ପଙ୍ଗପାଳ ଦଳ ଉପରେ ହେଲିକୋପ୍ଟରରୁ କୀଟନାଶକ ସିଞ୍ଚନ ଆରମ୍ଭ
ନୂଆଦିଲ୍ଲୀ : କେନ୍ଦ୍ର ଓ କୃଷକ କଲ୍ୟାଣ ମନ୍ତ୍ରୀ ନରେନ୍ଦ୍ର ସିଂହ ତୋମର ପଙ୍ଗପାଳ ଦମନ ପାଇଁ ହେଲିକୋପ୍ଟରରୁ କୀଟନାଶକ ସିଞ୍ଚନ କାର୍ଯ୍ୟର ଶୁଭାରମ୍ଭ କରିଛନ୍ତି । ସିଞ୍ଚନ ଯନ୍ତ୍ର ସୁବିଧା ଥିବା ଏକ ବେଲ୍ ହେଲିକୋପ୍ଟର ଉତ୍ତରପ୍ରଦେଶର ଗୌତମବୁଦ୍ଧ ନଗର ଅନ୍ତର୍ଗତ ନୋଏଡ଼ାର ଏକ ହେଲିପ୍ୟାଡରୁ ଏହି ଅଭିଯାନ ଆରମ୍ଭ ହୋଇଛି । ଏହି ହେଲିକୋପ୍ଟର ରାଜସ୍ଥାନର ବାଡ଼ମେର ସ୍ଥିତ ଉତ୍ତରଲାଇ ବାୟୁସେନା ଘାଟିରେ ରହିବ ଏବଂ ସେଠାରୁ ପଙ୍ଗପାଳ ଦମନ କାର୍ଯ୍ୟରେ ନିୟୋଜିତ ହେବ । ରାଜସ୍ଥାନର ବାଡ଼ମେର, ଜୟସଲମେର, ବିକାନିର, ଯୋଧପୁର ଓ ନାଗଉର ଆଦି ମରୁଭୂମି ଅଞ୍ଚଳରେ ଏବେ ପଙ୍ଗପାଳ ଉପଦ୍ରବ ଦେଖାଦେଇଛି । ତାହାକୁ ନିୟନ୍ତ୍ରଣ କରିବା ପାଇଁ ଏହି ହେଲିକୋପ୍ଟରରୁ ଔଷଧ ସିଞ୍ଚନ କରାଯିବ । ୨୦୬-ବି ୩ ଶ୍ରେୀଣୀର ଏହି ହେଲିକୋପ୍ଟରରେ ଏକକ ଚାଳକ ସୁବିଧା ଅଛି । ଏଥିରେ ଥରକେ ୨୫୦ ଲିଟର କୀଟନାଶକ ରଖି ସିଞ୍ଚନ କରିବାର ସୁବିଧା ଉପଲବ୍ଧ । ଥରକେ ଏହା ୨୫ରୁ ୫୦ ହେକ୍ଟର ଅଞ୍ଚଳରେ କୀଟନାଶକ ସିଞ୍ଚନ କରିପାରିବ । ଏହି ଅଭିଯାନ ପାଇଁ ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟର ମହାନିର୍ଦେଶାଳୟ ପକ୍ଷରୁ ଅନୁମତି ପ୍ରଦାନ କରାଯାଇଛି । ପରେ ଗଣମାଧ୍ୟମ ସହ କଥାବାର୍ତ୍ତାବେଳେ ଦୀର୍ଘ ୨୬ ବର୍ଷର ବ୍ୟବଧାନ ପରେ ଗତବର୍ଷ ଭାରତରେ ପଙ୍ଗପାଳ ଆକ୍ରମଣ ଦେଖାଦେଇଥିଲା । ଏହାକୁ ଭଲଭାବେ ନିୟନ୍ତ୍ରିତ କରିବାପାଇଁ କେନ୍ଦ୍ର ସରକାର ରାଜ୍ୟ ସରକାରଙ୍କ ସହ ଉତ୍ତମ ସମନ୍ୱୟ ରଖି କାର୍ଯ୍ୟ କରୁଛନ୍ତି । ସେ କହିଛନ୍ତି ଯେ ଏଥର ପଙ୍ଗପାଳ ଆକ୍ରମଣ ଗତବର୍ଷଠାରୁ ଅଧିକ କ୍ଷତିକାରକ ହେବ ବୋଲି ଅନୁମାନ କରାଯାଉଛି । ସେଥିପାଇଁ ସବୁ ରାଜ୍ୟ ସରକାରଙ୍କୁ ସତର୍କ କରାଇ ଦିଆଯାଇଛି । କେନ୍ଦ୍ର ସରକାର ମଧ୍ୟ ଏଥିପାଇଁ ପ୍ରସ୍ତୁତ ରହିବା ସହ ଅଧିକରୁ ଅଧିକ ମେସିନ, ଯାନବାହନ ଓ ଲୋକବଳକୁ ନିୟୋଜିତ କରିଛନ୍ତି । ଏହି ସମସ୍ୟାର ମୁକାବିଲା ପାଇଁ ଆବଶ୍ୟକ ପଡିଲେ ରାଜ୍ୟ ପ୍ରାକୃତିକ ବିପର୍ଯ୍ୟୟ ପାଣ୍ଠିରୁ ଅର୍ଥ ଖର୍ଚ୍ଚ କରିବାକୁ ରାଜ୍ୟ ସରକାରଙ୍କୁ ପରାମର୍ଶ ଦିଆଯାଇଛି । ପ୍ରଥମ ଥର ପାଇଁ ପଙ୍ଗପାଳ ଦମନ ଅଭିଯାନରେ ଡ୍ରୋନ ବ୍ୟବହାର କରାଯାଇଛି । ଆଜି ମଧ୍ୟ ଆକାଶମାର୍ଗରୁ ହେଲିକୋପ୍ଟର ସାହାଯ୍ୟରେ କୀଟନାଶକ ସିଞ୍ଚନ କାର୍ଯ୍ୟ ଆରମ୍ଭ ହୋଇଛି । ଡ୍ରୋନ ଓ ହେଲିକୋପ୍ଟର ମୁତୟନ ପାଇଁ ଅନୁମତି ଦେଇଥିବାରୁ ସେ କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟକୁ ଧନ୍ୟବାଦ ଜଣାଇଛନ୍ତି । ଆକାଶମାର୍ଗରୁ କୀଟନାଶକ ସିଞ୍ଚନ ପାଇଁ ବ୍ରିଟେନର ଏକ କମ୍ପାନୀଠାରୁ ୫ଟି ସ୍ପ୍ରେୟର ମେସିନ କିଣିବାକୁ ନିର୍ଦ୍ଦେଶ ଦିଆଯାଇଛି । ଏହି ମେସିନ ଆସିଗଲେ ସେଗୁଡିକୁ ଭାରତୀୟ ବାୟୁସେନାର ହେଲିକୋପ୍ଟରରେ ଖଞ୍ଜାଯାଇ ପଙ୍ଗପାଳ ଦମନ କାର୍ଯ୍ୟକୁ ବ୍ୟାପକ କରାଯିବ । ଏହି କାର୍ଯ୍ୟକ୍ରମରେ ବିଭାଗୀୟ ରାଷ୍ଟ୍ରମନ୍ତ୍ରୀ କୈଳାସ ଚୌଧୁରୀ, ପୂର୍ବତନ ମନ୍ତ୍ରୀ ତଥା ସାଂସଦ ମହେଶ ଶର୍ମା, କୃଷି ସଚିବ ସଂଜୟ ଅଗ୍ରୱାଲ ପ୍ରମୁଖ ଉପସ୍ଥିତ ଥିଲେ । ପଙ୍ଗପାଳ ଆକ୍ରମଣର ମୁକାବିଲା ପାଇଁ ଗତ ମେ ୨୭ ତାରିଖରେ କ୍ୟାବିନେଟ ସଚିବଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ବସିଥିଲା । ଏଥିରେ ଡ୍ରୋନ ଓ ହେଲିକୋପ୍ଟର ମୁତୟନ କରିବାକୁ ନିଷ୍ପତ୍ତି ନିଆଯିବା ସହ ଏହି କାମରେ କୃଷି ମନ୍ତ୍ରଣାଳୟକୁ ସାହାଯ୍ୟ କରିବାକୁ ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟକୁ ନିର୍ଦ୍ଦେଶ ଦିଆଯାଇଥିଲା । ଏହାଛଡା ଆବଶ୍ୟକ ଉପକରଣ ଓ ସାଜସରଞ୍ଜାମ ବ୍ୟବସ୍ଥ୍ରା କରିବାକୁ ମଧ୍ୟ ନିର୍ଦ୍ଦେଶ ଜାରି ହୋଇଥିଲା । ଏହାପରେ ଏକ ଆନ୍ତଃ ମନ୍ତ୍ରଣାଳୟ କ୍ଷମତାପ୍ରାପ୍ତ କମିଟି ଅତିରିକ୍ତ କୃଷି ସଚିବଙ୍କ ଅଧ୍ୟକ୍ଷତାରେ ଗଠିତ ହୋଇ ଆବଶ୍ୟକ ସାମଗ୍ରୀ ଯୋଗାଡ଼ ଏବଂ ହେଲିକୋପ୍ଟରରୁ ଔଷଧ ସିଞ୍ଚନ ପ୍ରକ୍ରିୟା କାର୍ଯ୍ୟର ତଦାରଖ ବ୍ୟବସ୍ଥା କରିବାକୁ ଦାୟିତ୍ୱ ନେଇଥିଲା । ଏହି କମିଟିରେ ବେସାମରିକ ବିମାନ ଚଳଚଳ ମନ୍ତ୍ରଣାଳୟ, ପବନହଂସ, ଡିସିଜିଏ, ଏୟାର ଇଣ୍ଡିଆ ଏବଂ ଡିଏସ୍ସିର ପ୍ରତିନିଧିମାନେ ସଦସ୍ୟ ଅଛନ୍ତି । କମିଟିର ସୁପାରିସ ଅନୁସାରେ ଉଚ୍ଚ ଗଛ ତଥା ଅଗମ୍ୟ ଇଲାକାରେ ଆଶ୍ରା ନେଇଥିବା ପଙ୍ଗପାଳମାନଙ୍କୁ ନିପାତ କରିବା ପାଇଁ ଡିଏସ୍ସିଏଫ୍ୟୁ ୫ଟି କମ୍ପାନୀକୁ ଡ୍ରୋନ ସେବା ଯୋଗାଇ ଦେବାକୁ ନିୟୋଜିତ କରିଥିଲା । ପ୍ରତ୍ୟେକ କମ୍ପାନୀ ଏଥିପାଇଁ ୫ଟି ଲେଖାଏଁ ଡ୍ରୋନ ବ୍ୟବହାର କରିଥିଲେ । ଏପର୍ଯ୍ୟନ୍ତ ଜୟସଲମେର, ବାଡ଼ମେର, ଯୋଧପୁର, ବିକାନିର ଓ ନାଗଉର ଅଞ୍ଚଳରେ ୧୨ଟି ଡ୍ରୋନ ପଙ୍ଗପାଳ ଦମନରେ ଲାଗିଛି । ଆବଶ୍ୟକ ବିଧିବ୍ୟବସ୍ଥା ଚୂଡାନ୍ତ କରି ପଙ୍ଗପାଳ ଦମନ କ୍ଷେତ୍ରରେ ଡ୍ରୋନ ମୁତୟନ କରିବାରେ ଭାରତ ବିଶ୍ୱର ପ୍ରଥମ ଦେଶ । ଡ୍ରୋନ ବ୍ୟବହାର ସୁବିଧା ହେଲା, ଏହଦ୍ୱାରା ଅତି ଉଚ୍ଚ ଗଛ ଏବଂ ଅଗମ୍ୟ ଅଞ୍ଚଳରେ ରହିଥିବା ପଙ୍ଗପାଳଙ୍କୁ ସହଜରେ ବିଷ ପକାଇ ମାରିହେବ । ଗୋଟିଏ ଡ୍ରୋନ ଏକ ଘଣ୍ଟାରେ ୧୬ରୁ ୧୭ହେକ୍ଟର ଅଞ୍ଚଳରେ ଔଷଧ ସିଞ୍ଚନ କାର୍ଯ୍ୟ କରିବାକୁ ସମର୍ଥ । ଚାରି ଘଣ୍ଟାରେ ୭୦ହେକ୍ଟର ଅଞ୍ଚଳରେ ଏହା ପଙ୍ଗପାଳ ଦମନ କରିବାର ସାମର୍ଥ୍ୟ ରଖିଛି । ଏ କ୍ଷେତ୍ରରେ ଏମ୍ଓସିଏ ଡ୍ରୋନ ଚଳଚଳ ସଂକ୍ରାନ୍ତ କଟକଣାକୁ କୋହଳ କରିଛି । ଇଞ୍ଜିନ ଦ୍ୱାରା ଚାଳିତ ୫୦ କେଜି ଓଜନ ବିଶିଷ୍ଟ ଡ୍ରୋନ ରାତିରେ ଉଡାଣ କରି ଏହି ପଙ୍ଗପାଳ ଦମନ କାର୍ଯ୍ୟରେ ନିୟୋଜିତ ହେବାକୁ ଅନୁମତି ପାଇଛି । ଏବେ ପଙ୍ଗପାଳ ଦମନ କାର୍ଯ୍ୟରେ ୬୦ଟି ଦଳକୁ ନିୟୋଜିତ କରାଯାଇଛି । ସେମାନଙ୍କ ପାଖରେ ଆବଶ୍ୟକ ଉପକରଣ ଯାନବାହନ ଆଦି ରହିଛି । ଏଥିରେ ୨ସହରୁ ଅଧିକ କେନ୍ଦ୍ର ସରକାରୀ କର୍ମଚାରୀ କାମ କରୁଛନ୍ତି । ରାଜସ୍ଥାନ, ମଧ୍ୟପ୍ରଦେଶ, ପଞ୍ଜାବ, ଗୁଜରାଟ, ମହାରାଷ୍ଟ୍ର, ଛତିଶଗଡ଼, ହରିଆନା, ଉତ୍ତରପ୍ରଦେଶ ଏବଂ ବିହାର ସରକାରଙ୍କୁ ସମ୍ଭାବ୍ୟ ପଙ୍ଗପାଳ ଆକ୍ରମଣ ନେଇ ସଂପୃକ୍ତ ନିୟନ୍ତ୍ରକ ଦପ୍ତର ସତର୍କ କରାଇ ଦେଇଛି । କେନ୍ଦ୍ର ସରକାରଙ୍କ ୧୦ଜଣ ସର୍କଲ ଅଧିକାରୀ ଏବେ ରାଜସ୍ଥାନର ଜୟସଲମେର, ବିକାନିର, ଫଲୋଡି, ବାଡ଼ମେର, ଜାଲୋର, ଚୁରୁ, ନାଗଉର ତଥା ଗୁଜରାଟର ସୁରତଗଡ଼, ପାଲନପୁର ଓ ଭୁଜରେ ମୁତୟନ ହୋଇଛନ୍ତି । ଏହି ଅଧିକାରୀମାନେ ପ୍ରାୟ ୨ଲକ୍ଷ ବର୍ଗ କିଲୋମିଟର ମରୁଭୂମି ଅଞ୍ଚଳରେ ପଙ୍ଗପାଳଙ୍କ ଗତିବିଧି ଏବଂ ସେମାନଙ୍କ ଦମନ କାର୍ଯ୍ୟ ତଦାରଖ କରୁଛନ୍ତି । ଏଥିପାଇଁ ଜୟପୁର, ଆଜମେର, ଶିବପୁର, ଫଜିଲିକା ଏବଂ ଝାନ୍ସୀରେ ଅସ୍ଥାୟୀ ପଙ୍ଗପାଳ ଦମନ ଶିବିରମାନ ଖୋଲାଯାଇଛି । ରାଜ୍ୟ ରକାରଗୁଡିକ ପକ୍ଷରୁ ମଧ୍ୟ ଏପ୍ରିଲ ପରଠାରୁ ଜୁନ୍ ୨୮ମଧ୍ୟରେ ବିଭିନ୍ନ ପ୍ରକାର ସ୍ୱତନ୍ତ୍ର ଯାନ ଓ ଟ୍ରାକ୍ଟର ସାହାଯ୍ୟରେ ପଙ୍ଗପାଳ ଦମନ କାର୍ଯ୍ୟ କରାଯାଇଛି । ଏହି ସମୟରେ ରାଜସ୍ଥାନ, ମଧ୍ୟପ୍ରଦେଶ, ପଞ୍ଜାବ, ଗୁଜରାଟ, ଉତ୍ତରପ୍ରଦେଶ, ମହାରାଷ୍ଟ୍ର, ଛତିଶଗଡ଼, ହରିଆନା ଓ ବିହାର ମୋଟ ୨,୩୩,୪୮୭ହେକ୍ଟର ଜମିରେ ଏହି ଅଭିଯାନ ସଂପନ୍ନ ହୋଇଛି । ଗୁଜରାଟ, ଉତ୍ତରପ୍ରଦେଶ, ମଧ୍ୟପ୍ରଦେଶ, ମହାରାଷ୍ଟ୍ର, ଛତିଶଗଡ଼, ବିହାର ଓ ହରିଆନାରେ ପଙ୍ଗପାଳଙ୍କ ଦ୍ୱାରା ଫସଲର ଏଯାବତ୍ ବିଶେଷ କ୍ଷତି ହୋଇନାହିଁ । ତେବେ ରାଜସ୍ଥାନର କେତେକ ଜିଲାରେ ଅଳ୍ପ କିଛି ଜମିର ଫସଲ କ୍ଷତିଗ୍ରସ୍ତ ହୋଇଛି । ଖାଦ୍ୟ ଓ କୃଷି ସଂଗଠନର ପଙ୍ଗପାଳ ସ୍ଥିତି ସଂକ୍ରାନ୍ତ ୨୭ଜୁନ୍ ରିପୋର୍ଟ ଅନୁସାରେ ଆଫ୍ରିକୀୟ ରାଷ୍ଟ୍ର ସୋମାଲିଆର ଉତ୍ତରାଞ୍ଚଳରେ ଦଳ ଦଳ ହୋଇ ବସା ବାନ୍ଧିଥିବା ପଙ୍ଗପାଳ ଖରାଦିନେ ପ୍ରଜନନକ୍ରି୍ରୟା ପାଇଁ ଭାରତ ମହାସାଗର ଅତିକ୍ରମ କରି ଭାରତ-ପାକିସ୍ତାନ ସୀମାନ୍ତ ଆଡେ ମୁହାଁଇବା ସମ୍ଭାବନା ରହିଛି । ଇତିମଧ୍ୟରେ ସେଥିରୁ କେତେକ ଆସି ପାକିସ୍ତାନର ସିନ୍ଧୁପ୍ରଦେଶ ଅଞ୍ଚଳରେ ଅଣ୍ଡା ଦେବାକୁ ଆରମ୍ଭ କଲେଣି । ଏହାଛଡା ସିନ୍ଧୁ ଉପତ୍ୟକାର ବିଭିନ୍ନ ଅଞ୍ଚଳରେ ଏମାନେ ମଧ୍ୟ ପହଞ୍ଚି ଯାଇଛନ୍ତି । ପଙ୍ଗପାଳଙ୍କ ଗତିବିଧିକୁ ଲକ୍ଷ୍ୟ କରିବା ସହ ପ୍ରତିକାର ବ୍ୟବସ୍ଥା କରିବାକୁ ପ୍ରତି ସପ୍ତାହରେ ଦକ୍ଷିଣ ପଶ୍ଚିମ ଏସୀୟ ରାଷ୍ଟ୍ର ଆଫଗାନିସ୍ତାନ, ଭାରତ, ପାକିସ୍ତାନ ଓ ଇରାନର ବୈଷୟିକ ଅଧିକାରୀମାନଙ୍କର ଭର୍ଚୁଆଲ ବୈଠକ ବସୁଛି । ଏ ବର୍ଷ ଇତିମଧ୍ୟରେ ଏଭଳି ୧୫ଟି ବୈଠକ ଆୟୋଜିତ ହୋଇଛି । ଏଥିରେ ସଦସ୍ୟ ରାଷ୍ଟ୍ରଗୁଡିକରେ ପଙ୍ଗପାଳ ଦମନ ନେଇ ଗ୍ରହଣ କରାଯାଉଥିବା କାର୍ଯ୍ୟକ୍ରମ ସଂପର୍କରେ ତଥ୍ୟ ଆଦାନପ୍ରଦାନ କରାଯାଉଛି । ଅଭିଯାନରେ ନିୟୋଜିତ ହୋଇଥିବା ସମ୍ବଳ ମଧ୍ୟରେ, ଭାରତରେ ପଙ୍ଗପାଳ ଅଭିଯାନ କାର୍ଯ୍ୟରେ ୧୦ଟି ଗ୍ରାଉଣ୍ଡ ସ୍ପ୍ରେ ମେସିନ ବ୍ରିଟେନର ମାଇକ୍ରନ କଂପାନୀରୁ କିଣାଯାଇ ଗତ ଜାନୁୟାରୀରେ ନିୟୋଜିତ ହୋଇଥିଲା । ଏହାପରେ ସେହି କମ୍ପାନୀରୁ ଆଉ ଏଭଳି ୧୫ଟି ମେସିନ ଜୁନ୍ରେ ଅଣାଯାଇଛି । ଜୁଲାଇ ମାସରେ ଅତିରିକ୍ତ ଆଉ ୪୫ଟି ସ୍ପ୍ରେୟିଂ ମେସିନ ଭାରତରେ ପହଞ୍ଚିବ । ପଙ୍ଗପାଳ ଦମନ ସର୍କଲ ଅଫିସଗୁଡିକରେ ଜୁଲାଇ ସୁଦ୍ଧା ୧୦୦ରୁ ଅଧିକ ଗ୍ରାଉଣ୍ଡ କଣ୍ଟ୍ରୋଲ ଯନ୍ତ୍ରପାତି ପହଞ୍ଚିଯିବ । ପଙ୍ଗପାଳ ଦଳ ଉପରେ ହେଲିକୋପ୍ଟରରୁ କୀଟନାଶକ ସିଞ୍ଚନ ଆରମ୍ଭବର୍ତ୍ତମାନ ସୁଦ୍ଧା ପଙ୍ଗପାଳ ଅଭିଯାନରେ ୬୦ନିୟନ୍ତ୍ରଣକାରୀ ଦଳ ଲାଗିଛନ୍ତି । ଏହି ଦଳରେ ମୋଟ ୨୦ କେନ୍ଦ୍ରୀୟ କର୍ମଚାରୀ ଆବଶ୍ୟକ ସ୍ପ୍ରେୟିଂ ମେସିନ ଓ ମାଉଣ୍ଟେଡ ଭେଇକିଲ ରହିଛି । ପଞ୍ଚାବନ ଅତିରିକ୍ତ ଯାନ କିଣାଯାଇ ନିୟନ୍ତ୍ରଣ ଦକ୍ଷତାକୁ ବୃଦ୍ଧି କରାଯାଇଛି । ତିନି ଲକ୍ଷ ଲିଟର ମାଲାଥିୟନ କୀଟନାଶକ କିଣିବାକୁ ବରାଦ ଦିଆଯାଇଛି । ସରକାରଙ୍କ ପାଖରେ ଆବଶ୍ୟକ କୀଟନାଶକ ମହଜୁଦ ରହିଛି । ଭାରତ ସରକାର ବ୍ରିଟେନର ମାଇକ୍ରନ କଂପାନୀଠାରୁ ୫ଟି ଏରିଏଲ ସ୍ପ୍ରେ କିଟ୍ କିଣିବାକୁ ବରାଦ ମାର୍ଚ୍ଚ ମାସରେ ଦେଇଛନ୍ତି । ଆସନ୍ତା ସେପ୍ଟେମ୍ବର ମାସରେ ସେଥିରୁ ୨ଟି ଆସି ପହଞ୍ଚିବ । ଏହା କାର୍ଯ୍ୟରେ ଲାଗିବାର ଏକ ମାସ ପରେ ଅବଶିଷ୍ଟ ୩ଟି କିଟ୍ ପହଞ୍ଚିବ । ଏହିସବୁ କିଟ୍କୁ ହେଲିକୋପ୍ଟରରେ ଲଗାଇବା ପାଇଁ ଭାରତୀୟ ବାୟୁସେନା ରାଜି ହୋଇଛି । ଆଠଶହ ମାଉଣ୍ଟେଡ ସ୍ପ୍ରେ ଇକୁ୍ୟଭମେଣ୍ଟ କିଣିବା ପାଇଁ ରାଜସ୍ଥାନ ସରକାରଙ୍କୁ କେନ୍ଦ୍ର ସରକାର ଆର୍ଥିକ ସହାୟତା ଯୋଗାଇ ଦେବେ । ୨.୮୬ କୋଟି ଟଙ୍କାର ଏହି ସାମଗ୍ରୀ କିଣିବା ପାଇଁ ରାଜସ୍ଥାନ ସରକାରଙ୍କ ପ୍ରସ୍ତାବକୁ କେନ୍ଦ୍ର ସରକାର ଅନୁମୋଦନ କରିଛନ୍ତି । ଉପକରଣ ବ୍ୟବହାର ଜନିତ ଭଡା ଓ କୀଟନାଶକ କିଣିବା ପାଇଁ ରାଜସ୍ଥାନ ସରକାରଙ୍କୁ ଆରକେଭିୱାଇ ଯୋଜନାରେ ୧୪କୋଟି ଟଙ୍କା ଆର୍ଥିକ ସହାୟତା ମଞ୍ଜୁର କରାଯାଇଛି । ସେହିଭଳି ଗୁଜରାଟ ସରକାର ଏ ବାବଦରେ ୧ କୋଟି ୮୦ ଲକ୍ଷ ଟଙ୍କା ପାଇଛନ୍ତି.