ପଞ୍ଚାୟତ ନିର୍ବାଚନ ନାମାଙ୍କନ ପ୍ରକ୍ରିୟା ଶେଷ : ଚୂଡ଼ାନ୍ତ ତାଲିକା ପ୍ରକାଶ ପରେ ଜମିବ ପ୍ରଚାର

ବାଲେଶ୍ୱର, (ସରୋଜ ପଣ୍ଡା) :-ଆସନ୍ତା ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ଗତ ୧୭ ତାରିଖରୁ ବିଭିନ୍ନ ପଦ ନିମନ୍ତେ ଆରମ୍ଭ ହୋଇଥିବା ନାମାଙ୍କନପତ୍ର ଦାଖଲ ପ୍ରକ୍ରିୟା ଶୁକ୍ରବାର ଶେଷ ହୋଇଯାଇଛି । ଶେଷ ଦିନରେ ପଞ୍ଚାୟତ କାର୍ଯ୍ୟାଳୟଠାରୁ ଆରମ୍ଭ କରି ବ୍ଲକ ଅଫିସ ଏମିତିକି ଉପ-ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପ୍ରାର୍ଥୀ ଓ ସମର୍ଥକଙ୍କ ଭିଡ଼ ପରିଲକ୍ଷିତ ହୋଇଥିଲା । ତେବେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ଜିଲା ପରିଷଦ ସଭ୍ୟ ପଦ ପାଇଁ ଦଳୀୟ ଟିକଟ ଆବଶ୍ୟକ ଥିବା ବେଳେ ନାମାଙ୍କନ ସମୟରେ ବିଭିନ୍ନ ରାଜନୈତିକ ଦଳର ପ୍ରାର୍ଥୀଙ୍କ ସମେତ ଦଳୀୟ ନେତା ଓ ସମର୍ଥକଙ୍କ ଉପସ୍ଥିତି ଦେଖିବାକୁ ମିଳିଥିଲା । ଏହି ପରିପ୍ରେକ୍ଷୀରେ ବିଭିନ୍ନ ଜିଲ୍ଲା ପରିଷଦ ଜୋନ ପାଇଁ ବିଜେଡି, ବିଜେପି, କଂଗ୍ରେସ, ସିପିଆଇ, ସିପିଏମ ଏମିତିକି ‘ଆପ’ଦଳର ପ୍ରାର୍ଥୀମାନେ ନାମାଙ୍କନପତ୍ର ଦାଖଲ କରିଥିଲେ । କୋଭିଡ ନିୟମ ଥିଲେ ମଧ୍ୟ ପ୍ରାୟ ପ୍ରତ୍ୟେକ ଦଳର ପ୍ରାର୍ଥୀ, ଦଳୀୟ ନେତା ଓ ସହଯୋଗୀଙ୍କ ଗହଣରେ ଶାନ୍ତିପୂର୍ଣ୍ଣ ପଦଯାତ୍ରାରେ ଆସି ଉପ-ଜିଲ୍ଲାପାଳଙ୍କୁ ପ୍ରାର୍ଥିପତ୍ର ପ୍ରଦାନ କରିଥିଲେ । ଉପ-ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ପ୍ରାର୍ଥୀଙ୍କ ସମେତ କେବଳ ଜଣେ କିମ୍ବା ଦୁଇଜଣ ସମର୍ଥକ ଓ ପ୍ରସ୍ତାବକ ଯାଉଥିଲେ । ନିର୍ବାଚନ ଆୟୁକ୍ତଙ୍କ ମାର୍ଗଦର୍ଶିକା ଅନୁସାରେ ପ୍ରାଶାସନ ଓ ପୁଲିସ ପକ୍ଷରୁ ବିହୀତ ପଦକ୍ଷେପ ନିଆଯାଇଥିବା ଦେଖିବାକୁ ମିଳିଥିଲା । ପୂର୍ବାହ୍ଣ ୧୧ଟାରୁ ଆରମ୍ଭ ହୋଇ ନାମାଙ୍କନ ପ୍ରକ୍ରିୟା ଅପରାହ୍ଣ ୩ ଟା ପର୍ଯ୍ୟନ୍ତ ଚାଲିଥିଲା । ତେବେ ପ୍ରାର୍ଥୀପତ୍ର ଦାଖଲ କରୁଥିବା ପ୍ରାର୍ଥୀଙ୍କଠାରୁ ଆରମ୍ଭ କରି ଦଳୀୟ ନେତା ଓ କର୍ମୀଙ୍କ ପର୍ଯ୍ୟନ୍ତ ସମସ୍ତେ ବେଶ ଉତ୍ସାହିତ ଥିବା ଦେଖିବାକୁ ମିଳିଥିଲା । ପ୍ରତ୍ୟେକ ଦଳର ନେତା ସମ୍ପୃକ୍ତ ଦଳର ପ୍ରାର୍ଥୀଙ୍କ ବିଜୟ ସମ୍ଭାବନାକୁ ନେଇ ବେଶ ଆଶାବାଦୀ ଥିଲେ ।୨୦୧୭ ନିର୍ବାଚନ ଭଳି ଚଳିତ ପଞ୍ଚାୟତ ନିର୍ବାଚନରେ ୱାର୍ଡ଼ସଭ୍ୟଠାରୁ ଆରମ୍ଭ କରି ଜିଲ୍ଲା ପରିଷଦ ସଭ୍ୟ ପର୍ଯ୍ୟନ୍ତ ଆଶାତୀତ ସଫଳତା ମିଳିବ ବୋଲି ବିଜେଡି ଜିଲ୍ଲା ସଭାପତି ତଥା ପୂର୍ବତନ ସାଂସଦ ରବୀନ୍ଦ୍ର କୁମାର ଜେନା କହିଛନ୍ତି । ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଲୋକାଭିମୁଖୀ ଯୋଜନା କାର୍ଯ୍ୟକାରୀରେ ରାଜ୍ୟବାସୀ ଆଶ୍ୱସ୍ତ । ଏଭଳି ସ୍ଥିତିରେ ବାଲେଶ୍ୱରରେ ବିଜେଡି ପ୍ରାର୍ଥୀଙ୍କୁ ସର୍ବାଧିକ ସଫଳତା ମିଳିବ ବୋଲି ଶ୍ରୀ ଜେନା ଆଶା ପ୍ରକାଶ କରିଛନ୍ତି । ସେହିଭଳି ଚଳିତ ନିର୍ବାଚନରେ ଜିଲା ପରିଷଦ ସଦସ୍ୟ ପଦରେ ବିଜେଡି ପ୍ରାର୍ଥୀଙ୍କର ଆଶାତୀତ ବିଜୟ ହେବା ନେଇ ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି ରାଜ୍ୟ ପର୍ଯ୍ୟଟନ ମନ୍ତ୍ରୀ ଜ୍ୟୋତି ପ୍ରକାଶ ପାଣିଗ୍ରାହୀ । ଅନୁରୂପ ଭାବେ କଂଗ୍ରେସ ନେତାମାନେ ବି ଦଳର ସମ୍ଭାବ୍ୟ ବିଜୟକୁ ନେଇ ଦୃଢ଼ ଆଶାବାଦୀ ଥିବା କହିଛନ୍ତି । ଓଡ଼ିଶାରେ ୨୨ ବର୍ଷର ଶାସନ କାଳରେ ବାଲେଶ୍ୱର ଜିଲ୍ଲା ସମେତ ରାଜ୍ୟବାସୀଙ୍କ ଜୀବନ ଧାରଣର ମାନ ହ୍ରାସ ପାଇଥିବା ବେଳେ ନାମକୁମାତ୍ର ଯୋଜନାରେ ସାଧାରଣ ଲୋକେ ଆଉ ଭୁଲିଯିବେ ନାହିଁ ବୋଲି ଜିଲ୍ଲା କଂଗ୍ରେସ ସଭାପତି ସଂଜୀବ ଗିରି କହିଛନ୍ତି । ସେହିଭଳି ଲୋକେ ଏବେ ପରିବର୍ତ୍ତନ ଚାହୁଁଛନ୍ତି ବୋଲି ମତ ଦେଇଛନ୍ତି ସଦର ନିର୍ବାଚନମଣ୍ଡଳୀ ନେତା ମାନସ କୁମାର ଦତ୍ତ । ଦଳୀୟ ଭିତ୍ତିରେ ଚାଲିଥିବା ସାମ୍ପ୍ରତିକ ଶାସନ ବ୍ୟବସ୍ଥାରେ ସାଧାରଣ ଲୋକେ ଅତିଷ୍ଠ ହୋଇ ପଡ଼ିଥିବା ବେଳେ ଚଳିତ ନିର୍ବାଚନର ଫଳ ବିଜେପି ସପକ୍ଷରେ ଯିବ ବୋଲି ସେ ଆଶା ପ୍ରକାଶ କରିଛନ୍ତି । ସେହିଭଳି ବାମପନ୍ଥୀ ନେତା ଓ ଆପ ଦଳର ନେତାମାନେ ବି ଦଳୀୟ ବିଜୟ ସମ୍ଭାବନାକୁ ନେଇ ଆଶାବାଦୀ ଥିବା କହିଛନ୍ତି । ନାମାଙ୍କନପତ୍ର ଦାଖଲ କରିଥିବା ପ୍ରାର୍ଥୀମାନେ ବି ନିଜର ବିଜୟ ସମ୍ଭାବନାକୁ ଆଶାବାଦୀ ଥିବା ସୂଚନା ଦେଇଛନ୍ତି । ଲୋକଙ୍କୁ ନ୍ୟାୟ ପ୍ରଦାନ ସାଙ୍ଗକୁ ଉଚିତ ସେବା ଯୋଗାଇ ଦେବା ଆଭିମୁଖ୍ୟ ନେଇ ସେମାନେ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ଆଗେଇ ଆସିଥିବା ବେଳେ ତାଙ୍କ ପ୍ରତି ଭୋଟରଙ୍କ ସମର୍ଥନ ନିଶ୍ଚିତ ରହିବ ବୋଲି ପ୍ରାର୍ଥୀମାନେ ମତବ୍ୟକ୍ତ କରିଛନ୍ତି । କୋଭିଡ କଟକଣା ସତ୍ତ୍ୱେ ନାମାଙ୍କନପତ୍ର ଦାଖଲର ଶେଷ ଦିନରେ ବାଲେଶ୍ୱର ଉପ-ଜିଲ୍ଲାପାଳଙ୍କ ଅଫିସ ସମ୍ମୁଖ ରାସ୍ତା ଜନସମୁଦ୍ର ହୋଇଯାଇଥିବା ଦେଖିବାକୁ ମିଳିଥିଲା । ୨୨ ତାରିଖ ଅର୍ଥାତ ଆସନ୍ତାକାଲି ଯାଞ୍ଚ ଓ ୨୫ ତାରିଖ ପର୍ଯ୍ୟନ୍ତ ପ୍ରାର୍ଥିପତ୍ର ପ୍ରତ୍ୟାହାର ଓ ସେହିଦିନ ଚୂଡ଼ାନ୍ତ ତାଲିକା ପ୍ରକାଶ ପାଇବ । ୨୬ ତାରିଖରୁ ଗାଁ’ଗହଳିରେ ପ୍ରଚାର ଜମିବ ବୋଲି ବିଭିନ୍ନ ମହଲରୁ ମତ ପ୍ରକାଶ ପାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ