ପଞ୍ଚମ ଜିଲା ପରିଷଦର ଦ୍ୱାଦଶ ବୈଠକ ପ୍ରକଳ୍ପ କାର୍ଯ୍ୟ ତ୍ୱରାନ୍ୱିତ କରିବା ଉପରେ ଗୁରୁତ୍ୱ

ବାଲେଶ୍ୱର, (ସରୋଜ ପଣ୍ଡା) : ବାଲେଶ୍ୱର ଜିଲାର ପଞ୍ଚମ ଜିଲା ପରିଷଦର ଦ୍ୱାଦଶ ବୈଠକ ସ୍ଥାନୀୟ ଜିଲା ପରିଷଦ ସଭାଗୃହରେ ଶୁକ୍ରବାର ଅନୁଷ୍ଠିତ ହୋଇଯାଇଛି । ଜିଲା ପରିଷଦ ସଭାପତି ନିବେଦିତା ମହାନ୍ତି ଏଥିରେ ସଭାପତିତ୍ୱ କରିଥିଲେ । ରାଜ୍ୟ ପର୍ଯ୍ୟଟନ ମନ୍ତ୍ରୀ ଜ୍ୟୋତି ପ୍ରକାଶ ପାଣିଗ୍ରାହୀ, ଭୋଗରାଇ ବିଧାୟକ ତଥା ଜିଲା ଯୋଜନା କମିଟି ଅଧ୍ୟକ୍ଷ ଅନନ୍ତ ଦାସ, ବାଲେଶ୍ୱର ଲୋକସଭା ସାଂସଦ ପ୍ରତାପ ଚନ୍ଦ୍ର ଷଡଙ୍ଗୀ, ଜଳେଶ୍ୱର ବିଧାୟକ ଅଶ୍ୱିନୀ କୁମାର ପାତ୍ର, ବସ୍ତା ବିଧାୟକ ନିତ୍ୟାନନ୍ଦ ସାହୁ, ନୀଳଗିରି ବିଧାୟକ ଇଂ. ସୁକାନ୍ତ କୁମାର ନାୟକ, ରେମୁଣା ବିଧାୟକ ସୁଧାଂଶୁ ଶେଖର ପରିଡା, ସଦର ବିଧାୟକ ସ୍ୱରୂପ କୁମାର ଦାସ, ଜିଲାପାଳ କେ.ସୁଦର୍ଶନ ଚକ୍ରବର୍ତ୍ତୀ, ଜିଲା ପରିଷଦ ଉପ-ସଭାପତି ଗୌରାଙ୍ଗ ଚନ୍ଦ୍ର ପାଢ଼ୀ, ଭଦ୍ରକ ସାଂସଦ ପ୍ରତିନିଧି ଅଶ୍ୱିନୀ ମହାପାତ୍ର, ସୋର ବିଧାୟକ ପ୍ରତିନିଧି ଅଜୟ କୁମାର ପଣ୍ଡା, ଜିଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ପ୍ରକଳ୍ପ ନିର୍ଦ୍ଦେଶକ ରବୀନ୍ଦ୍ର କୁମାର ସାହୁ, ଆଇ.ଏ.ଏସ ପ୍ରୋବେସନର କୁନାଲ ଚୌହାନଙ୍କ ସମେତ ଜିଲା ପରିଷଦ ସଭ୍ୟ/ସଭ୍ୟା, ବ୍ଲକ ଅଧ୍ୟକ୍ଷ/ଅଧ୍ୟକ୍ଷା ଓ ବିଭିନ୍ନ ବିଭାଗୀୟ ଅଧିକାରୀମାନେ ଯୋଗ ଦେଇ ବିଭିନ୍ନ ପ୍ରସଙ୍ଗ ଉପରେ ଆଲୋଚନା କରିଥିଲେ । ବିଶେଷ କରି କରୋନା ମହାମାରୀ ସମୟରେ ଧିମେଇ ଯାଇଥିବା ପ୍ରକଳ୍ପ କାର୍ଯ୍ୟକୁ ତ୍ୱରାନ୍ୱିତ କରିବା, ସହରାଞ୍ଚଳରେ ବେଆଇନ ଜବରଦଖଲକୁ ତୁରନ୍ତ ଉଚ୍ଛେଦ ସହ ନିଷ୍କାସନ ସମସ୍ୟାର ସମାଧାନ କରିବା ଉପରେ ଏହି ବୈଠକରେ ଗୁରୁତ୍ୱାରୋପ କରଯାଇଥିଲା । ସେହିପରି ରାସ୍ତା ମରାମତି କାମକୁ ପ୍ରାଧାନ୍ୟ ଦିଆଯିବା ଏବଂ ନୂତନ ପ୍ରକଳ୍ପ ପ୍ରସ୍ତାବଗୁଡିକୁ ଅନୁମୋଦନ କରାଯାଇ କାର୍ଯ୍ୟ ଆରମ୍ଭ ପାଇଁ ଗୃହରେ ବିସ୍ତୃତ ଆଲୋଚନା ହୋଇଥିଲା । ମୋ ସ୍କୁଲ ଯୋଜନା, ଧାନ ସଂଗ୍ରହ ନିମନ୍ତେ ଚାଷୀଙ୍କ ପଞ୍ଜୀକରଣ ଏବଂ ନିୟମାନୁଯାୟୀ ଧାନ ସଂଗ୍ରହ, ଖରିଫ ଋତୁ ପାଇଁ ଧାର୍ଯ୍ୟ ହୋଇଥିବା ଲକ୍ଷ୍ୟ, କୃଷକମାନଙ୍କୁ ସାର ଯୋଗାଣ, ଜିଲାରେ ଚାଲୁ ରହିଥିବା ଜଳସେଚନ ପ୍ରକଳ୍ପଗୁଡିକର ସ୍ଥିତି, ମହାତ୍ମାଗାନ୍ଧୀ ଜାତୀୟ ନିଶ୍ଚିତ କର୍ମନିଯୁକ୍ତି ଯୋଜନାର ସ୍ଥିତି ଏବଂ ଧାର୍ଯ୍ୟ ହୋଇଥିବା ଲକ୍ଷ୍ୟ ଇତ୍ୟାଦି ସମ୍ପର୍କରେ ଆଲୋଚନା କରାଯାଇ ଏ କ୍ଷେତ୍ରରେ ରହିଥିବା ସମସ୍ୟାର ଦୂରୀକରଣ ପାଇଁ ପଦକ୍ଷେପ ନେବାକୁ ବିଭାଗୀୟ ପ୍ରଶାସନିକ ଅଧିକାରୀମାନଙ୍କୁ କୁହାଯାଇଥିଲା । ବୈଠକ ଶେଷରେ ଜିଲ୍ଲା ପରିଷଦ ଉପ-ସଭାପତି ଗୌରାଙ୍ଗ ଚନ୍ଦ୍ର ପାଢ଼ୀ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ