ପଞ୍ଚାୟତ ନିର୍ବାଚନରେ ଉଚ୍ଚଶିକ୍ଷିତ ଯୁବବର୍ଗଙ୍କୁ ବିଜେପି ପ୍ରାର୍ଥୀ କରିଛି : ସାଂସଦ
ବାଲେଶ୍ୱର, (ସରୋଜ ପଣ୍ଡା) :-ଆସନ୍ତା ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ବିଭିନ୍ନ ପଦ ପାଇଁ ନାମାଙ୍କନ କାର୍ଯ୍ୟକ୍ରମ ଜାରି ରହିଥିବା ବେଳେ ଜିଲ୍ଲା ପରିଷଦ ସଭ୍ୟ ପଦ ପାଇଁ ବିଭିନ୍ନ ରାଜନୈତିକ ଦଳ ପକ୍ଷରୁ ଦଳୀୟ ଟିକଟରେ ପ୍ରାର୍ଥିପତ୍ର ଦାଖଲ ଚାଲିଛି । ଦିନକ ପରେ ଏହି ନାମାଙ୍କନ ପ୍ରକ୍ରିୟା ଶେଷ ହେବାକୁ ଯାଉଥିବା ବେଳେ ବିଜେପି ପକ୍ଷରୁ ଜିଲ୍ଲା ପରିଷଦ ପ୍ରାର୍ଥୀଙ୍କ ନାମ ଘୋଷଣା କରାଯାଇଛି । ବିଜେପି ଜିଲ୍ଲା କାର୍ଯ୍ୟାଳୟରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ବାଲେଶ୍ୱର ଲୋକସଭା ସାଂସଦ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ ଯୋଗଦେଇ ପ୍ରଥମ ପର୍ଯ୍ୟାୟରେ ୩୧ ସଭ୍ୟପଦ ପାଇଁ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛନ୍ତି । ବାକି ୧୪ ଜୋନର ପ୍ରାର୍ଥୀ ୨୧ ତାରିଖରେ ସିଧାସଳଖ ନାମାଙ୍କନପତ୍ର ଦାଖଲ କରିବାକୁ ଆସିବେ ବୋଲି ସାଂସଦ ଶ୍ରୀ ଷଡ଼ଙ୍ଗୀ କହିଛନ୍ତି । ଏହି ନିର୍ବାଚନରେ ବିଜେପି ପକ୍ଷରୁ ଜିଲ୍ଲାପରିଷଦ ସଭ୍ୟ ଓ ଅନ୍ୟାନ୍ୟ ପଦ ପାଇଁ ଅତି ଉଚ୍ଚଶିକ୍ଷିତ ପ୍ରାର୍ଥୀ ଦିଆଯାଇଥିବା ସେ କହିଛନ୍ତି । ଗ୍ରାମାଞ୍ଚଳରେ ସାମ୍ପ୍ରତିକ ବିକାଶର ବାସ୍ତବ ରୂପ ଓ ରାଜ୍ୟ ସରକାରଙ୍କ ବିଫଳତା ସମ୍ପର୍କରେ ବିଜେପି ପକ୍ଷରୁ ଭୋଟରଙ୍କୁ ସଚେତନ କରାଯିବ । ବିଶେଷ କରି ପଞ୍ଚାୟତ ବ୍ୟବସ୍ଥାକୁ ସୁଦୃଢ଼ ଓ ଦୁର୍ନୀତି ମୁକ୍ତ କରିବା ପାଇଁ ବିଜେପି କେନ୍ଦ୍ର ସରକାରଙ୍କ ସ୍ୱଚ୍ଛ ଆଭିମୁଖ୍ୟ ଏବଂ ରାଜ୍ୟ ସରକାରଙ୍କ ବିଫଳତାକୁ ନିର୍ବାଚନୀ ମୁଦ୍ଦା କରିବ ବୋଲି ଶ୍ରୀ ଷଡ଼ଙ୍ଗୀ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି । ବିଜେପି ଜିଲ୍ଲା ସଭାପତି ଉମାକାନ୍ତ ମହାପାତ୍ର, ରାଜ୍ୟ ସମ୍ପାଦକ ଅଭିମନ୍ୟୁ ସେଠୀ, ନୀଳଗିରି ବିଧାୟକ ସୁକାନ୍ତ ନାୟକ, ପୂର୍ବତନ ବିଧାୟକ ଜୀବନ ପ୍ରଦୀପ ଦାଶ ଓ ଗୋବିନ୍ଦ ଚନ୍ଦ୍ର ଦାସଙ୍କ ସମେତ ସୋର ବିଜେପି ନେତା ରାକେଶ ମଲିକ, ଭୋଗରାଇର ଅଂଶୁମାନ ମହାନ୍ତି, ବିଜେପି ଜିଲ୍ଲା ସାଧାରର ସମ୍ପାଦକ ପର୍ଶୁରାମ ପରିଡ଼ା ଓ ଈଶ୍ୱର ଚନ୍ଦ୍ର ବେହେରା, ଜିଲ୍ଲା ମିଡିଆ ସଂଯୋଜକ ଶ୍ରୀନିବାସ ପ୍ରଧାନ ପ୍ରମୁଖ ଏଥିରେ ଉପସ୍ଥିତ ଥିଲେ । ଏହି ଅବସରରେ ଆୟୋଜିତ ଏକ ମିଶ୍ରଣ ପର୍ବରେ ବିଜେପିରେ ଯୋଗ ଦେଇଥିବା ସୋର ଅଞ୍ଚଳର ଛାମୁଆ କର୍ମୀଙ୍କୁ ଦଳ ପକ୍ଷରୁ ସ୍ୱାଗତ କରାଯାଇଥିଲା ।