ପଞ୍ଚାୟତ ନିର୍ବାଚନରେ ବାମପନ୍ଥୀମାନେ ମିଳିତ ପ୍ରାର୍ଥୀ ଦେବାକୁ ନିଷ୍ପତ୍ତି
ବାଲେଶ୍ୱର, (ସରୋଜ ପଣ୍ଡା) :ଚଳିତ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ବାଲେଶ୍ୱର ଜିଲ୍ଲାରେ ସିପିଆଇ ଏବଂ ସିପିଆଇ(ଏମ୍)ର ମିଳିତ ପ୍ରାର୍ଥୀ ଦେବାକୁ ରବିବାର ଦିନ ଅପରାହ୍ନରେ ଅନୁଷ୍ଠିତ ବୈଠକରେ ନିଷ୍ପତ୍ତି ନିଆଯାଇଛି । ଦେଶ ଓ ରାଜ୍ୟର ସାଂପ୍ରତିକ ପରିସ୍ଥିତିରେ ବାମପନ୍ଥୀମାନଙ୍କ ଏକତାକୁ ଅଧିକ ଦୃଢ଼ କରିବା ସଂପର୍କରେ ସହମତି ପ୍ରକାଶ ପାଇଥିଲା । ପ୍ରାର୍ଥୀପତ୍ର ଦାଖଲପରେ ଆସନ୍ତା ୨୨ ତାରିଖ ଦିନ ଅପରାହ୍ନର ପୁନଶ୍ଚ ମିଳିତ ବୈଠକରେ ସବିଶେଷ ନିଷ୍ପତ୍ତି ନିଆଯିବ ବୋଲି ଉଭୟ ଦଳର ନେତୃବୃନ୍ଦ ସହମତି ପ୍ରକାଶ କରିଛନ୍ତି । ପଞ୍ଚାୟତସ୍ତରରେ ବ୍ୟାପକ ଦୁର୍ନୀତି ବିରୁଦ୍ଧରେ ଓ କ୍ଷମତାର ବିକେନ୍ଦ୍ରୀକରଣ ପାଇଁ ଉଭୟ ଦଳ ମିଳିତ ପ୍ରଚାର ଅଭିଯାନ କରିବା ସହ ସାଂପ୍ରଦାୟିକ ଦଳ ଓ ସେମାନଙ୍କ ସହଯୋଗୀ ଦଳର ପ୍ରାର୍ଥୀମାନଙ୍କୁ ପରାସ୍ତ କରିବାକୁ ବୈଠକରେ ଆହ୍ୱାନ ଦିଆଯାଇଛି । ଗୌରାଙ୍ଗ ପାଣିଗ୍ରାହୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ସିପିଆଇ(ଏମ୍)ର ଜିଲ୍ଲା ସଂପାଦକ ଶିଶିର ହୁଇ ଓ ସିପିଆଇ ଜିଲ୍ଲା ସଂପାଦକ ନିରଞ୍ଜନ ବାରିକଙ୍କ ସମେତ ନିରଞ୍ଜନ ପରିଡ଼ା, ସୀତାଂଶୁ ସେନାପତି ଓ ଦୀପ୍ତିମାନ ଆଚାର୍ଯ୍ୟ ପ୍ରମୁଖ ଆଲୋଚନାରେ ଅଂଶଗ୍ରହଣ କରିଥିଲେ । ଯତୀନ୍ ପାତ୍ର ଧନ୍ୟବାଦ ଦେଇଥିଲେ ।


