ପଙ୍ଗପାଳ ଚିନ୍ତା, ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ସମୀକ୍ଷା
ଭୁବନେଶ୍ୱର: ଆଜି ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ରାଜ୍ୟର ସମ୍ଭାବ୍ୟ ପଙ୍ଗପାଳ ଉପଦ୍ରବ ସମ୍ପର୍କରେ ଏକ ଉଚ୍ଚସ୍ତରୀୟ ବୈଠକ ସମୀକ୍ଷା କରାଯାଇଥିଲା । ପଙ୍ଗପାଳଙ୍କ ଗତିବିଧି ଉପରେ ଆଗାମୀ ୧୦ ଦିନ ପର୍ଯ୍ୟନ୍ତ ତୀକ୍ଷଣ ନଜର ରଖିବା ସହିତ ଚାଷୀମାନଙ୍କ ମଧ୍ୟରେ ବ୍ୟାପକ ସଚେତନତା ଉପରେ ବୈଠକ ଗୁରୁତ୍ୱ ଆରୋପ କରାଯାଇଥିଲା । ପଙ୍ଗପାଳ ନିୟନ୍ତ୍ରଣ ପାଇଁ ଆବଶ୍ୟକ ହେଲେ ଦମକଳ ଜରିଆରେ ପ୍ରଭାବିତ ଅଞ୍ଚଳରେ ଔଷଧ ସିଞ୍ଚନ ପାଇଁ ବୈଠକରେ ନିଷ୍ପତ୍ତି ଗ୍ରହଣ କରାଯାଇଥିଲା ।
ଏହି ବୈଠକରୁ ଜଣାଯାଇଛି ଯେ ପଙ୍ଗପାଳ ଉପଦ୍ରବକୁ ନିୟନ୍ତ୍ରଣ କରିବା ପାଇଁ ଉଭୟ ରାଜ୍ୟ ଓ ଜିଲ୍ଲାସ୍ତରରେ କଣ୍ଟ୍ରୋଲ ରୁମ୍ ଖୋଲାଯାଇଛି । ରାଜ୍ୟର ସାଢେ଼ ଛଅ ଲକ୍ଷ ଚାଷୀଙ୍କୁ ଏ ସଂକ୍ରାନ୍ତରେ ହ୍ୱାଟସ ଆପ ମେସେ ଏବଂ ଆଠ ଲକ୍ଷ ଚାଷୀଙ୍କୁ ଭଏସ ମେସେଜ ପଠାଇବା ସହିତ କୃଷି ଓ କୃଷକ ସଶକ୍ତିକରଣ ବିଭାଗ ଚାଷୀମାନଙ୍କ ସହିତ ନିୟମିତ ସମ୍ପର୍କରେ ରହିଛି । ଓଡ଼ିଶାର ନବରଙ୍ଗପୁର, ନୂଆପଡ଼ା, କଳାହାଣ୍ଡି, ମାଲକାନଗିରି, କୋରାପୁଟ, ରାୟଗଡ଼ା, ଝାରସୁଗୁଡ଼ା ଓ ସୁନ୍ଦରଗଡ଼ ଓ ବରଗଡ଼ ଜିଲ୍ଲାରେ ପଙ୍ଗପାଳ ଉପଦ୍ରବ ଆଶଙ୍କା ସର୍ବାଧିକ ରହିଛି । ଗତକାଲି ଛତିଶଗଡ଼ ଆସିଥିବା ପଙ୍ଗପାଳ ଦଳ ପୁଣି ମଧ୍ୟପ୍ରଦେଶକୁ ଫେରିଯାଇଛି ବୋଲି ବୈଠକରେ ସୂଚନା ଦିଆଯାଇଥିଲା । ତଥାପି ପରିସ୍ଥିତି ଉପରେ ସତର୍କ ଦୃଷ୍ଟି ରଖିବା ପାଇଁ ବୈଠକରେ ସ୍ଥିର କରାଯାଇଥିଲା । ଏହି ବୈଠକରେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ମୁଖ୍ୟ ପରାମର୍ଶଦାତା, ଅଗ୍ନିଶମ ସେବା ମହାନିର୍ଦ୍ଦେଶକ, ଉନ୍ନୟନ କମିଶନର, ସ୍ୱତନ୍ତ୍ର ରିଲିଫ କମିଶନର, ଜଙ୍ଗଲ ଓ ପରିବେଶ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ, କୃଷି ଓ ବୈଷୟିକ ବିଶ୍ୱ ବିଦ୍ୟାଳୟର କୁଳପତି, କୃଷି ଓ କୃଷକ ସଶକ୍ତିକରଣ ବିଭାଗର ସ୍ୱତନ୍ତ୍ର ସଚିବ, କୃଷି ନିର୍ଦ୍ଦେଶକ ଏବଂ ଭାରତ ସରକାରଙ୍କ ସମନ୍ୱିତ ରୋଗ ପୋକ ନିୟନ୍ତ୍ରଣ କେନ୍ଦ୍ରର ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ ।


