ପଛୁଆବର୍ଗ ଜନଗଣନାକୁ ନେଇ କେନ୍ଦ୍ରର ସତ୍ୟପାଠ ପଛୁଆବର୍ଗଙ୍କ ପାଇଁ ପ୍ରତାରଣା : ସମାଜବାଦୀ ପାର୍ଟି
ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ) : କେନ୍ଦ୍ର ସରକାର ସୁପ୍ରିମକୋର୍ଟରେ ସତ୍ୟପାଠ କରି କହିଛନ୍ତି ଯେ, ୨୦୨୧ ଜନଗଣନାରେ ପଛୁଆବର୍ଗର ଜନଗଣନା କରିବା ସମ୍ଭବପର ନୁହେଁ । ମାନ୍ୟବର ସୁପ୍ରିମକୋର୍ଟ ଯଦି ଏହି ସମୟରେ ପଛୁଆବର୍ଗର ଜନଗଣନା କରିବା ପାଇଁ କୌଣସି ନିର୍ଦ୍ଦେଶ ଦିଅନ୍ତି, ତେବେ ତାହା ପ୍ରଶାସନିକ ଦ୍ୱନ୍ଦ୍ୱ ସୃଷ୍ଟି କରିବାର ସମ୍ଭାବନା ରହିଛି । ତେଣୁ ମାନ୍ୟବର କୋର୍ଟ ଏଭଳି ଏକ ନିର୍ଦ୍ଦେଶ ଦେବାରୁ କ୍ଷାନ୍ତ ରୁହନ୍ତୁ ବୋଲି ଆମ୍ଭେ ଅନୁରୋଧ କରୁଛୁ’ । କେନ୍ଦ୍ର ସରକାରଙ୍କର ଏହି ସତ୍ୟପାଠ ପଛୁଆବର୍ଗଙ୍କ ପାଇଁ ଏକ ଐତିହାସିକ ପ୍ରତାରଣା ବୋଲି ସମାଜବାଦୀ ପାର୍ଟି ରାଜ୍ୟ ସଭାପତି ରବି ବେହେରା ଆଜି ଏକ ପ୍ରେସ୍ ଇସ୍ତାହାରରେ କହିବା ସହିତ ଦେଶର ସମସ୍ତ ବିରୋଧୀ ରାଜନୈତିକ ଦଳ ଓ ସାମାଜିକ ନ୍ୟାୟରେ ବିଶ୍ୱାସ କରୁଥିବା ଶକ୍ତିସମୂହ ଏହାର ବିରୋଧ କରିବା ପାଇଁ ଆଗେଇ ଆସିବାକୁ ଶ୍ରୀ ବେହେରା ଆହ୍ୱାନ ଦେଇଛନ୍ତି । ଏଠାରେ ଉଲ୍ଲେଖଥାଉକି, ସାମାଜିକ ନ୍ୟାୟ ଗୋଷ୍ଠୀର ଚାପରେ ବିଶେଷତଃ ସମାଜବାଦୀ ପାର୍ଟିର ତତ୍କାଳୀନ ଅଧ୍ୟକ୍ଷ ଶ୍ରୀଯୁକ୍ତ ମୁଲାୟମ ସିଂ ଯାଦବ, ରାଷ୍ଟ୍ରୀୟ ଜନତା ଦଳର ତତ୍କାଳୀନ ଅଧ୍ୟକ୍ଷ ଲାଲୁପ୍ରସାଦ ଯାଦବ, ତତ୍କାଳୀନ ଯୁବ ସାଂସଦ ତଥା ବର୍ତ୍ତମାନର ସମାଜବାଦୀ ପାର୍ଟି ଜାତୀୟ ଅଧ୍ୟକ୍ଷ ଅଖିଳେଶ ଯାଦବ ଓ ଡ଼ିଏମ୍କେ ନେତା ଏମ୍. କରୁଣାନିଧିଙ୍କ ଚାପ ଫଳରେ ୟୁପିଏ ସରକାର ସାମାଜିକ ଓ ଅର୍ଥନୈତିକ ୨୦୧୧ ମସିହାରେ ଜନଗଣନା କରିବାକୁ ବାଧ୍ୟ ହୋଇଥିଲେ । କିନ୍ତୁ ଏହି ସର୍ଭେକୁ ସେତେବେଳେ ପ୍ରକାଶିତ କରାଗଲା ନାହିଁ । ଯେଉଁ ବିଶେଷଜ୍ଞ କମିଟି ଯୋଜନା କମିଶନ ଗଠନ କରି ଏହି ସର୍ଭେକୁ କାର୍ଯ୍ୟକାରୀ କରିବା କଥା, ତାହା ମଧ୍ୟ ୟୁପିଏ ସରକାର କଲେନାହିଁ । ଫଳରେ ଏହାର ଫାଇଦା ନେଇ ବିଜେପି ଓ ଏନ୍ଡ଼ିଏ କେନ୍ଦ୍ରରେ କ୍ଷମତା ଦଖଲ କଲେ ସାମାଜିକ ଓ ଅର୍ଥନୈତିକ ସର୍ଭେକୁ କାର୍ଯ୍ୟକାରୀ କରିବା ପାଇଁ ବିଶେଷଜ୍ଞ କମିଟି ଗଠନ କରିବ ବୋଲି ଦେଶବାସୀଙ୍କୁ ପ୍ରତିଶ୍ରୁତି ଦେଇଥିଲେ । କିନ୍ତୁ କ୍ଷମତାକୁ ଆସିବା ପରେ ନିଜର ପ୍ରତିଶ୍ରୁତିକୁ ମଧ୍ୟ କାର୍ଯ୍ୟକାରୀ କରିବାକୁ ଭୁଲିଗଲେ । ପାର୍ଲାମେଣ୍ଟରେ ଏହି ପ୍ରସଙ୍ଗ ଜୋରଦାର ଉଠିବା ପରେ ତତ୍କାଳୀନ ସ୍ୱରାଷ୍ଟ୍ର ମନ୍ତ୍ରୀ ରାଜନାଥ ସିଂ ୨୦୧୮ ମସିହାରେ ପାର୍ଲାମେଣ୍ଟକୁ ପ୍ରତିଶ୍ରୁତି ଦେଇଥିଲେ ଯେ, ୨୦୨୧ ଜାତୀୟ ଜନଗଣନାରେ ‘ଜାତିଗତ ଜନଗଣନା’କୁ ସରକାର ସ୍ଥାନିତ କରିବେ । କିନ୍ତୁ ୨୦୧୯ ମସିହାରେ କ୍ଷମତା ଦଖଲ କରିବା ପରେ ବର୍ତ୍ତମାନର କେନ୍ଦ୍ର ସରକାର ସ୍ୱରାଷ୍ଟ୍ର ମନ୍ତ୍ରୀଙ୍କ ୨୦୧୮ ମସିହାର ପ୍ରତିଶ୍ରୁତିକୁ ଭୁଲିଗଲେ ଏବଂ ଗତକାଲି ଏହି ସତ୍ୟପାଠ କରି ଜାତିଗତ ଜନଗଣନା ସମ୍ଭବପର ନୁହେଁ ବୋଲି ମତ ପ୍ରକାଶ କରିଛନ୍ତି । ତେଣୁ ସରକାରଙ୍କ ଏହି ଦୋମୁହାଁ ନୀତିର ଜବାବ ଦେବା ପାଇଁ ପଛୁଆବର୍ଗର ଜନସାଧାରଣ ଓ ସାମାଜିକ ନ୍ୟାୟରେ ବିଶ୍ୱାସ କରୁଥିବା ଗୋଷ୍ଠୀ ସମୂହ ଆଗେଇ ଆସି କେନ୍ଦ୍ର ସରକାରଙ୍କୁ ଜାତିଗତ ଜନଗଣନା ପାଇଁ ବାଧ୍ୟ କରିବାକୁ ଶ୍ରୀ ବେହେରା ଆହ୍ୱାନ ଦେଇଛନ୍ତି ।