ପଞ୍ଚାତୟରେ ପୋଷଣ ଓ ସ୍ୱାସ୍ଥ୍ୟ ସମ୍ପର୍କିତ ପ୍ରକଳ୍ପ କୁ କ୍ରାଏ ଆମେରିକା ସଦସ୍ୟଙ୍କ ପରିଦର୍ଶନ

କନ୍ଧମାଳ, (ସଞ୍ଜୟ କୁମାର ପାଣିଗ୍ରାହୀ):ଗତ ୨୦୧୯ ମସିହା ଠାରୁ କ୍ରାଏ ଆମେରିକାଙ୍କ ଆର୍ଥିକ ସହାୟତା ଓ କ୍ରାଏ କୋଲକତାଙ୍କ ତତ୍ତ୍ୱାବଧାନରେ ସ୍ୱେଚ୍ଛାସେବୀ ଅନୁଷ୍ଠାନ ସ୍ୱାତୀ ତରଫରୁ ଫିରିଙ୍ଗିଆ ବ୍ଲକର ଦୁର୍ଗମ ଅଞ୍ଚଳ ପାହିରାଜୁ, କୁଏରମାଣ୍ଡୁ, ବାଲନ୍ଦାପଡ଼ା, ଲୁଇସିଂ ଓ ପକାରୀ ଆଦି ଗ୍ରାମ ପଞ୍ଚାତୟରେ ପୋଷଣ ଓ ସ୍ୱାସ୍ଥ୍ୟ ସମ୍ପର୍କିତ ପ୍ରକଳ୍ପ କାର୍ଯ୍ୟକାରୀ ହେଉଥିବା ବେଳେ ଏହି କାର୍ଯ୍ୟକ୍ରମ ମାଧ୍ୟମରେ ସରକାରଙ୍କ ତରଫରୁ କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ଯୋଜନାକୁ କିପରି ହିତାଧିକରୀ ମାନଙ୍କ ପାଖରେ ପହଞ୍ଚାଇ ହେବ ଏବଂ ଆନୁଷ୍ଠାନିକ ଭାବେ ସୁଦୃଢ଼ିକରଣ କରିବା ସହ ଆଶା, ଅଙ୍ଗନୱାଡ଼ି ଓ ଏ.ଏନ୍‍.ଏମ୍‍. ଙ୍କର ଦକ୍ଷତା ବୃଦ୍ଧି କରି ମାତୃ ସ୍ୱାସ୍ଥ୍ୟ, କିଶୋରୀ ସ୍ୱାସ୍ଥ୍ୟ ଓ ୦-୬ ବର୍ଷର ଶିଶୁଙ୍କର ପୋଷଣ ଓ ସ୍ୱାସ୍ଥ୍ୟକୁ ସୁନିଶ୍ଚିତ କରିବାକୁ ଲକ୍ଷ୍ୟ ରଖାଯାଇ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜିତ ହେଉଛି।ଏହି ପରିପ୍ରେକ୍ଷୀରେ କାର୍ଯ୍ୟକ୍ରମର ଅଗ୍ରଗତିକୁ ପରଖିବା ପାଇଁ କ୍ରାଏ, ଆମେରିକା ତରଫରୁ ପେଟ୍ରିକ୍‍ ବସ୍‍କୋ, ଲତିକା ଶର୍ମା ଓ କ୍ରାଏ କୋଲକାତାରୁ ଅଶିମ୍‍ ଘୋଷ ଓ ନିଲବା ପ୍ରମୁଖ କନ୍ଧମାଳରେ ପହଞ୍ଚି ଲୁଇସିଂ ପଞ୍ଚାୟତର କିଲୁକୁମ୍ପା, ପକାରୀ ପଞ୍ଚାୟତର ବିଲୁରି ଓ ଅଙ୍ଗନୱାଡ଼ି କେନ୍ଦ୍ର ଆଦି ପରିଦର୍ଶନ କରିଥିଲେ। ଏହି ଅବସରରେ ଗ୍ରାମବାସୀମାନେ ପାରମ୍ପାରିକ ନୃତ୍ୟ ଓ ଗୀତ ବାଦ୍ୟ ମାଧ୍ୟମରେ ସ୍ୱାଗତ କରିବା ସହ କିଶୋରୀ ବାଳିକାମାନଙ୍କ ଦ୍ୱାରା ବାଲ୍ୟବିବାହ ରୋକିବା ପାଇଁ ଏକ ପଥପ୍ରାନ୍ତ ନାଟକ ଓ ଦେଶାତ୍ମବୋଧକ ସଂଗୀତ ଗାନ କରି କାର୍ଯ୍ୟକ୍ରମ ବିଷୟରେ ଅବଗତ କରାଇଥିଲେ। ତତ୍‍ ସହିତ ମାତୃ କମିଟି ଓ ଯାଞ୍ଚ କମିଟିର ସଦସ୍ୟାମାନେ ସରକାରଙ୍କର ସ୍ୱାସ୍ଥ୍ୟ ଓ ପୋଷଣ ସେବାକୁ ଗ୍ରାମ୍ୟ ସ୍ତରରେ ସୁନିଶ୍ଚିତ କରିବାରେ ସେମାନଙ୍କର କାର୍ଯ୍ୟ ଓ ଦାୟିତ୍ୱକୁ ଉପସ୍ଥାପନା କରି ସେମାନଙ୍କର ସହଭାଗିତାକୁ ଜଣାଇଥିଲେ। ସେହିପରି ପକାରୀ ସରପଞ୍ଚ ଓ ଲୁଇସିଂ ପଞ୍ଚାୟତର ପୂର୍ବତନ ନାଏବ ସରପଞ୍ଚ ଜିବେଶ୍ୱର ମଲ୍ଲିକ ପଞ୍ଚାୟତ ପ୍ରତିନିଧିଙ୍କର ଶିଶୁ ଓ ମାତୃ ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମ ପରିଚାଳନାରେ ଥିବା ଦାୟିତ୍ୱ ଓ କର୍ତ୍ତବ୍ୟ ଉପରେ ଉପସ୍ଥାପନା କରିଥିଲେ। ଅନୁଷ୍ଠାନର ସମ୍ପାଦକ ହରି ଶଙ୍କର ରାଉତ୍‍ କ୍ଷେତ୍ର ପରିଦର୍ଶନ ସମୟରେ ସମସ୍ତ କାର୍ଯ୍ୟକ୍ରମକୁ ରୂପାନ୍ତରିତ ଭାଷାରେ ଅତିଥି ମାନଙ୍କୁ ଜଣାଇଥିଲେ। କାର୍ଯ୍ୟକ୍ରମରେ ଆଲୋକ ସାମନ୍ତରାୟ ,ମାନସ ପ୍ରଧାନ, ସୌରଭ ପଣ୍ଡା, ଅନୁପମା କହଁର, ବିନ୍ଧ୍ୟାରାଣୀ ପ୍ରଧାନ, କୁଶ ସାନସେଠ୍‍, ପୁଷ୍ପିତା ସାହୁ, ରୀତାରାଣୀ ସାହୁ, ଚଞ୍ଚଳା କହଁର ପ୍ରମୁଖ ସହଯୋଗ କରିଥିବା ବେଳେ ବରିଷ୍ଠ କର୍ମୀ ପ୍ରଦୀପ କୁମାର ସ୍ୱାଇଁ ଓ ବିଶ୍ୱରଞ୍ଜନ କର ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ