ପଞ୍ଚାୟତରାଜ ନିର୍ଦ୍ଦେଶକ ହେଲେ ମହେଶ୍ୱର ସ୍ୱାଇଁ
ବନ୍ତ, (ଚାନ୍ଦିନୀ ମହାନ୍ତି):ଓଡିଶା ସରକାରଙ୍କ ପଞ୍ଚାୟତରାଜ ଓ ପାନୀୟ ଜଳ ବିଭାଗର ନିର୍ଦ୍ଦେଶକ ଭାବେ ମହେଶ୍ୱର ସ୍ୱାଇଁଙ୍କୁ ନିଯୁକ୍ତି ଦିଆଯାଇଛି । ଓଡିଶା ସରକାରଙ୍କ ସାଧାରଣ ପ୍ରଶାସନ ଓ ଜନ ଅଭିଯୋଗ ବିଭାଗ ପକ୍ଷରୁ ଅଗଷ୍ଟ ୨୪ରେ ପ୍ରକାଶିତ ବିଜ୍ଞପ୍ତି ଅନୁଯାୟୀ ଶ୍ରୀ ସ୍ୱାଇଁଙ୍କୁ ପଞ୍ଚାୟତରାଜ ଓ ପାନୀୟ ଜଳ ବିଭାଗର ନିର୍ଦ୍ଦେଶକ ଭାବେ ନିଯୁକ୍ତି ଦିଆଯାଇଛି । ଭଦ୍ରକ ଜିଲା ବନ୍ତ ବ୍ଲକ ବସନ୍ତିଆ ପଞ୍ଚାୟତ ବରକୋଣା ଗ୍ରାମର ସ୍ୱର୍ଗତ ପଦ୍ମ ଚରଣ ସ୍ୱାଇଁଙ୍କ ପୁତ୍ର ମହେଶ୍ୱର ସ୍ୱାଇଁ ଅଟନ୍ତି । ୧୯୬୭ ମସିହା ମାର୍ଚ୍ଚ ୫ରେ ଜନ୍ମିତ ମହେଶ୍ୱର ଆରମ୍ଭରୁ ଜଣେ ମେଧାବୀ ଛାତ୍ର ଥିଲେ । ଛାତ୍ର ଜୀବନରେ ସେ କଠିନ ପରିଶ୍ରମ କରି ପାଠ ପଢୁଥିଲେ । ଏବେ ଚାକିରୀ ଜୀବନରେ ମଧ୍ୟ ସେ ବହୁତ ସଫଳ ଓ କୃତିତ୍ୱ ଅର୍ଜ୍ଜନ କରି ଏପରି ଏକ ଆସନ ଅଳଙ୍କୃତ କରିଛନ୍ତି । ଗାଁ ସ୍କୁଲରୁ ପ୍ରାଥମିକ ଶିକ୍ଷା ଶେଷ କରି ନନ୍ଦିପଦା ହାଇସ୍କୁଲରୁ ମାଟ୍ରିକ ପାସ କରିଥିଲେ । ଭଦ୍ରକ କଲେଜରେ ଯୁକ୍ତ ଦୁଇ ଓ ଯୁକ୍ତ ତିନି ପାସ କରି ବାଣୀ ବିହାର ବିଶ୍ୱ ବିଦ୍ୟାଳୟରେ ଏମ୍.ଏ(ସାଇକୋଲୋଜି)ଏବଂ ପିଏଚ୍ଡି କରିଥିଲେ । ୧୯୯୫ ମସିହାରେ ଓ.ଏ.ଏସ ପାଇବା ପରେ ପ୍ରଥମେ ଯାଜପୁର ଜିଲାର ବିଂଝାରପୁର ତହସିଲରେ ଅତିରିକ୍ତ ତହସିଲଦାର, ପରେ କେନ୍ଦୁଝର ଜିଲା ଆନନ୍ଦପୁରରେ ତହସିଲଦାର ଭାବେ ୬ ବର୍ଷ କାର୍ଯ୍ୟ କରିଥିଲେ । ପରେ ନୟାଗଡରେ ରେଭିନ୍ୟୁ ଅଫିସର, ଗଞ୍ଜାମ ଜିଲା ବେଲଗୁଣ୍ଠାରେ ବିଡିଓ, ଭଞ୍ଜନଗରରେ ବିଡିଓ, ବରହମପୁର ବି.ଏମ୍.ସିରେ ଡେପୁଟି କମିଶନର, ଆନନ୍ଦପୁରରେ ଉପଜିଲାପାଳ ଭାବେ ୪ ବର୍ଷ, ବଲାଙ୍ଗୀର ଜିଲା ଗ୍ରାମ୍ୟ ଉନ୍ନୟନ ବିଭାଗରେ ପି.ଡି ଭାବେ ୩ ବର୍ଷ, ପଞ୍ଚାୟତରାଜ ବିଭାଗରେ ଅତିରିକ୍ତ ସଚିବ, ସ୍ୱତନ୍ତ୍ର ସଚିବ ଥିଲେ । ଚଳିତ ବର୍ଷ ଅଗଷ୍ଟ ୨୫ରେ ସେ ପଞ୍ଚାୟତରାଜ ଓ ପାନୀୟ ଜଳ ବିଭାଗରେ ନିର୍ଦ୍ଦେଶକ ଭାବେ ନିଯୁକ୍ତି ପାଇଥିବାରୁ ସମଗ୍ର ବ୍ଲକରେ ଖୁସିର ଲହରୀ ଖେଳି ଯିବା ସହ ବ୍ଲକବାସୀ ଆଜି ଗର୍ବିତ ମନେ କରିଛନ୍ତି ।