ପଞ୍ଚାୟତ ନିର୍ବାଚନ ପାଇଁ ଆସନ ସଂରକ୍ଷଣର ତାଲିକା ପ୍ରକାଶିତ : ବିଜେପି ଓ କଂଗ୍ରେସ ଅସନ୍ତୁଷ୍ଟ

ଭୁବନେଶ୍ୱର : ପଞ୍ଚାୟତ ନିର୍ବାଚନ ପାଇଁ  ଆସନ ସଂରକ୍ଷଣର ତାଲିକା ପ୍ରକାଶିତ ହୋଇଛି । ତେବେ ଏହାକୁ ନେଇ ଦୁଇ ବିରୋଧୀ ଦଳ ଅସନ୍ତୁଷ୍ଟ ପ୍ରକାଶ କରିଛନ୍ତି l ପଶ୍ଚିମ ଓଡ଼ିଶାର ଝାରସୁଗୁଡ଼ା, ନୂଆପଡ଼ା, ସମ୍ବଲପୁର ଓ କଳାହାଣ୍ଡିରେ ଜିଲ୍ଲା ପରିଷଦ ସଦସ୍ୟ ବର୍ଗରେ ପଛୁଆ ବର୍ଗଙ୍କ ଲାଗି ଆଦୌ ସଂରକ୍ଷଣ ନାହିଁ। ବରଗଡ଼ ଓ ବଲାଙ୍ଗିର ଜିଲ୍ଲାରେ ୩ଟି ଲେଖାଏଁ, ସୁନ୍ଦରଗଡ଼ ଏବଂ ସୁବର୍ଣ୍ଣପୁରରେ ୨ଟି ଲେଖାଏଁ ଓ ବୌଦ୍ଧରେ ପଛୁଆ ବର୍ଗ ଲାଗି ଗୋଟିଏ ସିଟ ସଂରକ୍ଷଣ ରହିଛି। କଳାହାଣ୍ଡି ଜିଲ୍ଲାରେ ଅନୁସୂଚିତ ଜାତି ଓ ଜନଜାତିଙ୍କ ପାଇଁ ୧୮ଟି ଆସନ ସଂରକ୍ଷଣ ଥିବା ବେଳେ ଅଣସଂରକ୍ଷିତ ବର୍ଗ ପାଇଁ ଅନ୍ୟ ୧୮ଟି ଆସନ ରହିଛି। ତେବେ ପଛୁଆ ବର୍ଗ ପାଇଁ ଗୋଟିଏ ମଧ୍ୟ ଆସନ ସଂରକ୍ଷିତ ନଥିବାରୁ ସେମାନଙ୍କୁ ଅବହେଳା କରାଯାଇଥିବା ଅଭିଯୋଗ ହୋଇଛି। ବରଗଡ଼ ଜିଲ୍ଲାର ଗୁଡେଶିରା ପଂଚାୟତରେ ଅନୁସୂଚିତ ଜାତିଙ୍କ ସଂଖ୍ୟା ଅଧିକ ରହିଥିବା ବେଳେ ସରପଞ୍ଚ ଆସନ କିନ୍ତୁ ଅଣସଂରକ୍ଷିତ ମହିଳା ପାଇଁ ଉଦ୍ଦିଷ୍ଟ ରହିଛି। ଜିଲ୍ଲାରେ ଅନ୍ୟ ସ୍ଥାନରେ ମଧ୍ୟ ଆସନ ସଂରକ୍ଷଣ ଠିକ୍‌ରେ କରାଯାଇନଥିବା ଅଭିଯୋଗ ହେଉଛି। କେବଳ ବରଗଡ଼ ଜିଲ୍ଲା ନୁହେଁ, ରାଜ୍ୟରେ ଥିବା ୯୨ ହଜାର ଓ୍ୱାର୍ଡ, ୬୮୦୦ ପଞ୍ଚାୟତ ଓ ୮୫୩ ଜିଲ୍ଲା ପରିଷଦ ଆସନ ମଧ୍ୟରୁ ଅଧିକାଂଶ ସ୍ଥାନରେ ଗଡ଼ବଡ ହୋଇଥିବା ଅଭିଯୋଗ ହୋଇଛି। ସଂରକ୍ଷଣ ଚିଠା ତାଲିକା ପ୍ରକାଶ ପାଇବା ପରେ ବିଜେପି ଓ କଂଗ୍ରେସ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛନ୍ତି। ନିର୍ଦ୍ଧାରିତ ତାରିଖ ଅର୍ଥାତ ଅକ୍ଟୋବର ୮ ତାରିଖରେ ୧୦ଟି ଜିଲ୍ଲାରେ ସଂରକ୍ଷଣ ତାଲିକା ଜିଲ୍ଲାପାଳମାନେ ପ୍ରକାଶ କରନଥିବା ଅଭିଯୋଗ କରିଛି ବିଜେପି। ଏହାଦ୍ୱାରା ସାମ୍ବିଧାନିକ ବିଧି ବ୍ୟବସ୍ଥାର ଉଲ୍ଲଂଘନ ହୋଇଥିବା ଦଳ ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀରେ ଅଭିଯୋଗ କରାଯାଇଛି। ସେହିପରି ଚିଠା ତାଲିକା ସଂପୂର୍ଣ୍ଣ ତ୍ରୁଟିପୂର୍ଣ୍ଣ ବୋଲି ଅଭିଯୋଗ କରିବା ସହିତ ରାଜ୍ୟ ନିର୍ବାଚନ ଆୟୋଗରେ ଅଭିଯୋଗ ଦାଖଲ କରାଯିବ ବୋଲି ଦଳ କହିଛି। କଂଗ୍ରେସ ଅଭିଯୋଗ କରିଛି, ବିଜେଡି ନେତାଙ୍କ ପ୍ରଭାବରେ ଏଭଳି ତାଲିକା ପ୍ରକାଶ କରାଯାଇଛି। ଏହା ତ୍ରୁଟିପୂର୍ଣ୍ଣ ଥିବାରୁ ବାତିଲ କରିବାକୁ ଦାବି କରିଛି ଦଳ। ବିଜେଡି କହିଛି, ଯାହାର କିଛି ଆପତ୍ତି ରହିଛି ସେମାନେ ଅଭିଯୋଗ କରିପାରିବେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ