ପଞ୍ଚାୟତ ନିର୍ବାଚନ ପାର୍ ପାଇଁ ଅଙ୍ଗନୱାଡ଼ି କର୍ମଚାରୀଙ୍କୁ ଲଲିପପ୍
ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ) :ଭାରତୀୟ ମଜଦୁର ସଂଘ ଦ୍ୱାରା ପରିଚାଳିତ ଅଲ୍ ଓଡ଼ିଶା ଅଙ୍ଗନୱାଡି ଲେଡ଼ିଜ୍ ୱାର୍କରସ୍ ଆସୋସିଏସନ ଦ୍ୱାରା ଏକ ସାମ୍ବାଦିକ ସମ୍ମିଳନୀର ଆୟୋଜନ କରାଯାଇଥିଲା । ଗତ ୦୮.୦୧.୨୦୨୨ରିଖରେ ରାଜ୍ୟ ସରକାରଙ୍କ ଦ୍ୱାରା ଘୋଷିତ ସେବାନିବୃତ୍ତ ପ୍ରୋତ୍ସାହନ ରାଶି ଅଙ୍ଗନୱାଡି କର୍ମଚାରୀଙ୍କ ପାଇଁ ଉପହାସ ଜନକ । ସରକାରଙ୍କର ସବୁ ଯୋଜନାକୁ ସଫଳ କରୁଥିବା ଓ କରୋନା ସମୟରେ ଜୀବନକୁ ବାଜି ଲଗାଇ ଘରକୁ ଘର ବୁଲି କରୋନା ମୁକାବିଲା କରିଥିଲେ । ବାଲ୍ୟ ବିବାହ, ଅପପୁଷ୍ଟି ରୋକିବା ଦିଗରେ ସକ୍ରିୟ ଭୂମିକା ଗ୍ରହଣ କରିଥିବା ସତ୍ତ୍ୱେ ସରକାର ଅଙ୍ଗନୱାଡି କର୍ମଚାରୀଙ୍କ ମାନଦେୟ ପ୍ରତି ତିଳେମାତ୍ର ବିଚାର କରିନାହାଁନ୍ତି ଯାହା ଅତ୍ୟନ୍ତ ନିନ୍ଦନୀୟ । ସେବାନିବୃତ୍ତ ରାଶି ୪୦ ହଜାର, ୩୦ ହଜାର ୨୦ ହଜାର ଟଙ୍କାରେ ଆଜିର ଦରଦାମ ବୃଦ୍ଧି ସମୟରେ କି ପ୍ରକାର ଗୁଜୁରାଣ ମେଣ୍ଟିପାରିବ, ସେ ବିଷୟରେ ମଧ୍ୟ ସାମାନ୍ୟତମ ବିଚାର ନକରି ‘ବଡ଼ଘୋଷଣା’ ଶବ୍ଦ ପ୍ରୟୋଗ କରାଯାଇଛି ତାହା ଅତ୍ୟନ୍ତ ଲଜ୍ଜାଜନକ । ଗାଁ କଲ୍ୟାଣ ସମିତି କାର୍ଯ୍ୟକୁ ସ୍ୱାସ୍ଥ୍ୟ ବିଭାଗକୁ ହସ୍ତାନ୍ତର କରାନଯାଏ, ଆସନ୍ତା ଫେବୃୟାରୀ ୦୧ ତାରିଖ ଠାରୁ କର୍ମୀମାନେ ଏହି କାର୍ଯ୍ୟ କରିବେ ନାହିଁ ବୋଲି ସଂଘ ନିଷ୍ପତ୍ତି ନେଇଛି । ମିନି ଅଙ୍ଗନୱାଡି କର୍ମୀଙ୍କ କ୍ଷେତ୍ରରେ ୨୫୦ରୁ ଅଧିକ ଲୋକସଂଖ୍ୟା ଥିବା ଅଞ୍ଚଳ ମୁଖ୍ୟ ଅଙ୍ଗନୱାଡି କରିବା ପାଇଁ ଆସିଥିବା ପତ୍ର କ୍ର. ୬୦୪୬/ଡବ୍ଲୁସିଡ଼ି ମିଶନଶକ୍ତି, ୨୬.୦୩.୨୦୨୧କୁ କେଉଁ ସ୍ୱାର୍ଥରେ ଅଦ୍ୟାବଧି କାର୍ଯ୍ୟକାରୀ କରାଯାଉ ନାହିଁ । ୨୦୧୯ ଆନ୍ଦୋଳନ ସମୟରେ ବିନା ଦୋଷରେ ବହିଷ୍କାର କରାଯାଇଥିବା ସାତଜଣ ଅଙ୍ଗନୱାଡି କର୍ମୀଙ୍କୁ କାହିଁକି ପୁନଃ ନିଯୁକ୍ତି ଦିଆଯାଉ ନାହିଁ । ସ୍ନାତକ ଡିଗ୍ରୀ ହାସଲ କରିଥିବା ଅଙ୍ଗନୱାଡି କର୍ମୀମାନଙ୍କୁ ପଦୋନ୍ନତି ନଦେଇ ବାହାରୁ ସ୍ନାତକ ଡିଗ୍ରୀଧାରୀଙ୍କୁ ଆଣି ନୂତନ ଭାବରେ ତାଲିମ ଦେଇ ସୁପରଭାଇଜର ପଦବୀରେ ନିଯୁକ୍ତି ଦେବାରେ କଣ ସୁଫଳ ମିଳୁଛି? ଦୀର୍ଘ ୪୦ ବର୍ଷ ଧରି କାର୍ଯ୍ୟରତ ଅଙ୍ଗନୱାଡି କର୍ମଚାରୀଟିଏ କାର୍ଯ୍ୟ କରୁଥିବା ଅବସ୍ଥାରେ ମୃତ୍ୟୁବରଣ କଲେ ପରିବାରଙ୍କୁ ଟଙ୍କାଟିଏ ମିଳୁନାହିଁ ମାତ୍ର ଦୈନନ୍ଦିନ ମଜୁରୀ କରୁଥିବା ଶ୍ରମିକମାନଙ୍କ ପାଇଁ ୨ ଲକ୍ଷ ଟଙ୍କା ବୀମା ଯୋଜନା ରହିଛି । ଏସବୁ ବିଷୟକୁ ବିଚାରକୁ ନେଲେ ସରକାର ଅଙ୍ଗନୱାଡି କର୍ମଚାରୀଙ୍କୁ ସବୁ କାମରେ ଲଗାଇ ସମସ୍ତ ସୁବିଧାରୁ ବଂଚିତ କରିବା ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ବୈମାତୃକ ମନୋଭାବ ପୋଷଣ କରୁଛନ୍ତି । ଆଜିର ଏହି ସମ୍ବାଦିକ ସମ୍ମିଳନୀରେ ଅଲ ଓଡ଼ିଶା ଅଙ୍ଗନୱାଡ଼ି ଲେଡ଼ିଜ ୱାର୍କସ ଆସୋସିଏସନର ରାଜ୍ୟ ସଭାନେତ୍ରୀ ସୁମିତା ମହାପାତ୍ର, ଉପସଭାନେତ୍ରୀ ବନିତାଞ୍ଜଳି ଦାସ, କୋଷାଧ୍ୟକ୍ଷା କୁଞ୍ଜଲତା ଦାସ, ଭାରତୀୟ ମଜଦୁର ସଂଘର ରାଜ୍ୟ କୋଷାଧ୍ୟକ୍ଷ ଶ୍ରୀ ଲକ୍ଷ୍ମଣ ଦାସ ପ୍ରମୁଖ ଉପସ୍ଥିତ ଥିଲେ ।


