ପଞ୍ଚାୟତ ନିର୍ବାଚନ ବିଜ୍ଞପ୍ତି ପୂର୍ବରୁ ସଦର ବିଧାୟକଙ୍କ ତୁଫାନୀ ଶିଳାନ୍ୟାସ

ବାଲେଶ୍ୱର, (ସରୋଜ ପଣ୍ଡା) :ପଞ୍ଚାୟତ ନିର୍ବାଚନର କିଛି ସମୟ ପୂର୍ବରୁ ମଙ୍ଗଳବାର ପୂର୍ବାହ୍ନରେ ବାଲେଶ୍ୱର ସଦର ବିଧାୟକ ସହରରେ ବିଭିନ୍ନ ପ୍ରକଳ୍ପର ତୁଫାନୀ ଉଦଘାଟନ ଓ ଶିଳାନ୍ୟାସ କରିଛନ୍ତିି । ସଦର ବିଧାୟକ ସ୍ୱରୂପ କୁମାର ଦାସ ୧୨୫ କୋଟିରୁ ଉର୍ଦ୍ଧ ଟଙ୍କା ବ୍ୟୟରେ ନିର୍ମିତ ୧୮ଟି ଉନ୍ନୟନମୂଳକ ପ୍ରକଳ୍ପର ଶୁଭ ଉଦଘାଟନ ଓ ଶିଳାନ୍ୟାସ କରିଛନ୍ତି । ଗତ ନଭେମ୍ବର ୨୬ ତାରିଖରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବାଲେଶ୍ୱର ଗସ୍ତରେ ଆସିଥିବା ସମୟରେ ସଭାସ୍ଥଳରେ ପ୍ରକଳ୍ପ ଗୁଡିକର ଆଭାସି ଶିଳାନ୍ୟାସ ଓ ଉଦଘାଟନ କରିଥିଲେ । ସେହିକ୍ରମରେ ବିଧାୟକ ଶ୍ରୀ ଦାସ ଦଳୀୟ ନେତୃବୃନ୍ଦ ଏବଂ ଅଞ୍ଚଳବାସୀଙ୍କ ସହ କ୍ଷେତ୍ରରେ ଉପସ୍ଥିତ ରହି ପ୍ରକଳ୍ପ ସ୍ଥାନରେ ଉଦଘାଟନ ଓ ଶିଳାନ୍ୟାସ କରିଛନ୍ତି । ପ୍ରଥମେ ଫକୀର ମୋହନ ସ୍ୱୟଂଶାସିତ ମହାବିଦ୍ୟାଳୟରେ ୬.୯୯ କୋଟି ଟଙ୍କା ଖର୍ଚ୍ଚରେ ନବନିର୍ମିତ କମର୍ସ ବ୍ଲକ ଓ ୫ କୋଟି ଟଙ୍କା ଖର୍ଚ୍ଚରେ ନିର୍ମିତ ଉଦ୍ଭିଦବିଜ୍ଞାନ ବିଭାଗର ଏକାଡ଼େମିକ ବିଲଡିଂ, କୁନ୍ତଳା କୁମାରୀ ସାବତ ମହିଳା ମହାବିଦ୍ୟାଳୟରେ ୮୬.୪୨ଲକ୍ଷ ଟଙ୍କା ଖର୍ଚ୍ଚରେ ନବନିର୍ମିତ ଏକାଡ଼େମିକ ବ୍ଲକ, ପୌରପାଳିକା ପରିସରରେ ୫୦ଲକ୍ଷ ଟଙ୍କା ଖର୍ଚ୍ଚରେ ନିର୍ମତ ନୂତନ ମିଶନ ଶକ୍ତି ଭବନ, ୮.୪୪ କୋଟି ଟଙ୍କା ବ୍ୟୟରେ ହୋଟେଲ ନିଶି ଛକଠାରୁ କୌଶଲ୍ୟା ମେମୋରିଆଲ ହସପିଟାଲ ପର୍ଯ୍ୟନ୍ତ ରାସ୍ତା, ୩.୬୬ କୋଟି ଟଙ୍କା ବ୍ୟୟରେ ନିର୍ମିତ ଆଜିମାବାଦଠାରୁ ଏଫ.ଏମ କଲେଜ ରାସ୍ତା, ୫.୫୫ କୋଟି ଟଙ୍କା ବ୍ୟୟରେ ନିର୍ମିତ ଷ୍ଟେସନ ଛକଠାରୁ ପାତ୍ରପଡ଼ା ରାସ୍ତା ପ୍ରଭୃତିକୁ ବିଧାୟକ ଶ୍ରୀ ଦାସ ଉଦଘାଟନ କରିଥିଲେ । ଏହା ସହିତ ୧୩.୦୬ କୋଟି ଟଙ୍କା ଖର୍ଚ୍ଚ ଅଟକଳରେ ତାମୂଳିଆ ଠାରୁ ଷ୍ଟେସନ ଛକ ପର୍ଯ୍ୟନ୍ତ ରାସ୍ତାର ପ୍ରଶସ୍ତିକରଣ ଏବଂ ସମ୍ପ୍ରସାରଣ, ଅଙ୍ଗାରଗଡ଼ିଆ ଠାରେ ୧୧.୦୯ କୋଟି ଟଙ୍କା ଖର୍ଚ୍ଚ ଅଟକଳର ବହୁମୁଖୀ ସ୍ପୋର୍ଟ୍ସ କମ୍ପେ୍ଲକ୍ସ, ୯.୭୧ କୋଟି ଟଙ୍କା ଖର୍ଚ୍ଚରେ ସହଦେବଖଣ୍ଟା ବସଷ୍ଟାଣ୍ଡର ମୋଡେଲ ରୂପାନ୍ତରୀଣ ପ୍ରକଳ୍ପ ଏବଂ ନୁଣିଆଯୋଡ଼ି଼ିଠାରେ ୬୦ କୋଟି ଟଙ୍କା ବ୍ୟୟ ଅଟକଳରେ ନିର୍ମାଣ ହେବାକୁ ଥିବା ନୂତନ ଓଭର ବ୍ରିଜ ପାଇଁ ବିଧାୟକ ଶ୍ରୀ ଦାସ ଶୁଭ ଭତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି । ସେହିପରି ସେ ବାଲେଶ୍ୱର ପୌରପାଳିକା ପକ୍ଷରୁ ୧ କୋଟି ଟଙ୍କା ବ୍ୟୟ ଅଟକଳରେ ୨ ନମ୍ବର ୱାର୍ଡ଼ର ବଡ଼ଖୁଆ ପୋଖରୀର ଉନ୍ନତୀକରଣ ପ୍ରକଳ୍ପ ଓ ୭୦ ଲକ୍ଷ ଟଙ୍କା ଖର୍ଚ୍ଚ ଅଟକଳରେ ଗଡ଼ଗଡ଼ିଆ ପୋଖରୀ ଉନ୍ନତୀକରଣ ପାଇଁ ମଧ୍ୟ ଶିଳାନ୍ୟାସ କରିଥିଲେ । ସମସ୍ତ କାର୍ଯ୍ୟକ୍ରମରେ ବିଭାଗୀୟ ଅଧିକାରୀଙ୍କ ସମେତ ବିଜୁ ଜନତା ଦଳର ଯୁଗ୍ମ ସମ୍ପାଦକ ସତ୍ୟ ରଞ୍ଜନ ଦାସ, ବାଲେଶ୍ୱର ଟାଉନ ସଭାପତି ସନତ ଦାସ, ଟାଉନ ମହିଳା ସଭାପତି ମୀନା ମହାନ୍ତି, ଟାଉନ ଯୁବ ସଭାପତି ଉମାଶଙ୍କର ତିଆଡ଼ି, ଟାଉନ ଯୁବ ପର୍ଯ୍ୟବେକ୍ଷକ ସୁଦୀପ୍ତ ପିଟର, ଅମିତ କୁମାର ନାୟକ, ଦେବାଲି ନାୟକ, କୈଳାସ ସେଠୀ, ଶାକିର ଖାନ, ଲକ୍ଷ୍ମଣ ବେହେରା, କୈଳାଶ ଦାଶ, ଶତ୍ରୁଘ୍ନ ମଲ୍ଲିକ, କବିତା ମୁର୍ମୁ, ବିଳାସିନୀ ବେହେରା, ଧନଞ୍ଜୟ ଜେନା, ଅନସର ଅଲ୍ଲୀ ଖାନ, ରୋଜି ପଟ୍ଟନାୟକ, ଆଶ୍ରିତା ତରେଇ, ଜୟନ୍ତୀ ଦତ୍ତ, ରୁନା ଦାସ, ଜଗନ୍ନାଥ ମହାରଣା, ବାଦଲ ଦତ୍ତ, ପ୍ରଦୀପ ମାରାଣ୍ଡି ପ୍ରମୁଖ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ