ପଞ୍ଚାୟତ ନିର୍ବାଚନ ପାଇଁ ପୋଲିଂ ଅଧିକାରୀଙ୍କୁ ତାଲିମ ଫେବୃଆରୀ ୪ରୁ ଆରମ୍ଭ
ବାଲେଶ୍ୱର, (ସରୋଜ ପଣ୍ଡା) :-ଚଳିତ ପଞ୍ଚାୟତ ନିର୍ବାଚନ ପାଇଁ ନିଯୁକ୍ତ ପ୍ରିଜାଇଡିଂ ଅଧିକାରୀ ଓ ପ୍ରଥମ ପୋଲିଂ ଅଧିକାରୀଙ୍କ ନିମନ୍ତେ ଜିଲାର ସମସ୍ତ ବ୍ଲକରେ ଫେବୃଆରୀ ୪ତାରିଖରୁ ପ୍ରଶିକ୍ଷଣ ଶିବିର ଆରମ୍ଭ ହେବ । ଫେବୃଆରୀ ୪, ୬ ଓ ୭ତାରିଖରେ ଆୟୋଜିତ ହେବାକୁ ଥିବା ଏହି ପ୍ରଶିକ୍ଷଣ ଶିବିରରେ ପଞ୍ଚାୟତ ନିର୍ବାଚନର ବିଭିନ୍ନ ପ୍ରକ୍ରିୟା ଓ ପରିଚାଳନା ସମ୍ପର୍କରେ ପ୍ରିଜାଇଡିଂ ଅଧିକାରୀ ଓ ପ୍ରଥମ ପୋଲିଂ ଅଧିକାରୀମାନଙ୍କୁ ପ୍ରଶିକ୍ଷଣ ପ୍ରଦାନ କରାଯିବ । ଏଥି ପାଇଁ ବ୍ଲକ ସ୍ତରରେ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଥିବା ବେଳେ ପ୍ରଶିକ୍ଷିତ ମାଷ୍ଟର ଟ୍ରେନରମାନେ ଏହି ଅଧିକାରୀମାନଙ୍କୁ ପ୍ରଶିକ୍ଷଣ ଦେବେ । ବିଶେଷ କରି କୋଭିଡ୍-୧୯ ନିୟମାବଳୀର ଅନୁପାଳନ ପୂର୍ବକ ନିର୍ବାଚନ ପରିଚାଳନା, ଭୋଟ୍ ଗ୍ରହଣ ପ୍ରକ୍ରିୟା, ଭୋଟବାକ୍ସର ସଠିକ୍ ବ୍ୟବହାର,ଏଜେଂଟଙ୍କ ଉପସ୍ଥିତିରେ ଭୋଟବାକ୍ସ ଓ ବାଲଟ ପେପରକୁ କିଭଳି ଠିକ ଢଙ୍ଗରେ ପ୍ରସ୍ତୁତ କରାଯିବ, ଭୋଟରଙ୍କୁ ଠିକ ଭାବେ ଚିହ୍ନଟ ପ୍ରକ୍ରିୟା ଇତ୍ୟାଦି ସମ୍ପର୍କରେ ଅଧିକାରୀମାନଙ୍କୁ ପ୍ରଶିକ୍ଷଣ ଦିଆଯିବ । ପଞ୍ଚାୟତ ନିର୍ବାଚନରେ ନିୟୋଜିତ ପ୍ରିଜାଇଡିଂ ଅଧିକାରୀ ଓ ୧ମ ପୋଲିଂ ଅଧିକାରୀମାନଙ୍କ ପାଇଁ ଏହି ପ୍ରଶିକ୍ଷଣ ବାଧ୍ୟତାମୂଳକ କରାଯାଇଛ । ଯେଉଁ ଅଧିକାରୀ ପୁନଶ୍ଚ କୋଭିଡ ପ୍ରିକସନ ଟିକା ନେଇ ନ ଥବେ ସେମାନଙ୍କୁ ଏହି ପ୍ରଶିକ୍ଷଣ ଶିବିର ବେଳେ ଦିଆଯିବାର ବ୍ୟବସ୍ଥା ହୋଇଛି । ପ୍ରଶିକ୍ଷଣ ଶିବିରରେ ଅନୁପସ୍ଥିତ ରହିଥିବା ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଜିଲାପାଳ କେ.ସୁଦର୍ଶନ ଚକ୍ରବର୍ତ୍ତୀ ନିର୍ଦ୍ଦେଶ ଦେଇଛନ୍ତି ।


