ପଞ୍ଚାୟତ ଓ ବ୍ଲକ କାର୍ଯ୍ୟାଳୟ ରୁ ସୂଚନା ନ ପାଇ ରାଜ୍ୟ ସୂଚନା ଆୟୋଗ ଙ୍କ ନିକଟରେ ଅଭିଯୋଗ କଲେ ସାମାଜିକ କର୍ମୀ
ନିମାପଡ଼ା, (ସନ୍ତୋଷ ଦାଶ):ରାଜ୍ୟ ର ଯେ କୌଣସି ବ୍ୟକ୍ତି ଙ୍କ ର ଯେ କୌଣସି ଉନ୍ନୟନମୂଳକ କାର୍ଯ୍ୟ ସମ୍ପର୍କ ରେ ସୂଚନା ପାଇବାର ଅଧିକାର ରହିଛି। ସରକାର ବି ଏଥିପାଇଁ ୨୦୦୫ ମସିହାରେ ସୂଚନା ଅଧିକାର ଆଇନ ପ୍ରଣୟନ କରିଛନ୍ତି। କିନ୍ତୁ ପୁରୀ ଜିଲ୍ଲା ଗୋପ ବ୍ଲକ ବିଡ଼ିଓ ଓ ଧୂମାଳୋ ପଞ୍ଚାୟତ ର କାର୍ଯ୍ୟ ନିର୍ବାହୀ ଅଧିକାରୀ ସୂଚନା ଅଧିକାର ଆଇନ କୁ ଅବମାନନା କରୁଥିବାରୁ ସେମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନୟାହାଟ ର ଜଣେ ସାମାଜିକ କର୍ମୀ ରାଜ୍ୟ ସୂଚନା ଆୟୋଗ ଙ୍କ ନିକଟରେ ଅଭିଯୋଗ ଦାଖଲ କରି ଅନୁରୋଧ କରିଛନ୍ତି । ଘଟଣା ରୁ ପ୍ରକାଶ ଯେ, ନୟାହାଟ ନିକଟସ୍ଥ ଧୂମାଳୋ ପଞ୍ଚାୟତ ର ନରସିଂହପୁର ଶାସନ (ନିପାନିଆଗଡ଼ )ର ବାସିନ୍ଦା ତଥା ସାମାଜିକ କର୍ମୀ ହାଡିବନ୍ଧୁ ବିଶ୍ବାଳ ଧୂମାଳୋ ପଞ୍ଚାୟତ ରେ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ ରେ ବ୍ୟାପକ ଅନିୟମିତତା ହୋଇଥିବା ଉପଲବ୍ଧି କରି ଏ ସଂପର୍କ ରେ ସେ ପଞ୍ଚାୟତ କାର୍ଯ୍ୟାଳୟ ରୁ ସୂଚନା ଅଧିକାର ଆଇନ ବଳରେ ଗତ ୧୨.୭.୨୦୨୩ ରେ କିଛି ଉନ୍ନୟନ ମୂଳକ କାର୍ଯ୍ୟ ସମ୍ପର୍କ ରେ ସୂଚନା ମାଗିଥିଲେ।ପଞ୍ଚାୟତ ର ଜନସୂଚନା ଅଧିକାରୀ ତାଙ୍କୁ କୌଣସି ସୂଚନା ପ୍ରଦାନ ନ କରିବାରୁ ସେ ବାଧ୍ୟ ହୋଇ ଗୋପ ବ୍ଲକ ବିଡ଼ିଓ ଙ୍କ ନିକଟରେ ଗତ ୧୨.୭.୨୩ ରେ ଅପିଲ କରି ସେ ମାଗିଥିବା ସୂଚନା ପ୍ରଦାନ କରିବାକୁ ଓ ପଞ୍ଚାୟତ ର ସୂଚନା ଅଧିକାରୀ ଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବୀ କରିଥିଲେ।କିନ୍ତୁ ବ୍ଲକ କାର୍ଯ୍ୟାଳୟ ମଧ୍ୟ ତାଙ୍କ ଆବେଦନ ଓ ଦାବି ପ୍ରତି ଦୃଷ୍ଟି ଦେଇ ନ ଥିଲେ। ବାଧ୍ୟ ହୋଇ ହାଡ଼ିବନ୍ଧୁ ୯.୧.୨୦୨୪ ରେ ଭୁବନେଶ୍ୱର ସ୍ଥିତ ରାଜ୍ୟ ସୂଚନା ଆୟୋଗ ଙ୍କ ନିକଟରେ ଅଭିଯୋଗ କରି ତାଙ୍କୁ ସୂଚନା ପ୍ରଦାନ କରିବା ସହିତ ଧୂମାଳୋ ପଞ୍ଚାୟତ ଓ ଗୋପ ବ୍ଲକ ର ଜନସୂଚନା ଅଧିକାରୀ ଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବୀ କରିଛନ୍ତି। କାହିଁକି ହାଡିବନ୍ଧୁ ଙ୍କୁ ସୂଚନା ପ୍ରଦାନ କରାଯାଉନାହିଁ ବୋଲି ଧୂମାଳୋ ପଞ୍ଚାୟତ ର ଲୋକ ସୂଚନା ଅଧିକାରୀ ତଥା ପଞ୍ଚାୟତ ର କାର୍ଯ୍ୟ ନିର୍ବାହୀ ଅଧିକାରୀ ସୁବାସ ଚନ୍ଦ୍ର ଜେନା ଙ୍କୁ ପଚାରିବାରେ ସେ କୌଣସି ମତ ଦେବାକୁ ମନା କରି ଦେଇଥିଲେ। ଗୋପ ବ୍ଲକ ର ବିଡ଼ିଓ ଛବି ରାଣୀ ସାହୁ ଙ୍କୁ ପଚାରିବାରେ ତାଙ୍କ ନଜର ରେ ଏହି ଘଟଣା ପଡିନି। ସେ ଦେଖିବେ ବୋଲି କହି ମୁଖ୍ୟ ପ୍ରଶ୍ନ କୁ ଏଡ଼ାଇ ଯାଇଥିଲେ। ସୂଚନାଯୋଗ୍ୟ କି, ହାଡ଼ିବନ୍ଧୁ ନୟାହାଟ ବାଳିକା ଉଚ୍ଚ ବିଦ୍ୟାଳୟ ରେ ଫାଇଭ ଟି ଯୋଜନା ରେ କି କି ଉନ୍ନତି ମୂଳକ କାର୍ଯ୍ୟ ହୋଇଛି ଓ ତାଙ୍କ ଗାଁ କୋଠଘର ନିର୍ମାଣ ରେ କେତେ ଅନୁଦାନ ଅର୍ଥ ବ୍ୟୟ ହୋଇଛି ସେ ସମ୍ପର୍କ ରେ ସୂଚନା ମାଗିଛନ୍ତି ବୋଲି ତାଙ୍କ ଅଭିଯୋଗ ପତ୍ର ରୁ ଜଣାପଡ଼ିଛି। ରାଜ୍ୟ ସୂଚନା ଆୟୋଗ ତୁରନ୍ତ ଗୋପ ବିଡ଼ିଓ ଓ ଧୂମାଳୋ ପଞ୍ଚାୟତ ର କାର୍ଯ୍ୟ ନିର୍ବାହୀ ଅଧିକାରୀ ଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସାଧାରଣ ରେ ଦାବି ହେଉଛି।