ପଞ୍ଚମ ୟୁନିକ କ୍ରିକେଟ ଟୁର୍ଣ୍ଣାମେଣ୍ଟ ୨୦୨୪ ଉଦଘାଟିତ
କେନ୍ଦୁଝର,(ପୂର୍ଣ୍ଣ ଚନ୍ଦ୍ର ମହାନ୍ତ): ସ୍ଥାନୀୟ କେନ୍ଦୁଝର ଷ୍ଟାଡିୟମ ଠାରେ ୟୁନିକ କପ୍ ଟୁର୍ଣ୍ଣାମେଣ୍ଟର ପଞ୍ଚମ ସଂସ୍କରଣ ଉଦଘାଟିତ ହୋଇଯାଇଛି। ଉଦଘାଟନୀ ଉତ୍ସବରେ ଜିଲ୍ଲା କ୍ରୀଡ଼ା ସଂସ୍ଥାର ସମ୍ପାଦକ ଡ଼ ଜନାର୍ଦ୍ଦନ ଦାଶ ,ପଦ୍ମପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରର ଅଧିକ୍ଷକ ଡ଼ା ଶିବଚରଣ ବାଗ ଓ ବରିଷ୍ଠ କ୍ରିକେଟ ଖେଳାଳୀ ଆଶିଷ ଚକ୍ରବର୍ତ୍ତୀଙ୍କ ଦ୍ଵାରା ଟୁର୍ଣ୍ଣାମେଣ୍ଟ ଉଦଘାଟିତ ହୋଇଥିଲା। ଉଦଘାଟନୀ ମ୍ୟାଚ କେନ୍ଦୁଝର ଏକାଦଶ ଓ ପ୍ରଗତି ସ୍ପୋଟିଂ, ଭୁବନେଶ୍ୱର ମଧ୍ୟରେ ଅନୁଷ୍ଠିତ ହୋଇଥିଲା ବେଳେ ପ୍ରଥମେ ଟଚ୍ ଜିତି ପ୍ରଗତି ସ୍ପୋଟିଂ ବ୍ୟାଟିଂ କରିଥିଲା। ପ୍ରଗତି ସ୍ପୋଟିଂ ନିର୍ଦ୍ଧାରିତ ୩୩ ଓଭର ମଧ୍ୟରେ ୮ ୱିକେଟ ହରାଇ ୧୮୯ ରନ୍ ସଂଗ୍ରହ କରିଥିଲା। ପ୍ରଗତି ସ୍ପୋଟିଂ ପକ୍ଷରୁ ପୁରୁଷୋତ୍ତମ ପ୍ରଧାନ ସର୍ବାଧିକ ୮୮ ଟି ବଲରୁ ୧୧୯ ରନ ସଂଗ୍ରହ କରିଥିବା ବେଳେ କେନ୍ଦୁଝର ଏକାଦଶ ପକ୍ଷରୁ ମୋହିତ ମହାନ୍ତ, ଅର୍ପିତ ମହାନ୍ତ ଓ ଅଭିଷେକ ହୋତା ୨ ଟି ଲେଖାଁଏ ୱିକେଟ ନେଇଥିଲେ। ଏହାର ଜବାବରେ କେନ୍ଦୁଝର ଏକାଦଶ ନିର୍ଦ୍ଧାରିତ ଓଭରରେ ସମସ୍ତ ୱିକେଟ ହରାଇ କେବଳ ୧୫୫ ରନ ସଂଗ୍ରହ କରିବାକୁ ସମର୍ଥ ହୋଇଥିଲା। କେନ୍ଦୁଝର ଏକାଦଶ ପକ୍ଷରୁ ଅଭିଷେକ ହୋତା ସର୍ବାଧିକ ୪୨ ରନ କରିଥିବା ବେଳେ ପ୍ରଗତି ସ୍ପୋଟିଂ ର ବାସୁଦେବ ମଲ୍ଲ ୪ଟି ୱିକେଟ ଅକ୍ତିଆର କରିଥିଲେ। ମ୍ୟାଚ ଶେଷରେ ସମାଜସେବୀ ଚିତ୍ତରଞ୍ଜନ ପରିଡ଼ା ଓ ବରିଷ୍ଠ କ୍ରିକେଟର ଗିରିଶ ଚନ୍ଦ୍ର ହୋତା ପ୍ରଗତି ସ୍ପୋଟିଂର ପୁରୁଷୋତ୍ତମ ପ୍ରଧାନଙ୍କୁ ମ୍ୟାନ ଅଫ ଦ ମ୍ୟାଚ ଭାବେ ପୁରସ୍କୃତ କରିଥିଲେ। ଉକ୍ତ ଟୁର୍ଣ୍ଣାମେଣ୍ଟରେ ସମସ୍ତ ମ୍ୟାଚ ଟର୍ଫ ପିଚରେ ଖେଳା ଯାଉଥିବାବେଳେ ଆସନ୍ତା ୨୪ ତାରିଖରେ ସମାପନ ହେବ ବୋଲି ଆୟୋଜକଙ୍କ ପକ୍ଷରୁ ସୂଚନା ଦିଆଯାଇଛି।