ପଞ୍ଚାୟତ ନିର୍ବାଚନ ପ୍ରଚାର ପ୍ରସାର ଯୋର ଧରିଛି
ପାରଳାଖେମୁଣ୍ଡି, (ତାରିଣୀ ପଣ୍ଡା) :-ଗଜପତି ଜିଲ୍ଲା ରାୟଗଡ ବ୍ଲକରେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପ୍ରଚାର ପ୍ରସାର ଯୋର ଧରିବାରେ ଲାଗିଛି । ବ୍ଲକରେ ୨ଗୋଟି ଜିଲ୍ଲାପରିଷଦ ଜୋନ୍, ୨୧ଗୋଟି ପଞ୍ଚାୟତ, ୨୧ ସମିତି ଓ ୨୪୯ଗୋଟି ୱାର୍ଡମେମ୍ବର ପାଇଁ ପ୍ରାର୍ଥି/ପ୍ରାର୍ଥିନୀ ନିଜ ନିଜର ନିର୍ବାଚନ ଲଢୁଛନ୍ତି । ଏହି ବ୍ଲକରେ ଭୋଟରଙ୍କ ସଂଖ୍ୟା ୫୨, ୬୩୬ ରହିଛି । ମୋଟ ୨୧ଗୋଟି ପଞ୍ଚାୟତ ନିମନ୍ତେ ୯୫ଜଣ ପ୍ରତିଦ୍ୱନ୍ଦିତା କରୁଥିବା ବେଳେ ସମିତି ସଭ୍ୟ/ସଭ୍ୟାନିମନ୍ତେ ୬୩ଜଣ ପ୍ରାର୍ଥି ପ୍ରତିଦ୍ୱନ୍ଦିତା କରୁଛନ୍ତି । ସେହିପରି ମୋଟ ୨୪୯ ୱାର୍ଡମେମ୍ବର ପାଇଁ ୨୮୨ ପ୍ରାର୍ଥି/ପ୍ରାର୍ଥିନୀ ନାମାନଙ୍କନ ଭରି ନିର୍ବାଚନ ମଇଦାନରେ ରହିଛନ୍ତି । ସମସ୍ତ ପ୍ରାର୍ଥି/ପ୍ରାର୍ଥିନୀ ନିଜ ନିଜ ଅଞ୍ଚଳ ସମସ୍ୟାର ସମାଧାନ ମୁଦାକୁ ନେଇ ଏଜେଣ୍ଡା ପ୍ରସ୍ତୁତ କରି ପ୍ରଚାର ଚଳାଇଛନ୍ତି । ଆସନ୍ତା ୩୧ତାରିଖରେ ନିର୍ବାଚନ ଆଦର୍ଶ ଆଚରଣ ବିଧି ସମ୍ପର୍କିତ ବୈଠକ ଅନୁଷ୍ଠିତ ହେବ ବୋଲି ବ୍ଲକ କାର୍ଯ୍ୟାଳୟ ସୂତ୍ରରୁ ପ୍ରକାଶ । ଅନ୍ୟପକ୍ଷରେ ଦଳ ଗୁଡିକ ପରସ୍ପର ଉପରେ ଦୋଷାରୋପ, ପ୍ରତ୍ୟାରୋପ, କାଦୁଅଫିଙ୍ଗା ନୀତି ଏବଂ ବିକାଶ କରିବା କଥା କହି ଲୋକଙ୍କ ନିକଟକୁ ଯାଇ ଭୋଟ ଭିକ୍ଷା କରିଚାଲିଛନ୍ତି । ପୂର୍ବଥର ପଞ୍ଚାୟତ ସମିତି ଅଧ୍ୟକ୍ଷ ଆସନ ବିଜେଡି ଅକ୍ତିଆର କରିଥିବା ବେଳେ ବର୍ତ୍ତମାନ ବି ବିଜେଡି ଅକ୍ତିଆର କରିବ ବୋଲି ଆକଳନ କରାଯାଉଛି । କହିବାକୁ ଗଲେ ଏହି ବ୍ଲକ ବିଜେପିର ଗଡ ଭାବେ ପରିଚିତ ଥିଲେ । ତେବେ ଚଳିତ ନିର୍ବାଚନରେ ବିଜେପି ଦଳରେ ଗୋଷ୍ଠୀ କନ୍ଦୋଳ ଓ କଂଗ୍ରେସ ଦଳ ଦୁର୍ବଳ ହୋଇଥିବାରୁ ବିଜେଡି ଏଠାରେ ବାଜିମାରିବ ବୋଲି ରାଜନୀତି ବିଶେଷଜ୍ଞମାନେ ମତ ରଖିଛନ୍ତି । ମୋଟ ଉପରେ କହିବାକୁ ଗଲେ ବିଜେଡି ଦଳ ପୂର୍ବ ଅପେକ୍ଷା ଆହୁରି ମଜବୁତ ହେବ ବୋଲି ଅନୁମାନ କରାଯାଉଛି ।