ପଞ୍ଚାୟତ କାମ ଭାଗବଣ୍ଟାକୁ କେନ୍ଦ୍ରକରି ସରପଞ୍ଚ ଓ ସମିତିସଭ୍ୟାଙ୍କ ସ୍ବାମୀ ହାତାହାତି
ଯନ୍ତ୍ରୀଙ୍କ କାର୍ଯ୍ୟାଳୟ ପାଲଟିଲା ରଣକ୍ଷେତ୍ର
ରୁଦ୍ଧଦ୍ବାର ବୈଠକରେ ସରପଞ୍ଚଙ୍କ ସହ ବିଡ଼ିଓଙ୍କ ଆଲୋଚନା
ହିଞ୍ଜିଳିକାଟୁ,(ଶେଷଦେବ ସାହୁ): ପୁରସ୍କାର ସ୍ବରୁପ ମିଳିଥିବା ଅର୍ଥରାଶିରେ ହେବାକୁ ଥିବା ପଞ୍ଚାୟତ ଉନ୍ନୟନ ମୂଳକ କାମ ଭାଗବଣ୍ଟାକୁ କେନ୍ଦ୍ରକରି ଚାଲିଲା ହଟ୍ଟଗୋଳ। ଆପୋଷ ସମାଧାନ ପାଇଁ ଯନ୍ତ୍ରୀଙ୍କ କାର୍ଯ୍ୟାଳୟ ପରିସରରେ ପହଞ୍ଚିଥିଲେ ଉଭୟ ସରପଞ୍ଚ ଓ ସମିତିସଭ୍ୟାଙ୍କ ସ୍ବାମୀ । ପ୍ରଥମେ କଥା କଟାକଟି ପରେ ହାତାହାତି। ଏଭଳି ଏକ ଘଟଣା ଶୁକ୍ରବାର ଗଞ୍ଜାମ ଜିଲ୍ଲା ହିଞ୍ଜିଳିକାଟୁ ବ୍ଲକ ଶାସନଆମ୍ବଗାଁ ପଞ୍ଚାୟତରେ ଦେଖିବାକୁ ମିଳିଛି । ଏହାର ଏକ ଭିଡିଓ ସାମାଜିକ ଗଣମାଧ୍ୟମରେ ଭାଇରାଲ ହେବାରେ ଲାଗିଛି।
ମିଳିଥିବା ସୂଚନା ପ୍ରକାରେ, ସ୍ବଚ୍ଛତା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ନିମନ୍ତେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପକ୍ଷରୁ ଗଞ୍ଜାମ ଜିଲ୍ଲା ହିଞ୍ଜିଳିକାଟୁ ବ୍ଲକ ଶାସନଆମ୍ବଗାଁ ପଞ୍ଚାୟତକୁ ଶ୍ରେଷ୍ଠ ବିବେଚିତ କରାଯିବା ସହ ପଞ୍ଚାୟତର ସର୍ବାଙ୍ଗୀନ ଉନ୍ନତି ସକାଶେ ୩କୋଟି ଟଙ୍କା ପୁରସ୍କୃତ କରାଯାଇଥିଲା। ପୁରସ୍କୃତ ଅର୍ଥରାଶି ବାବଦକୁ ସଂପୃକ୍ତ ପଞ୍ଚାୟତରେ ବହୁତ ଉନ୍ନୟନ ମୂଳକ କାର୍ଯ୍ୟ କରାଯିବାକୁ ନିଷ୍ପତ୍ତି ଗ୍ରହଣ କରାଯାଇଥିଲା। ତେବେ ପଞ୍ଚାୟତର ଉନ୍ନୟନ ମୂଳକ କାମ ଭାଗବଣ୍ଟାକୁ କେନ୍ଦ୍ରକରି ସଂପୃକ୍ତ ପଞ୍ଚାୟତର ସରପଞ୍ଚ ଓ ସମିତି ସଭ୍ୟାଙ୍କ ସ୍ବାମୀଙ୍କ ସହ ହୋଇଛି କଥା କଟାକଟି । ଘଟଣାର ଆପୋଷ ବୁଝାମଣା ସକାଶେ ଉଭୟ ସରପଞ୍ଚ ଓ ସମିତିସଭ୍ୟାଙ୍କ ସ୍ବାମୀ ପହଞ୍ଚିଥିଲେ ହିଞ୍ଜିଳିକାଟୁ ବ୍ଲକ୍ କାର୍ଯ୍ୟାଳୟରେ । କନିଷ୍ଠ ଯନ୍ତ୍ରୀଙ୍କ କାର୍ଯ୍ୟାଳୟ ପରିସରରେ ଯନ୍ତ୍ରୀଙ୍କ ଉପସ୍ଥିତିରେ ଆପୋଷ ସମାଧାନ ପାଇଁ ଉଦ୍ୟମ ଆରମ୍ଭ ହୋଇଥିଲା। ହେଲେ ସମାଧାନର ବାଟ ଫିଟିନଥିଲା। କିଛି ସମୟ ପରେ ଉଭୟଙ୍କ ମଧ୍ୟରେ ବଚସା ହୋଇଥିଲା । ପରେ ଯନ୍ତ୍ରୀଙ୍କ କାର୍ଯ୍ୟାଳୟ ଭିତରପଟୁ କବାଟ ବନ୍ଦକରି ଉଭୟେ ହାତାହାତି ହୋଇଥିବା ଜଣାପଡିଛି। ଯନ୍ତ୍ରୀଙ୍କ କାର୍ଯ୍ୟାଳୟ ପାଲଟିଥିଲା ରଣକ୍ଷେତ୍ର । କାର୍ଯ୍ୟାଳୟ ଭିତରେ ଚେୟାର ଟେବୁଲ୍ ଫୋପାଡିବା ସହ ଗମ୍ଭୀର ପରିସ୍ଥିତି ସୃଷ୍ଟି ହୋଇଥିଲା । ଘଟଣା ସମ୍ପର୍କର ସରପଞ୍ଚ ଫୋନ୍ କରି ହିଞ୍ଜିଳି ଥାନାକୁ ଖବର ଜଣାଇଥିଲେ। ଖବର ପାଇ ହିଞ୍ଜିଳି ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଉଭୟଙ୍କୁ ବୁଝାସୁଝା କରି ଫେରିଥିଲା। ପରେ ଘଟଣାର ସମାଧାନ ପାଇଁ ବିଡ଼ିଓ ହସ୍ତକ୍ଷେପ କରିଛନ୍ତି । କିଛି ସରପଞ୍ଚଙ୍କ ସହ ବିଡିଓ ରୁଦ୍ଧଦ୍ବାର ବୈଠକରେ ଆଲୋଚନା କରିଥିଲେ ମଧ୍ୟ ସମାଧାନର ବାଟ ଫିଟିନଥିବା ଜଣାପଡିଛି। ଘଟଣା ନେଇ ବିଡ଼ିଓ ଦିବ୍ୟଜ୍ୟୋତି ସ୍ମୃତି ରଞ୍ଜନ ଦେଓଙ୍କ ସହ ଯୋଗାଯୋଗ କରାଯାଇଥିଲେ ମଧ୍ୟ ସମ୍ଭବପର ହୋଇପାରିନଥିଲା। ଏ ନେଇ କନିଷ୍ଠ ଯନ୍ତ୍ରୀ ଡି. ଅଶୋକଙ୍କ ସହ ଯୋଗାଯୋଗ କରିବାରୁ ସେ କୁହନ୍ତି ପଞ୍ଚାୟତ ଉନ୍ନୟନ କାମ ଭାଗବଣ୍ଟାକୁ ନେଇ ଉଭୟ ସରପଞ୍ଚ ଓ ସମିତିସଭ୍ୟାଙ୍କ ସ୍ବାମୀ ମଧ୍ୟରେ ବଚସା ହୋଇଛି। ଆଗାମୀ ଦିନରେ ପରସ୍ପର ମଧ୍ୟରେ ଆପୋଷ ବୁଝାମଣା କରି ସମାଧାନର ବାଟ ବାହାର କରାଯିବ । ଖବର ଲେଖା ହେବା ସୁଦ୍ଧା ଘଟଣା ନେଇ ହିଞ୍ଜିଳି ଥାନାରେ କୈାଣସି ଅଭିଯୋଗ ହୋଇନଥିବା ଥାନା ସୂତ୍ରରୁ ଜଣାପଡିଛି। ଖବର ପ୍ରଚାରିତ ହେବା ପରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି।