାଶ୍ୱର୍ସ୍ଥ ତଥା ହିଞ୍ଜିଳିକାଟୁ ସହର ନିକଟସ୍ଥ ଶ୍ୟାମଳାଇ ଛକ ନିକଟରେ ଥିବା ଢାବା ଓ ହୋଟେଲ ମାଲିକ ମାନେ କହିଛନ୍ତି ।  ଗ୍ରୀଷ୍ମ ଋତୁରେ ଶରୀରର ତାପମାତ୍ରା ହ୍ରାସ କରିବା ତଥା ପେଟ ଗରମ ଓ ଶରୀରରେ ପାଣି କମିଯିବା ଭଳି ରୋଗର ପ୍ରତିକାର ନିମନ୍ତେ ପଖାଳ ଏକ ଉପାଦେୟ ଖାଦ୍ୟ ।  ପାଣି ଯୁକ୍ତ ଏହି ଭାତକୁ ପଖାଳ କୁହାଯାଇଥାଏ ।  ଭାତକୁ ଧୋଇ ସେଥିରେ ପାଣି ମିଶାଇ ତିଆରି କରାଯାଉଥିବାରୁ ଏହାର ନାମ ପଖାଳ ରଖାଯାଇଛି । ପଖାଳ ମଧ୍ୟ ଅନେକ ରମକର ହୋଇଥାଏ । ସଜପଖାଳ, ବାସି ପଖାଳ, ଜିରା ପଖାଳ, ଦହି ପଖାଳ, ଟଭା ପଖାଳ, ଅଦା ପଖାଳ ପ୍ରଭୃତି । ବିଭିନ୍ନ ହୋଟେଲ, ଢାବା ଓ ରେଷ୍ଟୁରାଣ୍ଟ ଗୁଡ଼ିକରେ ଗରାଖଙ୍କ ଚାହିଦା ଅନୁସାରେ ପଖାଳ ଯୋଗାଇ ଦିଆଯାଇଥାଏ ଏବଂ ଗ୍ରୀଷ୍ମ ଋତୁରେ ପଖାଳର ଯଥେଷ୍ଟ ଚାହିଦା ରହିଥିବାରୁ ଭଲ ରୋଜଗାର ହୋଇଥାଏ ବୋଲି ବହୁ ହେଟେଲ ମାଲିକ କହିଛନ୍ତି ।
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ